ରାଜଧାନୀରେ ଘନ କୁହୁଡ଼ି : ୩୦ ବିମାନ ବିଳମ୍ବରେ ଆସିଲା, ୨୧ ବିଳମ୍ବରେ ଗଲା, ସକାଳ ୯ଟା ଯାଏ ଉଡ଼ାଣ କରିପାରିଲାନି ବିମାନ

ଭୁବନେଶ୍ବର : ଆଜି ରାଜଧାନୀରେ ଘନ କୁହୁଡ଼ି ପ୍ରଭାବରେ କେତେକ ସ୍ଥାନରେ ଦୃ୍ଶ୍ୟମାନତା (ଭିଜିବିଲିଟି) ୧୦୦ମିଟର ତଳକୁ ଖସି ଯାଇଥିଲା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୃ୍ଶ୍ୟମାନତା ୫୦ ମିଟରକୁ ଖସିଯିବାରୁ ବିମାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଭୁବନେଶ୍ବର ବିମାନବନ୍ଦରରୁ ୨୧ଟି ବିମାନ ବିଳମ୍ବରେ ଉଡ଼ାଣ କରିଥିବାବେଳେ ୩୦ଟି ବିମାନ ବିଳମ୍ବରେ ଅବତରଣ କରିଥିଲା। ଏହିପରି ମୋଟ୍‌ ୫୧ଟି ବିମାନର ଉଡ଼ାଣ ପ୍ରଭାବିତ ହୋଇଥିବା କୁହାଯାଇଛି।

ଆଜି ପୂର୍ବାହ୍ନ ୮ଟା ୩୦ ପର୍ଯ୍ୟନ୍ତ ଭୁବନେଶ୍ବର ବିମାନବନ୍ଦରର ଦୃ୍ଶ୍ୟମାନତା ୫୦ରୁ ୧୦୦ ମିଟର ମଧ୍ୟରେ ଥିଲା। ଫଳରେ ବିମାନ ଅବତରଣ କରିପାରିନଥିଲା। ପୂର୍ବାହ୍ନ ୯ଟା ପାଖାପାଖି ଦୃ୍ଶ୍ୟମାନତା ୧୨୦୦ ମିଟରକୁ ବଢ଼ିବା ପରେ ବିମାନ ଉଡ଼ାଣ ସ୍ବାଭାବିକ ହୋଇଥିଲା। କେବଳ ଭୁବନେଶ୍ବର ବିମାନବନ୍ଦର ନୁହେଁ, ଦେଶର ବିଭିନ୍ନ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁଁ ଏଠାକୁ ବିମାନଗୁଡ଼ିକ ବିଳମ୍ବରେ ଆସିଥିଲା। ଆଜି ଦିନତମାମ୍ ୧୫ମିନିଟରୁ ଆରମ୍ଭ କରି ତିନି ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବରେ ବିମାନଗୁଡ଼ିକ ଉଡ଼ାଣ କରିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ସକାଳ ୯ଟା ୧୫ ମଧ୍ୟରେ ବେଙ୍ଗାଲୁର, ଗୁଆହାଟି, ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀ ଯିବାକୁ ଥିବା ବିମାନ ଉଡ଼ାଣ ବିଳମ୍ବ ହୋଇଥିଲା। ସେହିପରି ଏହି ସମୟ ମଧ୍ୟରେ ଭୁବନେଶ୍ବରକୁ କୋଲକତା, ବେଙ୍ଗାଲୁର, ଦିଲ୍ଲୀ, ରାଞ୍ଚିରୁ ଆସିବାକୁ ଥିବା ବିମାନଗୁଡ଼ିକ ବି ଧାର୍ଯ୍ୟ ସମୟରେ ଅବତରଣ କରିପାରିନଥିଲା। ସକାଳ ବେଳା ବିମାନ ଉଡ଼ାଣ ପ୍ରଭାବିତ ହେବାରୁ ଦେଶର ବିଭିନ୍ନ ସ୍ଥାନରୁ ଯଥା ଚେନ୍ନାଇ, ମୁମ୍ବାଇ, ଦିଲ୍ଲୀ ଆଦି ସହରକୁ ଯିବାକୁ ଥିବା ବିମାନଗୁଡ଼ିକ ବିଳମ୍ବରେ ଉଡ଼ାଣ କରିଥିଲା। ଅଧାରୁ ଅଧିକ ବିମାନ ବିଳମ୍ବରେ ଉଡ଼ାଣ କରିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।

ସମ୍ବନ୍ଧିତ ଖବର