ଭୁବନେଶ୍ୱର : ରବିବାରଠାରୁ ସଂଶୋଧିତ ମୋଟର ଯାନ ଆଇନ ଉଲ୍ଲଂଘନକାରୀଙ୍କୁ ଆଉ ନିସ୍ତାର ନାହିଁ। ପୂର୍ବ ଘୋଷଣା ଅନୁସାରେ ସାରା ରାଜ୍ୟରେ ଧରପଗଡ଼ ଜୋରଦାର ହେବ। ଲାଇସେନ୍ସ ତଥା ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ସରକାର ତିନିମାସ ମହଲତ ଦେଇଥିବା ବେଳେ ସଡ଼କ ନିରାପତ୍ତା ଆଇନ ବଳରେ ୧୦ଟି ବିନ୍ଦୁରେ ଧରପଗଡ଼ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନ ଉଲ୍ଲଂଘନ କରି ଧରାପଡ଼ିଲେ ସମସ୍ତ କାଗଜପତ୍ର ଯାଞ୍ଚ ହେବ। କାଗଜପତ୍ର ବୈଧ ନ ଥିଲେ ସଂଶୋଧିତ ମୋଟର ଯାନ ଆଇନ ବଳରେ ମୋଟା ଅଙ୍କର ଜରିମାନା ଆଦୟ ହେବ। ଏପରି ଚେତବାନୀ ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

Advertisment

ଆଜିଠାରୁ ମଦ୍ୟପ ଚାଳକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୦ ଜଣଙ୍କୁ ଗିରଫ କରାଯାଇଛି। ଆସନ୍ତାକାଲିଠାରୁ ଧରପଗଡ଼ ଆହୁରି ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଆର୍‌ଟିଓମାନଙ୍କୁ ଚିଠି ଲେଖିବା ପରେ ଭୁବନେଶ୍ବରର ଦୁଇ ଆର୍‌ଟିଓଙ୍କ ସମେତ ରାଜ୍ୟର ଅନ୍ୟ ଆର୍‌ଟିଓ ଓ ପୁଲିସ ଧରପଗଡ଼ ପାଇଁ ଅଣ୍ଟା ଭିଡ଼ିଛନ୍ତି।

ସଡ଼କ ନିରାପତ୍ତା ଆଇନ ବଳରେ କ’ଣ କ’ଣ ଯାଞ୍ଚ ହେବ ବା କେଉଁ ଉଲ୍ଲଂଘନଗୁଡ଼ିକ ପାଇଁ ଜରିମାନା ଆଦାୟ ହେବ ସେ‌ ନେଇ ଏସ୍‌ଟିଏ ସ୍ପଷ୍ଟ କରିଛି। ନିର୍ଦ୍ଧାରିତ ଗତିଠାରୁ ଅଧିକ ବେଗରେ ଗାଡ଼ି ଚାଳନା, ବିପଦ ସଙ୍କେତ ଡେଇଁବା, ମଦ୍ୟପାନ କରି ଗାଡ଼ି ଚାଳନା, ଟ୍ରାଫିକ୍‌ର ବିପରୀତ ଦିଗରେ ଗାଡ଼ି ଚାଳନା, ବିପଦପୂର୍ଣ୍ଣ ଚାଳନା, ବାଇକ୍‌ରେ ତିନିଜଣ ବସିବା, ହେଲ୍‌ମେଟ୍‌ ନ ପିନ୍ଧିବା, କାର୍‌ରେ ସିଟ୍‌ ବେଲ୍ଟ ନ ପିନ୍ଧିବା ଓ ଓଭରଲୋଡିଂକୁ ସଡ଼କ ନିରାପତ୍ତା ଆଇନ ଉଲ୍ଲଂଘନ ବୋଲି ଧରାଯିବ। ଏହି ସବୁ ଉଲ୍ଲଂଘନ କଲାବେଳେ ଧରାପଡ଼ିଲେ ଗାଡ଼ିର ଅନ୍ୟ ସମସ୍ତ କାଗଜପତ୍ର ଯାଞ୍ଚ ହେବ। ଅନ୍ୟ ସମସ୍ତ କାଗଜପତ୍ର ବୈଧ ନଥିଲେ ମୋଟା ଅଙ୍କର ଜରିମାନା ଆଦାୟ ହେବ ବୋଲି ସ୍ପଷ୍ଟ କରାଯାଇଛି।

ଯେଉଁଠି ଆର୍‌ଟିଓ ବା ପୁଲିସ ଅଧିକାରୀମାନେ ଯାଞ୍ଚ କରନ୍ତି ସେଠାରେ ଟ୍ରାଫିକ୍‌ ସମସ୍ୟା ଉପୁଜିବା ଦେଖାଯାଏ। ଏଣୁ ଏକ ସମୟରେ ଯାଞ୍ଚ ପାଇଁ ସର୍ବାଧିକ ୪ଟି ଗାଡ଼ି ଅଟକାଇବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଯେମିତି ସେହି ସମୟରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇ ଅନ୍ୟ ଯାତ୍ରୀମାନଙ୍କୁ ଅସୁବିଧାରେ ନ ପକାଏ ତାହା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅନେକ ସମୟରେ ଦେଖାଯାଇଛି କି ଆର୍‌ଟିଓ କିମ୍ବା ପୁଲିସ ଅଧିକାରୀମାନେ ରାସ୍ତା ଉପରେ ଛିଡ଼ା ହୋଇ ଯେ କୌଣସି ଗାଡ଼ିକୁ ଅଟକାଇ ଯାଞ୍ଚ କରିବାକୁ ବାଧ୍ୟ କରନ୍ତି। ଏଭଳି ନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁ ଗାଡ଼ି ଉପରେ ସନ୍ଦେହ ହେଉଛି ବା ଚୋରା ଗାଡ଼ି ନେଇ ନିର୍ଦ୍ଦିଷ୍ଟ ସୂଚନା ରହିଲେ ଏଭଳି କରିବା ପାଇଁ କୁହାଯାଇଛି।

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୨୭ ଜଣ ମଦ୍ୟପ ଚାଳକ ଗିରଫ ହୋଇଥିବା ବେଳେ ମାଲାକାନାଗିରିରେ ୨୫, ମୟୂରଭଞ୍ଜରେ ୨୪, ଯାଜପୁରରେ ୧୭, ଅନୁଗୁଳରେ ୧୫, ସୋନପୁରରେ ୯, ରାଉରକେଲାରେ ୭ ଗିରଫ ହୋଇଛନ୍ତି। ସେହିଭଳି କୋରାପୁଟ ଓ ପୁରୀରେ ୭ ଲେଖାଏଁ ଗିରଫ ହୋଇଥିବା ବେଳେ ବ୍ରହ୍ମପୁର ଓ କନ୍ଧମାଳରେ ୪ ଜଣ ଲେଖାଏଁ, ବାଲେଶ୍ବର ଓ ଗଜପତିରେ ୩ ଲେଖାଏଁ, ବୌଦ୍ଧ, ନବରଙ୍ଗପୁର ଓ ସୁନ୍ଦରଗଡ଼ରେ ୨ ଲେଖାଏଁ ଏବଂ ଖୋର୍ଦ୍ଧା ଓ କଟକରେ ଜଣେ ଲେଖାଏଁ ଗିରଫ ହୋଇଛନ୍ତି।