ଭଦ୍ରକ: ଦୁଇ ଦିନଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ଭଦ୍ରକ ସହରର ତଳିଆ ଅଞ୍ଚଳ ଓ କଲୋନିରେ ବର୍ଷା ଜଳ ବୁଡ଼ି ରହିଛି। ରାସ୍ତାଘାଟ ସବୁ ପାଣିରେ ବୁଡ଼ି ଯାଇଛି। ଅନେକ ସ୍ଥାନରେ ଡ୍ରେନ୍‌ର ମଇଳା ପାଣି ସବୁ ଲୋକଙ୍କ ଘରେ ପଶିଛି। ଭଦ୍ରକ ପୌରପାଳିକାର ୩୦ ୱାର୍ଡ ମଧ୍ୟରୁ ଅଧିକାଂଶ ୱାର୍ଡରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଭଦ୍ରକ ସହରର ପୁରୁଣା ବଜାର ଓ ଚରମ୍ପା ଅଞ୍ଚଳର ଥିବା ୱାର୍ଡ ଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡିଛି। ବୁଧବାର ଦିନ ତମାମ ବର୍ଷା ଯୋଗୁଁ ଭଦ୍ରକ ସହରରେ ଦୋକାନ ବଜାର  ଖାଁ ଖାଁ ଲାଗୁଥିଲା।
Advertisment
publive-image
ସେହିପରି ଭଦ୍ରକର ସହର ତଳି ଅଞ୍ଚଳ ଗେଲପୁର, ସାମରାଇଲୁର, ଆରଡିଛକ, କଲ୍ୟାଣୀ ନଗର, ମହତାବ ନଗର, ଆଚାର୍ଯ୍ୟ ନଗର, ବିଜୁ ପଟ୍ଟନାୟକ ନଗର, ଧରିତ୍ରୀ ନଗର, କୈବଲ୍ୟ ନଗର ଆଦି ଅଞ୍ଚଳରେ ବର୍ଷା ଜଳ ଲୋକଙ୍କ ଘରେ ପଶିଛି। ରାସ୍ତା ଉପରେ ବର୍ଷା ଜଳର ସୂଅ ଛୁଟୁଛି। ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡିଛି। ବର୍ଷା ଯୋଗୁଁ ଭଦ୍ରକ ବ୍ଲକ ଅନ୍ତର୍ଗତ ଦୈଶିଂ ପଞ୍ଚାୟତର ଚଢ଼େଇଆ ଗ୍ରାମରେ ମୁଖ୍ୟ ରାସ୍ତା ଉପରେ ଏକ ବିରାଟ ଗଛ ଉପୁଡ଼ି ପଡିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା।  ପ୍ରଶାସନର ହସ୍ତକ୍ଷେପ ପରେ ଏକ ସ୍ବତନ୍ତ୍ର ଟିମ ଘଟଣା ସ୍ଥଳକୁ ଯାଇ ଗଛ କଟା ଯିବା ପରେ ସନ୍ଧ୍ୟା ପରେ ଲୋକମାନେ ଏଇ ରାସ୍ତାରେ ଗମନ କରିଥିଲେ। ବର୍ଷା ଓ ପବନରେ ଯୋଗୁଁ ଅନେକ ଗଛ ଉପୁଡ଼ି ପଡ଼ିଥିବାରୁ ବେଳେ ଅନେକ କଚ୍ଚା ଘର ଭାଙ୍ଗି ଯାଇଛି। ଦିନ ତମାମ ବର୍ଷା ସାଙ୍ଗକୁ ବିଜୁଳି କାଟ ଲୋକଙ୍କୁ ଅତିଷ୍ଠ କରିଛି।