ହୀରାକୁଦ ଡ୍ୟାମ୍‌ରୁ ଖୋଲିଲା ୧୦ ଗେଟ୍‌, ସମ୍ଭାବିତ ବନ୍ୟା ନେଇ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କଲେ ଏସ୍‌ଆରସି

ଭୁବନେଶ୍ୱର/ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଗୁରୁବାର ସନ୍ଧ୍ୟାରେ ଆଉ ୪ଟି ଗେଟ୍‌ ଖୋଲାଯାଇଛି। ଏହି ୪ଟି ଗେଟ୍‌ ଖୋଲାଯିବା ପରେ ଏବେ ଜଳଭଣ୍ଡାରର ୧୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ସୂଚନା ଅନୁସାରେ ଏବେ ଜଳଭଣ୍ଡାରକୁ ୧ ଲକ୍ଷ ୪୮ ହଜାର ୬୨୧ କ୍ୟୁସେକ ଜଳ ପ୍ରବେଶ କରୁଛି। ଅପରପକ୍ଷେ ଏହି ବନ୍ଧର ସର୍ବୋଚ୍ଚ ଜଳଧାରଣ କ୍ଷମତା-୬୩୦ ଫୁଟ୍‌। ଗୁରୁବାର ସନ୍ଧ୍ୟାରେ ଡ୍ୟାମ୍‌ର ଜଳସ୍ତର-୬୨୫.୮୯ ଫୁଟ୍‌ ଥିଲା।

ସମ୍ଭାବିତ ବନ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ସ୍ୱତନ୍ତ୍ର ବିପର୍ଯ୍ୟୟ କମିସନର କିଛି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିଛନ୍ତି। ସେହିଭଳି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମଧ୍ୟ ଆଗାମୀ ୪୮ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି।

ଏସ୍‌ଆରସି ଗୁରୁବାର ଗଂଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ବରଗଡ଼, ସୋନପୁର, ବୌଦ୍ଧ, ଗଜପତି, ପୁରୀ, କୋରାପୁଟ, ବଲାଙ୍ଗୀର, ରାୟଗଡ଼ା ଓ ନୂଆପଡ଼ା ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରି ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷିତ ଆଶ୍ରୟସ୍ଥଳ, ଆବଶ୍ୟକ ଖାଦ୍ୟ ସାମଗ୍ରୀ, ପିଇବା ପାଣି, ସ୍ୱାସ୍ଥ୍ୟ ସବିଧା, ରିଲିଫ କେନ୍ଦ୍ର ବ୍ୟବସ୍ଥା କରିବାକୁ ସତର୍କ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର