କୁହୁଡ଼ି ଆହୁରି ୪୮ଘଣ୍ଟା

୭ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି, ୨୦୦ ମିଟର ପରେ ଦୃଶ୍ୟମାନ ହେବନି

ଭୁବନେଶ୍ବର : ଆହୁରି ୪୮ ଘଣ୍ଟା କଲବଲ କରିବ କୁହୁଡ଼ି। ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ କୁହୁଡ଼ି ହେବ। ସନ୍ଧ୍ୟା ୭ଟାରୁ କୁହୁଡ଼ି ଆରମ୍ଭ ହୋଇ ଧୀରେ ଧୀରେ ତାହା ବୃଦ୍ଧି ପାଇବ। ମଧ୍ୟ ରାତି ବେଳକୁ କୁହୁଡ଼ି ଅସହ୍ୟ ହୋଇପଡ଼ିବ। ରାସ୍ତାରେ ଯିବା କଷ୍ଟକର ହୋଇପଡ଼ିବ। ୨୦୦ ମିଟର ପରେ ଆଉ କିଛି ଦୃଶ୍ୟମାନ ହେବନି।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଖୋର୍ଧା, ପୁରୀ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁରରେ ପ୍ରବଳ କୁହୁଡ଼ି ହେବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ରାତି ୯ଟାରୁ ସକାଳ ୧୧ଟା ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ଅଧିକ ପରିଲକ୍ଷିତ ହେବ। ଅନ୍ୟ ଅଞ୍ଚଳ ଅପେକ୍ଷା କଟକ-ଭୁବନେଶ୍ବରରେ ସ୍ଥିତି ଟିକିଏ ଭଲ ରହିବ। ଏହି ଦୁଇ ସହରରେ ରାତି ୧୧ଟା ପର୍ଯ୍ୟନ୍ତ ଅଧିକ ଗାଡ଼ି ଚଳାଚଳ କରୁଥିବାରୁ କୁହୁଡ଼ିର ମାତ୍ରା ଏତେ ରହିବନି। କିନ୍ତୁ ଭୋର ସମୟରେ ଅଧିକ ପ୍ରଭାବ ପଡ଼ିବ। ଜାତୀୟ ରାଜପଥ ୧୬ରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ୨୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ପଡ଼ିବ। ୨୪ ତାରିଖ ବେଳକୁ ପାଗରେ ସାମାନ୍ୟ ପରିବର୍ତନ ହୋଇପାରେ। କୁହୁଡ଼ି ମାତ୍ରା କମିବା ସହ ରାତିର ତାପମାତ୍ରା ଗୋଟିଏ ଦୁଇ ଡିଗ୍ରି ବଢ଼ିବ।

ଅନ୍ୟପକ୍ଷରେ କୁହୁଡ଼ି ପଡ଼ୁଥିବାରୁ ଉପକୂଳ ଓଡ଼ିଶାରେ ପାରଦ ସାମାନ୍ୟ ବୃଦ୍ଧି ପାଇଛି। ଆଗଭଳି ଥଣ୍ଡା ହେଉ ନାହିଁ। ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ଇତିମଧ୍ୟରେ ୧୪ ଡିଗ୍ରି ଟପିଥିବା ବେଳେ କଟକ ୧୨ ଡିଗ୍ରି ପାର ହୋଇଛି। ପୁରୀ, ଗୋପାଳପୁର, ପାରାଦୀପରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଟପିଛି। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ରହିଥିଲା। ଏହା ତଳକୁ ଅନୁଗୁଳରେ ୮.୮, ସମ୍ବଲପୁରରେ ୯, ଝାରସୁଗୁଡ଼ାରେ ୯.୧, ସୋନପୁରରେ ୯.୨, ଭବାନୀପାଟଣା ଓ ଟିଟିଲାଗଡ଼ରେ ୯.୫, କେନ୍ଦୁଝରରେ ୯.୬ ଡିଗ୍ରି ଥିଲା।

ପାଣିପାଗ ବିଶେଷଜ୍ଞ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ଭୁବନେଶ୍ବର ସମେତ ଉପକୂଳ, କେନ୍ଦ୍ରୀୟ ଓଡ଼ିଶାରେ ତଥା‌ ଉତ୍ତର ଓଡ଼ିଶାରେ କୁହୁଡ଼ି ଜାରି ରହିବ। ଅନୁମାନ କରାଯାଉଛି ଯେ ଏହି କୁହୁଡ଼ି ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଉପକୂଳବର୍ତୀ ଅଞ୍ଚଳରେ ଲାଗିରହିବ। ସୂର୍ଯ୍ୟୋଦୟ ପରେ ମଧ୍ୟ ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବ। ତେବେ ୨୫ ଓ ୨୬ ତାରିଖରେ କୁହୁଡ଼ିର ମାତ୍ରା କମିବ। ହେଲେ ରାତିରେ କୁହୁଡ଼ି ଜାରି ରହିବ। ସକାଳ ହେବା ପରେ ଆଉ ଘନ କୁହୁଡ଼ି ରହିବନି। ୨୭ ତାରିଖ ପରେ ଉପକୂଳବର୍ତ୍ତୀ ଅଞ୍ଚଳରେ କୁହୁଡ଼ି ଆଶଙ୍କା ନାହିଁ। ଏହି ସମୟରେ ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ମଧ୍ୟ କୁହୁଡ଼ିର ସମ୍ଭାବନା ନାହିଁ। କିନ୍ତୁ ପଶ୍ଚିମ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଜଳାଶ୍ରୟ, ପୋଖରୀ, ନଦୀ ଓ ଜଙ୍ଗଲରେ କୁହୁଡ଼ି ରହିବ। ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ତାପମାତ୍ରା କ୍ରମଶଃ ବଢ଼ିବ। ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବାରେ। ୨୫ ତାରିଖ ଦିନ ମେଘୁଆ ପାଗ ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହୋଇପାରେ। ଯଦି ଏଭଳି ହୁଏ ତେବେ ଦିନର ତାପମାତ୍ରା କମିବା ସହ ରାତିରେ ଥଣ୍ଡା ଲାଗି ରହିବ ବୋଲି ସେ କହିଛନ୍ତି।

କୁହୁଡ଼ି ହେବା ସମ୍ପର୍କରେ ପ୍ରଫେସର ପଶୁପାଳକ କହିଛନ୍ତି ଯେ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ରହୁଛି। ରାତିର ତାପମାତ୍ରା କମିଲେ ବାୟୁର ଆଦ୍ରତା ବଢ଼ିଥାଏ ଓ ଜଳୀୟ ବାଷ୍ପ ଧାରଣା କ୍ଷମତା ବଢ଼େ। ସର୍ବନିମ୍ନ ତାପମାତ୍ରା ବହୁତ କମିଲେ ତାହା ଶୀଶିରାଙ୍କ(ଡ୍ୟୁ ପଏଣ୍ଟ)ରେ ପହଞ୍ଚେ ଓ ବାୟୁର ଜଳୀୟବାଷ୍ପ ଜଳୀୟକଣାରେ ପରିଣତ ହୁଏ। ଏହି କ୍ଷୁଦ୍ର କ୍ଷୁଦ୍ର ଜଳୀୟକଣା ବାୟୁରେ ଭାଷମାନ ଅବସ୍ଥାରେ ରହିଥାନ୍ତି। ଯାହାକି କୁହୁଡ଼ି ସୃଷ୍ଟି କରିଥାନ୍ତି। ପୂର୍ବଦିନ ପାଗ ଖରାଟିଆ, ମେଘମୁକ୍ତ ରାତି ଓ ବାୟୁର ବେଗ ବେଶି ନ ରହିଲେ ପରଦିନ କୁହୁଡ଼ି ହୋଇଥାଏ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର