ଭୁବନେଶ୍ବର: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ପରିଲକ୍ଷିତ ହେବ। ବୁଧବାର ସକାଳ ସମୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କୋରାପୁଟ, ରାୟଗଡ଼ା ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ। ଗୁରୁବାର ମଧ୍ୟ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ସୁବର୍ଣ୍ଣପୁର, ବଲାଙ୍ଗୀର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଫେବ୍ରୁଆରି ୧ ଓ ୨ ତାରିଖରେ ଉତ୍ତର ଅଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Advertisment

ଆଜି ସକାଳ ସମୟରେ ଭୁବନେଶ୍ବରରେ ଅତିଘନ କୁହୁଡ଼ି ରହିଥିବାରୁ ଦୂଶ୍ୟମାନ ଦୂରତା ୫୦ ମିଟରରୁ କମ୍‌ ରହିଥିଲା। କୋରାପୁଟ, ରାଉରକେଲା, ଢେଙ୍କାନାଳ, କଟକ, ଅନୁଗୁଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଘନକୁହୁଡ଼ି ହେବାରୁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ଓ ବାରିପଦା, ତାଳଚେର, ଚାନ୍ଦବାଲି ଓ ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାରୁ ଦୃଶ୍ୟମାନ ଦୂରତା ୨୦୦ରୁ ୧୦୦୦ ମିଟର ମଧ୍ୟରେ ରହିଥିଲା। ସିମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୩ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ଜି ଉଦୟଗିରିରେ ୯.୪, ଫୁଲବାଣୀରେ ୧୦, କୋରାପୁଟରେ ୧୦.୨, ବରଗଡ଼ରେ ୧୦.୪, କିରେଇରେ ୧୦.୭, ଦାରିଙ୍ଗବାଡ଼ିରେ ୧୧.୫ ଡିଗ୍ରି ରହିଥିଲା। ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି।