ମାଲକାନଗିରି: ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଗତବର୍ଷ ଠାରୁ ଚାଲିଛି ଜୋର୍ଦାର ଅପରେସନ୍। ଶକ୍ତି ହରାଇଥିବା ନକ୍ସଲ ସଂଗଠନ ଏବେ ଅସ୍ତିତ୍ବ ଲାଗି ସଂଘର୍ଷ କରୁଛି। ଆଶ୍ରୟ ନେବାକୁ ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି। ଅନ୍ୟପଟେ ଓଡ଼ିଶା ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ୍ ‘ଉଦୟ’। ୨୦୨୪ ମସିହାରେ ଛତିଶଗଡ଼ରେ ୫ଶହରୁ ଊର୍ଦ୍ଧ୍ବ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ୭ଶହରୁ ଊର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ କରିଥିଲେ। ଚଳିତବର୍ଷ ୪୫୦ରୁ ଊର୍ଦ୍ଧ୍ବ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ୫୫୦ରୁ ଊର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ସୁରକ୍ଷାକର୍ମୀଙ୍କୁ ଲଗାତାର ସଫଳତା ମିଳୁଥିବାରୁ ସଂକୁଚିତ ହୋଇଛି ଲାଲ ବାହିନୀ। ଚଳିତବର୍ଷ ଚାରି ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ନିହତ ହେବାପରେ ସଂଗଠନରେ ନେତୃତ୍ବ ସଂକଟ ଦେଖିବାକୁ ମିଳିଛି। ଅଳ୍ପ କିଛି ଟପ୍ କ୍ୟାଡର ଯଦିଓ ଏବେ ସକ୍ରିୟ ରହିଛନ୍ତି, ତେବେ ଯୋଜନା ତଥା ପରବର୍ତ୍ତୀ ନିଷ୍ପତ୍ତି ନେବା ଲାଗି ଏକାଠି ହୋଇପାରୁ ନାହାନ୍ତି।
ଏମିତି ପରିସ୍ଥିତିରେ ଜୀବନ ବଞ୍ଚାଇବା ପାଇଁ ନକ୍ସଲ ଓଡ଼ିଶା ମୁହାଁ ହୋଇଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। ତେବେ ଚଳିତ ମାସରେ ମାଲକାନଗିରି ପୁଲିସ ଦୁଇ ଜଣ ନକ୍ସଲ ଏବଂ କୋରାପୁଟ ପୁଲିସ ଜଣେ ନକ୍ସଲକୁ ଗିରଫ କରିବା ପରେ ଓଡ଼ିଶା ବି ଆଉ ନିରାପଦ ସ୍ଥାନ ହୋଇ ରହି ନାହିଁ। ପୁଣି ଓଡ଼ିଶା ପୁଲିସ ନିକଟରେ କିଛି ନକ୍ସଲ ଆତ୍ମସମର୍ପଣ କରିବା ପରେ ସଂଗଠନର ପ୍ରତ୍ୟେକ ଗତିବିଧି ସଂପର୍କରେ ଆଗୁଆ ସୂଚନା ମିଳିଯାଉଛି। ସଦ୍ୟ ସୂଚନା ଅନୁସାରେ ଛୋଟ ଛୋଟ ଦଳ ହୋଇ ନକ୍ସଲ ଛତିଶଗଡ଼ ଛାଡ଼ୁଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ତଥା ଘଞ୍ଚ ଜଙ୍ଗଲରେ ଲୁଚିଛପି ରହିଛନ୍ତି। ତେଣୁ ଗୁଇନ୍ଦା ସୂଚନା ଆଧାରରେ ମାଲକାନଗିରି ପୁଲିସ ଗୋଟିଏ ତାଲିକା ପ୍ରସ୍ତୁତ କରିଛି। ସେହି ତାଲିକାର ଶୀର୍ଷରେ ରହିଛି କୁଖ୍ୟାତ ନକ୍ସଲ ଉଦୟ। କୁହାଯାଉଛି ଉଦୟ ଏବେ ଓଡ଼ିଶାରେ ରହି କାୟା ବିସ୍ତାର କରିବାକୁ ପ୍ରୟାସ କରୁଛି। ତେଣୁ ମାଲକାନଗିରି ପୁଲିସ ପକ୍ଷରୁ ଅପରେସନ୍କୁ ଜୋର୍ଦାର କରାଯାଇଛି। ହାତ ଗଣତି ସଦସ୍ୟଙ୍କୁ ନେଇ ଉଦୟ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଛି। ଅଧିକାଂଶ ସମୟ ଓଡ଼ିଶା ସୀମାରେ ରହୁଥିଲା ବେଳେ ପୁଲିସ ଅପରେସନ୍ର ଆଭାସ ମିଳିଲେ ଆନ୍ଧ୍ର କିମ୍ବା ତେଲେଙ୍ଗାନା ସୀମାକୁ ଚାଲିଯାଉଛି। ଓଡ଼ିଶାର ମାଥିଲି, କାଲିମେଳା, ପଡ଼ିଆ ଏବଂ ଚିତ୍ରକୋଣ୍ଡା ବ୍ଲକରେ ହିଁ ଉଦୟର ସୁରାକ ମିଳୁଥିବା ଜଣାପଡ଼ିଛି। ଖସିବା ବାଟ ବନ୍ଦ ହୋଇ ଚାଲିଥିବାରୁ ଅତିଶୀଘ୍ର ଉଦୟ ଧରାପଡ଼ିବ ବୋଲି ଆଶା କରାଯାଉଛି। ନକ୍ସଲଙ୍କ ପ୍ରତ୍ୟେକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରହିଥିବା ମାଲକାନଗିରି ଏସ୍ପି ବିନୋଦ ପାଟିଲ ଏଚ୍. ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/vBqEX5J3OOlL4UHIoi5A.jpg)