ଭୀଷଣ ବର୍ଷିବ : ୮ ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ, ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦେଶ

୪୮ ଘଣ୍ଟାରେ ଅବପାତ ରୂପ ନେବ ଲଘୁଚାପ, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ, ବହୁ ସ୍ଥାନରେ ୨୦୦ ମିମିରୁ ଅଧିକ ବର୍ଷା ସମ୍ଭାବନା

ଭୁବନେଶ୍ବର : ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ପ୍ରଭାବରେ ଆଜିଠାରୁ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଉତ୍ତର ଓ ଉପକୂଳ ଓଡ଼ିଶା ସମେତ କେନ୍ଦ୍ରୀୟ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ରାତି ସୁଦ୍ଧା ଗୋଟିଏ ଦୁଇଟି ସ୍ଥାନରେ ଭୀଷଣ ବର୍ଷା ହୋଇଥିବା ଜଣାପଡ଼ିଛି। ତେବେ ଲଘୁଚାପ ଅଧିକ ଘନୀଭୂତ ହେଉଥିବାରୁ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ଓ ସ୍ଥାନେସ୍ଥାନେ ଭୀଷଣ ବର୍ଷା ହୋଇପାରେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ୮ଟି ଜିଲ୍ଲା ପାଇଁ ରେଡ୍‌ ‌୍ଆଲର୍ଟ ଜାରି କରିଛି। ଏଥିସହ ବର୍ଷା ଜନିତ ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ସୃଷ୍ଟି ହୋଇଥିବା ଲଘୁଚାପ ଦକ୍ଷିଣ ପଶ୍ଚିମ ଆଡ଼କୁ ଅଗ୍ରସର ହେଉଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇ ଓଡ଼ିଶା ଅତିକ୍ରମ କରିବ। ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ। ଜୁଲାଇ ୧ ଓ ୨ରେ ଛଡ଼ିଶଗଡ଼ ଓ ବିଦର୍ଭ ଆଡ଼କୁ ଅଗ୍ରସର ହୋଇ ଭୀଷଣ ବର୍ଷା କରାଇବ। ଏଥିସହ ୨ ଓ ୩ ତାରିଖରେ ପୂର୍ବ ମଧ୍ୟପ୍ର‌ଦେଶ, ଜୁଲାଇ ୨ରେ ତେଲେଙ୍ଗାନାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଜୁଲାଇ ୩ରୁ କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ମରାଠୱାଡା, ଗୁଜୁରାଟ, ପୂର୍ବ ରାଜସ୍ଥାନ, ପଶ୍ଚିମ ମଧ୍ୟପ୍ରଦେଶରେ ବି ବର୍ଷା‌ ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଜୁଲାଇ ୨ ଯାଏ ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ। ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌. ଆର୍‌ ବିଶ୍ବାସ କହିଛନ୍ତି ଯେ ଲଘୁଚାପ ପ୍ରଭାବରେ ସୋମବାରଠାରୁ ଅଧା ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ। ସମ୍ବଲପୁର, ଦେବଗଡ଼, ସୋନପୁର, ଅନୁଗୁଳ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଢ଼େଙ୍କାନାଳ ଜିଲ୍ଲାରେ ଭୀଷଣ ବର୍ଷା ଲାଗି ରହିବ। ୨୦୦ ମିମି ଅର୍ଥାତ୍‌ ୨୦ ସେମିରୁ ଅଧିକ ପରିମାଣର ବର୍ଷା ହୋଇପାରେ। ତାହାକୁ ଦୃଷ୍ଟିରେ ରଖି ଉକ୍ତ ଜିଲ୍ଲାଗୁଡ଼ିକ ଲାଗି ରେର୍ଡ ଆଲର୍ଟ ଜାରି ହୋଇଛି। ପ୍ରଶାସନ ପ୍ରସ୍ତୁତ କରିବା ସହ ଏ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରରେ ବି ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ। ଜୁଲାଇ ୨ ପରେ ପାଗରେ ସାମାନ୍ୟ ପରିବର୍ତନ ଆସିବ। ତଥାପି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେପଟେ ବଡ଼ ବର୍ଷାକୁ ଦେଖି ରାଜ୍ୟ ପ୍ରଶାସନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ଜୁଲାଇ ୧ରୁ ୩ ତାରିଖ ପର୍ଯ୍ୟନ୍ତ କେଉଁ ଜିଲ୍ଲାରେ କିଭଳି ବର୍ଷା ହେବ, ତାହାର ସମ୍ଭାବ୍ୟ ତାଲିକା ଦିଆଯାଇଛି। କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି ଓ ବା‌ଲେଶ୍ବରର ଜିଲ୍ଲାପାଳମାନେ ‌ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି। ବିଶେଷକରି ବର୍ଷା ଜନିତ ବନ୍ୟା ଓ ଜଳ ନିଷ୍କାସନ ପରି ସମସ୍ୟା ହେବାର ଆଶଙ୍କା ରହିଛି। ଲୋକେ ଜଳବନ୍ଦୀ ହୋଇପାରନ୍ତି। ତେଣୁ ଏ ଦିଗରେ ପଦ‌କ୍ଷେପ ନେବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ବିଷ୍ଣୁପଦ ସେଠୀ ପରାମର୍ଶ ଦେଇଛନ୍ତି।

ଲଘୁଚାପ ସୃଷ୍ଟି ହେବା ପରେ ଆଜି ଅପରାହ୍‌ଣଠାରୁ ସବୁ ଜିଲ୍ଲାରେ ବର୍ଷା ପରିମାଣ ବଢ଼ିଛି। ଗତ ୨୪ ଘଣ୍ଟା ହେଲା ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିଛି। କେନ୍ଦ୍ରୀୟ ଓଡ଼ିଶାର କେତେକ ସ୍ଥାନରେ ବି ପ୍ରବଳ ବର୍ଷା ହୋଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା‌ ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ସୁଦ୍ଧା ବା‌ଲେଶ୍ବରରେ ୨୮.୬ ମିମି ବର୍ଷା ହୋଇଛି। ଏହାବ୍ୟତୀତ ଚାନ୍ଦବାଲିରେ ୨୩.୬ ମିମି, ଅନୁଗୁଳରେ ୧୬.୬, ବାରିପଦାରେ ୧୫.୬, କୋରାପୁଟରେ ୯.୨ ମିମି ବର୍ଷା ହୋଇଛି। ଅପରାହ୍‌ଣଠାରୁ କଟକ, ପୁରୀ, ଭୁବନେଶ୍ବର, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ମା‌ଲକାନଗିରି, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, କୋରାପୁଟରେ ବର୍ଷା ପରିମାଣ ବଢ଼ିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର