ଆଉ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଘନ କୁହୁଡ଼ି, ୨୩ରୁ କେତେକ ସ୍ଥାନରେ ବର୍ଷା

ଭୁବନେଶ୍ବର : ଏବେ ଦକ୍ଷିଣ-ପୂର୍ବ ଦିଗରୁ ପବନ ବହୁଛି। ସମୁଦ୍ରରୁ ଜଳୀୟବାଷ୍ପ ସ୍ଥଳଭାଗକୁ ଆସୁଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ହେଉଛି। ଆଗକୁ ୫ଦିନ ଏହିପରି ଘନ କୁହୁଡ଼ି ଜାରି ରହିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଏବଂ ଆଜି ସକାଳୁ ରାଜ୍ୟର ବହୁ ସ୍ଥାନରେ ଦୃଶ୍ୟମାନତା(ଭିଜିବିଲିଟି) ୫୦ମିଟରକୁ ଖସି ଯାଇଥିଲା। ଭୁବନେଶ୍ବର, ଚାନ୍ଦବାଲି, ପାରାଦୀପ, ଅନୁଗୁଳ ଆଦି ସ୍ଥାନରେ ଦୃଶ୍ୟମାନତା ୫୦ମିଟର ତଳେ କମ୍‌ ଥିଲା। କଟକରେ ୨୦୦ରୁ ୨୫୦ମିଟର, ଗୋପାଳପୁରରେ ୨୦୦ମିଟର, ସୁନ୍ଦରଗଡ଼ରେ ୨୦୦ମିଟର, ବାଲେଶ୍ବରରେ ୮୦୦ରୁ ୧କିମି, ଦାରିଙ୍ଗବାଡ଼ିରେ ୮୦୦ରୁ ୧କିମି, ନୟାଗଡ଼ରେ ୨୦୦ମିଟରରୁ କମ୍‌ ମଧ୍ୟରେ ଦୃଶ୍ୟମାନତା ରହିବାରୁ ଜନଜୀବନ ପ୍ରବାହିତ ହୋଇଥିଲା। ଏହିଭଳି ଘନ କୁହୁଡ଼ି ଆସନ୍ତା ୨୩ତାରିଖ ପର୍ଯ୍ୟନ୍ତ ଲାଗିରହିବ ବୋଲି ପାଣିପାଗ ବିଭାଗ କହିଛି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ରବିବାର ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟ‌ାଗଡ଼, ଗଞ୍ଜାମ, କନ୍ଧମାଳ, ସୁନ୍ଦରଗଡ଼ ଜିଲ୍ଲାରେ, ସୋମବାର ଖୋର୍ଦ୍ଧା, ପୁରୀ, ଭଦ୍ରକ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର, ମଙ୍ଗଳବାର ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କୋରାପୁଟରେ ବୁଧବାର ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, କୋରାପୁଟ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଯାଜପୁର, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ସୁନ୍ଦରଗଡ଼ରେ ଗୁରୁବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳରେ ଘନ କୁହୁଡ଼ି ପଡ଼ିବ। ଅପରପକ୍ଷେ ୨୩ତାରିଖରୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ଅଛି। େସହିପରି ଆଜି ତାଳଚେରରେ ରାଜ୍ୟର ସବୁଠୁ କମ୍‌ ସର୍ବନିମ୍ନ ତାପମାତ୍ରା ୯.୮ଡିଗ୍ରି ରେକର୍ଡ ହୋଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ୧୫ଡିଗ୍ରି ତଳେ ରହିଛି।

ସମ୍ବନ୍ଧିତ ଖବର