ଭୁବନେଶ୍ୱର : ଜାଡ଼ରେ ଥରୁଛି ପୂରା ଓଡ଼ିଶା। ରାଜ୍ୟର ପାଖାପାଖି ୧୨ଟି ସ୍ଥାନରେ ରାତ୍ରି ତାପମାତ୍ରା ୧୨ ଡିଗ୍ରି ତଳେ ରେକର୍ଡ ହୋଇଛି। ୭ ଡିଗ୍ରି ସହ ଫୁଲବାଣୀ ଓଡ଼ିଶାର ସବୁଠୁ ଥଣ୍ଡା ସହର ମାନ୍ୟତା ବଜାୟ ରଖିଥିବା ବେଳେ ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତି ତାପମାତ୍ରା ୦.୩ରୁ ୨.୭ ଡିଗ୍ରି ପର୍ଯ୍ୟନ୍ତ ଖସିଛି। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ୦.୨ରୁ ୧ ଡିଗ୍ରି ଯାଏ ରାତି ତାପମାତ୍ରା ବୃଦ୍ଧି ଘଟିଛି। ସେହିପରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ୧ରୁ ୨.୬ ଡିଗ୍ରି ପର୍ଯ୍ୟନ୍ତ ରାତ୍ରି ତାପମାତ୍ରା ବୃଦ୍ଧି ଘଟିଛି। ୧୨ ଡିଗ୍ରି ତଳେ ରାତ୍ରି ତାପମାତ୍ରା ଥିବା ସ୍ଥାନଗୁଡ଼ିକ ହେଲା, ଫୁଲବାଣୀ(୭ଡିଗ୍ରି), ଦାରିଙ୍ଗବାଡ଼ି (୭.୫ ଡିଗ୍ରି), କୋରାପୁଟ(୭.୫ ଡିଗ୍ରି), ସୁନ୍ଦରଗଡ଼ (୯.୫ ଡିଗ୍ରି), ଟିଟିଲାଗଡ଼ (୯.୮ ଡିଗ୍ରି), ଭବାନୀପାଟଣା (୧୦ଡିଗ୍ରି), ସୋନପୁର (୧୦.୫ ଡିଗ୍ରି), କେନ୍ଦୁଝର(୧୧ ଡିଗ୍ରି), ବଲାଙ୍ଗୀର (୧୧ ଡିଗ୍ରି), ଅନୁଗୁଳ (୧୧ ଡିଗ୍ରି), ମାଲକାନଗିରି ୧୧.୫ ଡିଗ୍ରି ଓ ଚାନ୍ଦବାଲି(୧୧.୬)। ସେହିଭଳି ଭୁବନେଶ୍ବର ଓ କଟକରେ ରାତ୍ରି ତାପମାତ୍ରା ୧୩ ଡିଗ୍ରି ରେକର୍ଡ ହୋଇଛି।

Advertisment

ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବାଭାବିକ ରାତି ତାପମାତ୍ରା ଓ ବର୍ତ୍ତମାନ ରାତି ତାପମାତ୍ରା ମଧ୍ୟରେ ବ୍ୟବଧାନ ଅଧିକ ରହୁଛି। ସ୍ବାଭାବିକ ରାତି ତାପମାତ୍ରାଠାରୁ ଗୋପାଳପୁରଠାରେ ବର୍ତ୍ତମାନର ରାତି ତାପମାତ୍ରା ୩ଡିଗ୍ରି କମ୍‌ ରହିଥିବା ବେଳେ ଅନୁଗୁଳରେ ୨.୮ ଡିଗ୍ରି, ଚାନ୍ଦବାଲି, ଟିଟିଲାଗଡ଼ ଓ ଭବାନୀପାଟଣାରେ ୨.୬ ଡିଗ୍ରି, ଭୁବନେଶ୍ବରରେ ୨.୨ ଡିଗ୍ରି, ପାରାଦୀପରେ ୨.୧ ଡିଗ୍ରି ଓ କଟକରେ ୧.୩ ଡିଗ୍ରି ଲେଖାଏଁ ତାପମାତ୍ରା କମ୍‌ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟକୁ ବର୍ତ୍ତମାନ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କବାୟୁ ପ୍ରବାହ ଜାରି ରହିଥିବାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଶୀତ ଜାରି ରହିବ ବୋଲି କେନ୍ଦ୍ର କହିଛି।