ଲଘୁଚାପ ପ୍ରଭାବରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୯ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତକାଲି ସୃଷ୍ଚି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଆହୁରି ଘନୀଭୂତ ହୋଇ ଏକ ଓ୍ବେଲମାର୍କଡ୍ ବା ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହାର କିଛି ଅଂଶ ଏବେ ସମୁଦ୍ରରେ ଓ ଆଉ କିଛି ଅଂଶ ଓଡ଼ିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼ ଉପରେ ରହିଛି । ଆସନ୍ତା ୪୮ ଘଣ୍ଟାରେ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ଓଡ଼ିଶା, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଦେଇ ରାଜସ୍ଥାନ ଆଡ଼କୁ ଗତି କରିବ ।
ଭାରତୀୟ ପାଣିପାଗ ବିଭାଗର ବୁଲେଟିନ ମୁତାବକ ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୨୩ ରୁ ୨୫ ତାରିଖ ପର୍ୟ୍ୟନ୍ତ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଓଡ଼ିଶାର ୯ଟି ଜିଲ୍ଲା ସୁନ୍ଦରଗଡ଼,ଦେବଗଡ଼,ଝାରସୁଗୁଡ଼ା, ସୋନପୁର, କେନ୍ଦୁଝର, ସମ୍ବଲପୁର, ବରଗଡ଼,ବଲାଙ୍ଗୀର, ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ଏ ସବୁ ଜିଲ୍ଲା ଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଂଚଳରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟରକୁ ବୃଦ୍ଧି ପାଇପାରେ । ଲଘୁଚାପ ପ୍ରଭାବରେ ଆଗାମୀ କିଛି ଦିନ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବିଭାଗ ପକ୍ଷରୁ ସତର୍କ କରାଇଦିଆଯାଇଛି ।

ସମ୍ବନ୍ଧିତ ଖବର