ଭୁବନେଶ୍ବର : ଘନ କୁହୁଡ଼ି ଆସ୍ତରଣରେ ରାଜଧାନୀ। ଯୁଆଡ଼େ ଚାହିଁଲେ କେବଳ କୁହୁଡ଼ି ହିଁ କୁହୁଡ଼ି। ରାସ୍ତାଘାଟ କିଛି ବି ଦୃଶ୍ୟମାନ ହେଉନି। ୧୦ ମିଟର ପରେ ରାସ୍ତା ଦେଖିବା କଷ୍ଟକର ହୋଇପଡ଼ୁଛି। ସ୍ଥାନେ ସ୍ଥାନେ ମୁହଁକୁ ମୁହଁ ବି ଚିହ୍ନି ହେଉନି। ଗୁରୁବାର ରାତି ସାଢ଼େ ୧୧ଟାରୁ ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ଏଭଳି ସ୍ଥିତି ଉପୁଜିଥିବାରୁ ଗାଡ଼ି ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ରାତି ୧୨ଟା ପରେ ବି ସହରରେ ଭାରିଯାନ ଦେଖିବାକୁ ମିଳୁନି। କାଁ ଭାଁ କେତେବେଳେ କେମିତି ଗାଡ଼ି ଗଡ଼ୁଛି। ନ ହେଲେ ନାହିଁ। ଗାଡ଼ି ଚାଳକମାନେ ଜାତୀୟ ରାଜପଥ-୧୬ରେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। କୁହୁଡ଼ି ଛାଡ଼ିଲେ ସେମାନେ ଆଗକୁ ବଢ଼ିବେ ବୋଲି ମତପ୍ରକାଶ କରିଛନ୍ତି। ରାତିରେ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଛାଡ଼ୁଥିବା ଦୂରଗାମୀ ବସ୍ଗୁଡ଼ିକ ମଧ୍ୟ ସମାନ ଅବସ୍ଥାର ସମ୍ମୁଖୀନ ହୋଇଛନ୍ତି। ରାସ୍ତା ଦେଖାଯାଉ ନ ଥିବାରୁ ବସ୍ଗୁଡ଼ିକର ବେଗ ମଧ୍ୟ କମିଯାଇଛି। କଲିକତା, ଝାରସୁଗୁଡ଼ା, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ଅନୁଗୁଳ, ବାଲେଶ୍ବର, ବାରିପଦା, ବ୍ରହ୍ମପୁର, ଦାରିଙ୍ଗବାଡ଼ି, ଫୁଲବାଣୀ, କୋରାପୁଟ ଆଦି ଅଞ୍ଚଳକୁ ଯାଉଥିବା ବସ୍ଗୁଡ଼ିକ ଘଣ୍ଟା ପ୍ରତି ୨୦ରୁ ୩୦ କିମି ବେଗରେ ଗତି କରୁଛି। ଗୋଟିଏ ଗାଡ଼ି ପଛ ଲାଇଟ୍କୁ ଅନୁକରଣ କରି ଆଉ ଗୋଟିଏ ଗାଡ଼ି ଆଗକୁ ବଢ଼ୁଛି। ଯାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଚାଳକମାନେ ସେଥିପ୍ରତି ଧ୍ୟାନ ଦେଉଥିବା କହିଛନ୍ତି। କୁହୁଡ଼ି ମାଡ଼ି ଆସିବାରୁ କେତେକ ବସ୍ ବିଳମ୍ବରେ ବରମୁଣ୍ଡା ବସ୍ଷ୍ଟାଣ୍ତ ଛାଡ଼ିଛନ୍ତି।
ଟ୍ରେନ୍ ଚଳାଚଳ ବି ପ୍ରଭାବିତ ହୋଇଛି। ଅଧିକାଂଶ ଟ୍ରେନ୍ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଚାଲିଥିବାରୁ ବହୁ ଯାତ୍ରୀ ମାଷ୍ଟରକ୍ୟାଣ୍ଟିନ୍ ରେଳଷ୍ଟେସନରେ ଅପେକ୍ଷା କରି ରହିଛନ୍ତି। ଟ୍ରେନ୍ ବେଗର ବି ମନ୍ଥର ହୋଇଛି। ଗୁରୁବାର ସକାଳେ ନିର୍ଗୁଣ୍ଡି ରେଳ ଷ୍ଟେସନରେ ଟ୍ରେନ୍ ଦୂର୍ଘଟଣା ଗସ୍ତ ହୋଇଥିବାରୁ ଆଜି ରାତିରେ ଚଳାଚଳ କରୁଥିବା ଟ୍ରେନ୍ଗୁଡ଼ିକ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଟ୍ରେନ୍ଗୁଡ଼ିକରେ ସ୍ବତନ୍ତ୍ର ଲାଇଟ୍ ବ୍ୟବହାର ସହ ଚାଳକମାନେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ତାହାକୁ ଆଧାର କରି ଟ୍ରେନ୍ ଚାଳକମାନେ ବି ରାତିରେ ସତର୍କତା ଅବଲମ୍ବନ କରୁଥିବା ସୂଚନା ମିଳିଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ। ମଧ୍ୟରାତ୍ରିରେ ଘନ କୁହୁଡ଼ି ମାଡ଼ି ଆସିବାରୁ ଅଧିକାଂଶ ସ୍ଥାନରେ ଭିଜିବିଲିଟି(ଦୃଶ୍ୟମାନତା) ୧୦ ମିଟରଠାରୁ ଅଧିକ ନାହିଁ। ପାହାଡ଼ିଆ ତଥା ଗଛ ଥିବା ଅଞ୍ଚଳରେ କୁହୁଡ଼ି ପରିମାଣ ଅଧିକ ରହିଛି। ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ। ତା’ ପରେ କୁହୁଡ଼ି କମିଲେ ମଧ୍ୟ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ କୁହୁଡ଼ି ଛାଡ଼ିବ ନାହିଁ।