ବ୍ୟାସନଗର: ଲଗାତାର ତିନିଦିନ ଧରି ଝଡ଼ପବନ ଓ କୁଆପଥର ମାଡ଼ରେ ବ୍ୟାସନଗର ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଜି ଅପରାହ୍ଣରୁ ଝଡ଼ବତାସ ଆରମ୍ଭ ହୋଇଥିଲା। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିଥିଲା। ମୁଖ୍ୟ ରାସ୍ତାରେ ଏକ ବିରାଟ ଗଛ ଉପୁଡ଼ି ପଡ଼ିଥିଲ। ଗୋପବନ୍ଧୁନଗରରେ ଥିବା ଏକ ସୁରକ୍ଷା ସଂସ୍ଥାର ବିରାଟ ଲାଇଟ ବୋର୍ଡ ଭାଙ୍ଗି ପଡ଼ିଛି। ବହୁ ଦୋକାନ ସାଇନ୍ ବୋର୍ଡ ଭାଙ୍ଗି ରାସ୍ତାରେ ପଡ଼ିଛି। ବ୍ୟାଙ୍କ ଷ୍ଟ୍ରିଟ ମୁଖ୍ୟ ରାସ୍ତାରେ ଥିବା ମିଶ୍ରିଲାଲ ପେଟ୍ରୋଲ ପମ୍ପ ସେଡ୍ (ଛାଉଣି) ଭାଙ୍ଗି ପଡ଼ିଛି। ଏହି ସମୟରେ ଗାଡ଼ିରେ ତେଲ ପକାଉଥିବା ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସେହିପରି ଷ୍ଟାଡିୟମରେ ଚାଲିଥିବା ଦିବାରାତ୍ର ତେଜ୍ ହୋଣ୍ଡା ପ୍ରିମିୟର ଲିଗ୍ର ଆଜି ଫାଇନାଲ ମ୍ୟାଚ୍ ଧୋଇଯାଇଛି। ଦୁଇ ମନ୍ତ୍ରୀ, ଦିଲୀପ ତିର୍କି, ବିଧାୟକ ଅଶୋକ ବଳଙ୍କ ସମେତ ଅଭିନେତ୍ରୀ ଏଲିନା ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ଆଲୋକ ସାଜସଜ୍ଜା ଜୋରଦାର କରାଯାଇଥିଲା। ଝଡ଼ବତାସରେ ତୋରଣ ଭାଙ୍ଗିଯିବା ସହ ଅତିଥିଙ୍କ ପାଇଁ ହୋଇଥିବା ମଞ୍ଚ ଓ ପଡ଼ିଥିବା ସୋଫା ଉଡ଼ିଯାଇଥିଲା। ସେହିପରି କୁଆପଥର ମାଡ଼ରେ ରାସ୍ତାକଡରେ ବସିଥିବା ପରିବା ବ୍ୟବସାୟୀଙ୍କ ପରିବା ରାସ୍ତାରେ ଗଡୁଥିବା ଦେଖିବାକୁ ମିଳିଥିଲା। ତିନିଦିନ ମଧ୍ୟରେ ଝଡ଼ରେ ବ୍ୟାପକ କ୍ଷତି ହୋଇଥିବା ବ୍ୟବସାୟୀମାନେ ସୂଚନା ଦେଇଛନ୍ତି। ଝଡ଼ବତାସ ପ୍ରଭାବରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯିବାରୁ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/28-21.jpg)