୨୬ରୁ ଥରିବ ସାରା ରାଜ୍ୟ

କେତେକ ସ୍ଥାନରେ ୫ଡିଗ୍ରିକୁ ଖସିବ, କନ୍ଧମାଳରେ ଶୀତଲହରୀ ଜାରି, ୭ ଜିଲ୍ଲାରେ ତାପମାତ୍ରା ୧୦ଡିଗ୍ରି ତଳେ

ଭୁବନେଶ୍ବର/ଫୁଲବାଣୀ : ଆଗକୁ ଆହୁରି ଥଣ୍ଡାରେ ଥରିବ ସାରା ଓଡ଼ିଶା। ଏବେଠାରୁ ଦକ୍ଷିଣ, େକନ୍ଦ୍ର ଓ ପଶ୍ଚିମ ଓଡ଼ିଶାରେ ପାରଦ ଖସିବାରେ ଲାଗିଛି। ୨୬ ତାରିଖ ଭିତରେ ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିଯିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଆଦି ଜିଲ୍ଲାରେ ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ସକାଳୁ କୁହୁଡ଼ି ବି ପଡ଼ିପାରେ। ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଯୋଗୁଁ ଯାତାୟାତ ପ୍ରଭାବିତ ହୋଇପାେର। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସମେତ ଅନ୍ୟ ବିେଶଷଜ୍ଞମାେନ ଏମିତି ପୂର୍ବାନୁମାନ କରିଛନ୍ତି।

ଏପଟେ କନ୍ଧମାଳରେ ଶୀତ ଲହରୀ ଲାଗି ରହିଛି। ଅପରାହ୍ନ ୪ଟାରୁ ପ୍ରକୋପ ଧୀରେ ଧୀରେ ବଢିଯାଉଛି। ଜନଜୀବନ ଏବେ ଅସ୍ତବ୍ୟସ୍ତ େହାଇଗଲାଣି। ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡି ବି ଲାଗି ରହୁଛି। ଆଜି ଫୁଲବାଣୀର ତାପମାତ୍ରା ୭ ଡିଗ୍ରି ଓ ଦାରିଙ୍ଗବାଡିରେ ୮.୫ ରହିଛି।

ପାଣିପାଗ ବିଜ୍ଞାନୀଙ୍କର କହିବା କଥା, ବର୍ତମାନ ସମୟରେ ଓଡ଼ିଶାର ତାପମାତ୍ରା ଯେତିକି ରହିବା କଥା ତା’ଠାରୁ ୩.୧ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହୁଛି। ବର୍ଷା ଛାଡ଼ି ଯାଇଥିବାରୁ ଥଣ୍ଡା ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ହେଉଛି। ୨୮ ତାରିଖ ବେଳକୁ ଗୋଟିଏ ଦୁଇଟି ସ୍ଥାନରେ ପାରଦ ୫ ଡିଗ୍ରି ତଳକୁ ବି ଖସି ଆସିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାେର।

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ୨୮ ତାରିଖ େବଳକୁ ତାପମାତ୍ରା ପୁଣି କମିବ। ଦୁଇ ଦିନ ମଧ୍ୟରେ ୪ ଡିଗ୍ରି ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ଖସିପାରେ। ୨୬ ତାରିଖ ପରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରାୟ ଦୁଇରୁ ତିନି ଡିଗ୍ରି କମିବ ଓ ପାଗ ମେଘୁଆ ରହିବ। ତେବେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବରରେ ତାପମାତ୍ରା ୨୫ ତାରିଖଠାରୁ କମିବ। ବର୍ତମାନ କେନ୍ଦ୍ରୀୟ ଭାରତରେ ଏକ ଗୁରୁଚାପ ସୃଷ୍ଟି ହୋଇଥିବାରୁ ଓଡ଼ିଶାକୁ ଉତ୍ତରା ଥଣ୍ଡା ପବନ ଆସିବାରେ ବାଧା ସୃଷ୍ଟି ହେଉଛି। ଏଣୁ ଆସନ୍ତା ତିନି ଦିନ ଟିକିଏ କମ୍ ଥଣ୍ଡା ଅନୁଭବ େହବ କିନ୍ତୁ ୨୬ ତାରିଖ ପରେ ପୁଣି ଉତ୍ତରା ପବନ ବୋହିବା ସହିତ ଶୀତ ବଢିବ।

ଫୁଲବାଣୀ ଜିଲ୍ଲାରୁ ଆସିଥିବା ରିେପାର୍ଟ ଅନୁସାରେ, ଶୀତ କାରଣରୁ ରାସ୍ତାଘାଟ ଓ ବଜାର ଶୂନଶାନ ହୋଇ ପଡୁଛି। ଆହୁରି ୪-୫ ଦିନ ଶୀତ ଲାଗି ରହିବ। ତେେବ ଶୀତରୁ ମଜା ଉଠାଇବା ନିମନ୍ତେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଆସନ୍ତାକାଲି ରବିବାର ଥିବାରୁ ଫୁଲବାଣୀ,ଦାରିଙ୍ଗବାଡିରେ ପ୍ରବଳ ପର୍ଯ୍ୟଟକଙ୍କ ଭିଡ ହେବାର ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ, ସମ୍ଭାବ୍ୟ ଥଣ୍ଡା ନେଇ ଗତକାଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଥିଲା। ସେହି ଅନୁଯାୟୀ କେତେକ ଜିଲ୍ଲାରେ ଲୋକଙ୍କୁ ସଚେତନ କରାଯାଇଛି। ଥଣ୍ଡା ସମୟରେ ଲୋକେ କ’ଣ କରିବେ, କ’ଣ ନ କରିବେ ସେ‌ନେଇ ସଚେତନତା କରାଯିବା ସହ ଯେଉଁମାନଙ୍କର ଘର ନାହିଁ ସେମାନଙ୍କ ପାଇଁ ରାତି ସମୟରେ ସ୍କୁଲ ଓ ସର୍ବସାଧାରଣ କୋଠାରେ ବ୍ୟବସ୍ଥା ହୋଇଛି। ମଣିଷ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ ଗଣମାଧ୍ୟମରେ ଉପଯୁକ୍ତ ପରାମର୍ଶ ଜାରି କରିବାକୁ ନିର୍ଦେଶ ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହାକୁ ପାଳନ କରାଯାଇ ନାହିଁ।

ସମ୍ବନ୍ଧିତ ଖବର