ପୁରୀ : ଛୁଟିଦିନ ଆସିଲେ, ବଡ଼ଦାଣ୍ତଡରେ ସ୍ଥିତି ଅସମ୍ଭାଳ ହୋଇପଡ଼ୁଛି। ବଡ଼ଦାଣ୍ଡରେ ଗାଡ଼ି ନେବା ତ ଦୂରର କଥା ଚାଲିଚାଲି ଯିବା ବି କଷ୍ଟକର ହୋଇପଡ଼ୁଛି। ତଥାପି ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁନାହିଁ, ପୌର ପ୍ରଶାସନ ବି ଟିକସ ନେଇ ଚୁପ୍‌ ହୋଇବସିଛି। ଫଳସ୍ବରୂପ ଟ୍ରାଫିକ୍‌ ଯନ୍ତ୍ରଣା ଦିନକୁ ଦିନ ବଢ଼ିଚାଲିଛି। ଗତକାଲି ଥିଲା ଶନିବାର। ଆଜି ବଡ଼ଦିନ ଓ ରବିବାର ପଡ଼ୁଥିବା ବେଳେ ଆଗକୁ ନୂଆବର୍ଷ ଆସୁଛି। ତଥାପି ସ୍ଥିତିରେ ସୁଧାର ନ ଆସିବା, ଦଳାଚକଟା ସ୍ଥିତି ଉପୁଯାଇବା ଆଶଙ୍କା ଦେଖାଦେଇଛି। ସେପଟେ ଲୋକେ ବି ଭଗବାନଙ୍କ ଭରସାରେ ବଡ଼ଦାଣ୍ଡରେ ଯାଆସ କରୁଛନ୍ତି।

Advertisment

publive-image

ଗତକାଲି ମାସର ଚତୁର୍ଥ ଶନିବାର ଓ ଆଜି ରବିବାର ଥିବାରୁ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ପ୍ରବଳ ସମାଗମ ହୋଇଛି। ହଜାର ହଜାର ଭକ୍ତ ପୁରୀରେ ଭିଡ଼ ଲଗାଇଛନ୍ତି। ଏମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସମୁଦ୍ର ସ୍ନାନ ସହ ବେଳାଭୂମି ମଜା ନେଇ ଘରକୁ ଫେରୁଛନ୍ତି। କିନ୍ତୁ ଅବ୍ୟବସ୍ଥିତ ଟ୍ରାଫିକ ବ୍ୟବସ୍ଥା ଯୋଗୁ ଏମାନେ ଆଜି କଲବଲ ହୋଇଛନ୍ତି। ସିଂହଦ୍ବାରରୁ ମରିଚିକୋର୍ଟ ରାସ୍ତାରେ ଯା’ଆସ ପାଇଁ ଭିଡ଼ ଭିତରେ ଅଣନିଃଶ୍ବାସୀ ହୋଇଛନ୍ତି। ବେଳାମାର୍ଗ ସ୍ଥିତି ବି ସମାନ। ଯେଉଁ ପାର୍କିଂ ଥିଲା, ତାହା ଖୋଳି ଦିଆଯାଇଥିବାରୁ ଲୋକେ ରାସ୍ତାର ଦୁଇପାର୍ଶ୍ବରେ ଗାଡ଼ି ପାର୍କିଂ କରିଥିଲେ। ଯେଉଁଥିପାଇଁ ଆଜି ବେଳାମାର୍ଗରେ ବି ଚାରିଚକିଆ ଗାଡ଼ିର ଲମ୍ବାଧାଡ଼ି ଲାଗିଥିଲା। ଆଗକୁ ନୂଆବର୍ଷ ରହିଛି। ଲକ୍ଷାଧିକ ଲୋକ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବେ। ଏହା ପୂର୍ବରୁ ମାର୍କେଟ୍‌ ଛକରୁ ସିଂହଦ୍ବାର ଉଠାଦୋକାନୀ, ଅମାନିଆ ଅଟୋ ଚାଳକଙ୍କୁ ହଟାଇ ଭକ୍ତଙ୍କ ପାଇଁ ରାସ୍ତା ପ୍ରଶସ୍ତ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।

publive-image

ଶନିବାର ଦିନ ବଡ଼ଦାଣ୍ଡ ସହ ସିଂହଦ୍ବାରରେ ଏତେ ଭିଡ଼ ହୋଇଥିଲା ଯେ କେତେକ ଶ୍ରଦ୍ଧାଳୁ ସେମାନଙ୍କ ପରିଜନଙ୍କୁ ଖୋଜି ପାଇବାରେ ନୟାନ୍ତ ହୋଇଥିଲେ। ବାଲେଶ୍ବରରୁ ଆସିଥିବା ସୁବାସ ରାଉଳ ତାଙ୍କ ପରିବାରଠାରୁ ଅଲଗା ହେବାର ୪ ଘଣ୍ଟା ପରେ ଯାଇ ପରିବାରକୁ ଖୋଜି ପାଇଥିଲେ। ସେହିପରି କେତେକ ଶ୍ରଦ୍ଧାଳୁ ଭିଡ଼ରେ ଚେତାଶୂନ୍ୟ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା।