ତତଲା କଡ଼େଇରେ କଳିଙ୍ଗନଗର: ୪୩ ଡିଗ୍ରି ତାପମାତ୍ରାରେ ଶ୍ରମିକ, କର୍ମଚାରୀ ଛଟପଟ

ତତଲା କଡ଼େଇରେ କଳିଙ୍ଗନଗର: ୪୩ ଡିଗ୍ରି ତାପମାତ୍ରାରେ ଶ୍ରମିକ, କର୍ମଚାରୀ ଛଟପଟ

CNBCTV18.com

ଯାଜପୁର: ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଜି ସର୍ବାଧିକ ତାପମାତ୍ର ୪୩ ଡିଗ୍ରି ଛୁଇଁଛି। ତେରଟି ଇସ୍ପାତ କାରଖାନା ସହିତ ତିନି ତିନିଟି ବୃହତ ସିମେଣ୍ଟ କାରଖାନା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ପ୍ରଦୂଷିତ କରିଛି। ଏବେ ଗ୍ରୀଷ୍ମପ୍ରବାହ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ତତଲା କଡ଼େଇରେ ପରିଣତ କରିଛି। ଏକାଧିକ ଶିଳ୍ପାନୁଷ୍ଠାନ ପରିବେଶ ସୁରକ୍ଷା ପାଇଁ ସବୁଜ ବଳୟ ନାମରେ ସିଏସଆର ଅନୁଦାନରୁ କୋଟିକୋଟି ଟଙ୍କା ବ୍ୟୟ କରିଥିବାର କାଗଜପତ୍ରରେ ଦର୍ଶାଇଛନ୍ତି। କାଗଜପତ୍ରରେ ଲକ୍ଷାଧିକ ‌ଗଛ ଲାଗିଥିବା ବେଳେ ପ୍ରକୃତପକ୍ଷେ ସେପରି ବନୀକରଣ ନାହିଁ। ସେହିପରି ଜଙ୍ଗଲ ବିଭାଗ ପକ୍ଷରୁ ମଧ୍ୟ ବନୀକରଣ ନାମରେ କୋଟିକୋଟି ଟଙ୍କା ମିଥ୍ୟା ବିଲ୍ କରାଯାଉଛି। ଏହାକୁ ନେଇ ବାରମ୍ବାର ପରିବେଶବିତ୍ ଉଦ୍‌ବେଗ ପ୍ରକାଶ କରୁଥିଲେ ହେଁ କାର୍ଯ୍ୟନୁଷ୍ଠାନ ଶୂନ।

ପ୍ରକାଶ ଥାଉକି ସମଗ୍ର ରାଜ୍ୟରେ ଗ୍ରୀଷ୍ମପ୍ରବାହ ଲାଗି ରହିଥିବା ବେଳେ ଯାଜପୁର ଜିଲ୍ଲାରେ ଏହାର ପ୍ରଭାବ ସଙ୍ଗିନ ସ୍ଥିତି ସୃଷ୍ଟି କରିଛି। ଗତ ୪ଦିନ ମଧ୍ୟରେ ୪ଜଣ ଲୋକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଛି। କୋରେଇ ବ୍ଲକ୍ କନ୍ତୋର ପଞ୍ଚାୟତ ଜଳନ୍ଦା ଗ୍ରାମର ଶ୍ରମିକ କାଠି ଜେନା (୬୨) ଆଜି କାମ କରୁଥିବା ବେଳେ ଟଳି ପଡ଼ିଥିଲେ। ସେହିପରି ବୈରୀ ଥାନା ଅନ୍ତର୍ଗତ ଝାଟିଆସାହି ନିକଟରେ ଗଛ ତଳେ ଗତକାଲି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ତାଙ୍କର ପରିଚୟ ମିଳିପାରି ନାହିଁ। ସେହିପରି ଗତକାଲି ରସୁଲପୁର ବ୍ଲକ୍‌ର ପ୍ରସିଦ୍ଧ ସିଂହାପୁର ଯାତ୍ରାରେ ପଶ୍ଚିମବଙ୍ଗ ମେଦିନାପୁର ଶପ ବ୍ୟବସାୟୀ ମଦନ ମୋହନ ମେକାପ(୬୫)ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଛି। ଗତ ୧୫ତାରିଖରେ ବଡ଼ଚଣାର ବଡ଼ଘୁମୁରି ପଞ୍ଚାୟତ ପାଇକରାପୁର ଗ୍ରାମର ପୁରୁଷୋତ୍ତମ ସାହୁ(୫୧) ଏକ କୁକୁଡ଼‌ା ଫାର୍ମ‌‌ରେ କାମ କରୁଥିବା ବେଳେ ଟଳିପଡ଼ିଥିଲେ। ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବା ବେଳେ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡାକଡ଼ି ନିୟମ ଲାଗୁ କରାଯାଇନାହିଁ। ଯାହା ଫଳରେ ଦିନ ତମାମ ଶ୍ରମିକମାନେ କାମ କରୁଛନ୍ତି। ଏପରିକି ଶହଶହ ଇଟାଭାଟି ମଧ୍ୟ ଜଳୁଛି। ସେହିପରି ଭୂତଳ ଜଳକୁ ଶିଳ୍ପାନୁଷ୍ଠାନ ଓ ଠିକାଦାରମାନେ ନର୍ମାଣ ଓ ଶିଳ୍ପ କାମରେ ବ୍ୟବହାର କରୁଛନ୍ତି। ଜନସାଧାରଣ ମଧ୍ୟ ପିଇବା ପାଣି ପାଇଁ ଡହଳବିକଳ ହେଉଥିବାର ଦେଖିବାକୁ ମିଳୁଛି। ଏହା ଉପରେ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe