ବୁଧବାରରୁ ଥଣ୍ଡା ବଢ଼ିବ, ପାରଦ ଖସିବ ୨ଂ

ଦାରିଙ୍ଗିବାଡ଼ିରେ ୧୨°, ଫୁଲବାଣୀରେ ୧୩°

ଭୁବନେଶ୍ୱର : ଶ୍ରୀଲଙ୍କା ଏବଂ ତାମିଲନାଡ଼ୁ ଉପକୂଳରେ କେନ୍ଦ୍ରୀଭୂତ ଲଘୁଚାପ ଆଜି କେରଳ ଉପକୂଳକୁ ଗତି କରିଛି। ଫଳରେ ଆଜି, ଆସନ୍ତାକାଲି ଉପକୂଳ ଏବଂ ଦକ୍ଷିଣରେ ବର୍ଷା ହେବ ବୋଲି ଯେଉଁ ପୂର୍ବାନୁମାନ କରାଯାଇଥିଲା, ତା’ର ସମ୍ଭାବନା କ୍ଷୀଣ। ଆସନ୍ତାକାଲି ବର୍ଷା ହେଲେ ବି କାଁ ଭାଁ ଏବଂ ଅଳ୍ପ କିଛି ସ୍ଥାନରେ ହୋଇପାରେ। ତେବେ ବୁଧବାର ଦିନଠାରୁ ଥଣ୍ଡାର ପ୍ରକୋପ ବଢ଼ିବ। ଏକାଥରକେ ୨°ରୁ ଅଧିକ ଖସିପାରେ ପାରଦ।

ଆଜି ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଲଘୁଚାପ ପ୍ରଭାବରେ ଓଡ଼ିଶାର ବାୟୁମଣ୍ଡଳରେ କିଛି ପରିମାଣରେ ଜଳୀୟବାଷ୍ପ ସୃଷ୍ଟି ହୋଇଛି। ଆଜି ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ୫୦ରୁ ୬୦ ପ୍ରତିଶତ। ଫଳରେ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ଥଣ୍ଡା ସାମାନ୍ୟ କମିଛି। ବିଶେଷ କରି ଦିନର ତାପମାତ୍ରା ଅଧିକ ରହିଛି। ଏହାର ଲକ୍ଷଣ ସ୍ୱରୂପ ଗତକାଲି ଉପକୂଳ, ଦକ୍ଷିଣର କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା କମିଯାଇଥିବା ବେଳେ ଆଜି ଏହା ୩୦° ଉପରେ ରହିଛି। ଏଭଳି ୨/୩ ଦିନ ଥଣ୍ଡା କମ୍‌ ରହିବ ଥଣ୍ଡା। ସେପଟେ ଆଭ୍ୟନ୍ତରୀଣ ଏବଂ ପଶ୍ଚିମରେ ଥଣ୍ଡାର ପ୍ରକୋପ ଅପରିବର୍ତିତ ରହିଛି। ଏହାର କାରଣ ହେଉଛି ସେସବୁ ସ୍ଥାନରେ ପାଗ ସଂପୂର୍ଣ୍ଣ ଶୁଖିଲା। ବାୟୁମଣ୍ଡଳରୁ ଜଳୀୟବାଷ୍ପ ସଂପୂର୍ଣ୍ଣ ରୂପେ ଶୁଖିଗଲେ ଦକ୍ଷିଣ ଏବଂ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ରାତି ସହିତ ଦିନର ତାପମାନ ବି କମିବ। ତଥାପି ଉତ୍ତର ପୂର୍ବ ହିମାଳୟ ଅବବାହିକା, ସିକିମ, ବିହାର ଆଦି ସ୍ଥାନଗୁଡ଼ିକରୁ ଥଣ୍ଡା ପବନ ରାଜ୍ୟ ଭିତରକୁ ବହୁଛି। ପବନର ବେଗ ଘଣ୍ଟା ପିଛା ରହିଛି ୨୦ରୁ ୨୫ କି.ମି.।

ଆଜି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୨° ସେଲ୍‌ସିୟସ ଥିବା ବେଳେ ଫୁଲବାଣୀରେ ରହିଛି ୧୩°। ସେହିପରି ହୀରାକୁଦରେ ୧୪.୬°, କୋରାପୁଟରେ ୧୪.୮°, ଭବାନୀପାଟଣାରେ ୧୫.୫°, କେନ୍ଦୁଝରରେ ୧୫.୮°, ସୁନ୍ଦରଗଡ଼ରେ ୧୬°, ଅନୁଗୁଳରେ ୧୬.୬°, ସମ୍ବଲପୁରରେ ୧୭.୩°, ଝାରସୁଗୁଡ଼ାରେ ୧୭.୫°, ବଲାଙ୍ଗୀରରେ ୧୮°, କଟକରେ ୧୮.୨°, ଟିଟିଲାଗଡ଼, ସୋନପୁରରେ ୧୮.୫°, ବାରିପଦାରେ ୧୮.୬°, ଭୁବନେଶ୍ୱରରେ ୧୮.୯°, ବାଲେଶ୍ୱରରେ ୧୯.୧°, ମାଲକାନଗିରିରେ ୧୯.୬°, ତାଳଚେର, ଗୋପାଳପୁରରେ ୧୯.୭° ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ବାଲେଶ୍ୱର, ଚାନ୍ଦବାଲି, କଟକ, ପାରାଦୀପ, ଭୁବନେଶ୍ୱର, ଗୋପାଳପୁର, ପୁରୀ ଆଦି ଉପକୂଳ ଏବଂ ଦକ୍ଷିଣ ସ୍ଥାନଗୁଡ଼ିକରେ ସର୍ବୋଚ୍ଚ ତାପମାତ୍ରା ୩୦°ରୁ ଅଧିକ ରହିଛି।

ସମ୍ବନ୍ଧିତ ଖବର