ବୀରମହାରାଜପୁର: ଲଗାଣ ବର୍ଷାର ପ୍ରଭାବରେ ସୁବର୍ଣ୍ଣପୁର ଜିଲ୍ଲାବାସୀ ପ୍ରଭାବିତ ହୋଇଛନ୍ତି। ଗତ ଦୁଇଦିନ ହେଲା ଜିଲ୍ଲାରେ ତୁହାକୁ ତୁହା ବର୍ଷା ହେବା ଫଳରେ ଲୋକେ ବିଭିନ୍ନ ସ୍ଥାନରେ ଯାତାୟତ ନେଇ ଅସୁବିଧାର ସାମ୍ନା କରୁଛନ୍ତି। ଏହାରି ମଧ୍ୟରେ ବୁଧବାର ପୂର୍ବାହ୍ଣରେ ବୀରମହରାଜପୁର ଉପଖଣ୍ଡର ହରିହର ଜୋର୍ ଜଳ ସେଚନ ପ୍ରକଳ୍ପରୁ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇଛି। ଫଳରେ ହରିହର ଯୋରରେ ଜଳସ୍ତର ବଢ଼ିଛି। ଭୁତିଆପାଲି ଓ ଲୁତୁରପଙ୍କ ମଝିରେ ଥିବା ଘୁଂଗିଯୋର ପୋଲ ଉପରେ ଆଜି ଦିନ ସାରା ୫ଫୁଟର ଅଧିକ ଉଚ୍ଚର ଜଳ ପ୍ରବାହିତ ହେଉଛି। ଏହି କାରଣରୁ ବୀରମହାରାଜପୁର-ଯୁଯୁମୁରା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଏହି ରାସ୍ତାରେ ସୁବର୍ଣ୍ଣପୁର ଓ ସମ୍ବଲପୁର ଜିଲ୍ଲା(ବୀରମହାରାଜପୁର, ଯୁଯୁମୁରା ଓ ରେଢ଼ାଖୋଲ ବ୍ଲକ)ର ଶତାଧିକ ଗାଁର ଲୋକେ ଯାତାୟତ କରୁଥିବାରୁ ବନ୍ୟାଜଳ ଯୋଗୁଁ ହଇରାଣର ସାମ୍ନା କରିଛନ୍ତି।
ସୋମବାର ଠାରୁ ଆରମ୍ଭ ହୋଇଥିବା ବର୍ଷା ପରେ ବନ୍ୟା ଜଳ ଅନେକ ଗାଁକୁ ଘେରିଛି। ବାଗବର ମଠ ପାଖରେ ଦୁଇ ଜଣ ଲୋକ ଜଳ ବନ୍ଦୀରେ ରହିଥିଲେ। ସେମାନଙ୍କୁ ସ୍ଥାନୀୟ ସରପଞ୍ଚଙ୍କ ସ୍ତ୍ରୀ ଚନ୍ଦ୍ର ମଣି ବଗର୍ତ୍ତି, ଦେବରଞ୍ଜନ ଦେହୁରୀ ଓ ଅନ୍ୟମାନେ ପ୍ରଥମେ ଦୁଇଜଣଙ୍କୁ ଉଦ୍ଧାର କରି ଏକ ନିରାପଦ ସ୍ଥାନରେ ରଖିଥିଲେ। ପରେ ଦମକଳ ବାହିନୀ ପାୱାର ବୋଟ ସାହାଯ୍ୟରେ ପହଞ୍ଚି ଉଦ୍ଧାର କରିଥିଲେ। ହରିହର ଯୋରରେ ବନ୍ୟାପାଣି ଆସିବା ଫଳରେ କୃଷ୍ଣପାଲି, ବାରଝୁଲା (ମାଣିକପୁର), କୁଡାପଡା, ତେନ୍ତୁଳିମହଦା ଗୋବିନ୍ଦପୁର, ଗରିଆମୁଣ୍ଡାରେ ଚାଷ ଜମି ପ୍ରଭାବିତ ହୋଇଛି। ଅନେକ ଚାଷ ଜମି ଜଳ ମଗ୍ନ ହୋଇଛି। କୃଷ୍ଣପାଲି ପାଣି ଘେରରେ ରହିଛି।
/sambad/media/post_attachments/wp-content/uploads/2023/08/bmpur1.jpg)
ସେପଟେ ଜିଲ୍ଲାର ଉଲୁଣ୍ଡା ବ୍ଳକ ଜମ୍ଭାଲିପାଲି ଗାଁରେ ହରିହର ଯୋର୍ ବନ୍ୟାପାଣି ଯୋଗୁଁ ଗୋଟିଏ ସାହିର ୧୦ ପରିବାର ଜଳବନ୍ଦୀ ଥିଲେ। ପ୍ରଶାସନ ତରଫରୁ ପ୍ରାୟ ୫୦ରୁ ଅଧିକ ଲୋକଙ୍କୁ ଗାଁ ସ୍କୁଲରେ ରଖାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ପ୍ରବଳ ବର୍ଷା ପାଇଁ ଚାରିଆଡ଼େ ଜଳମଗ୍ନ ହୋଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆଜି ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଥିଲେ। ଅପରପକ୍ଷେ ୨୮୮ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରି ସ୍ଥାନୀୟ ସ୍କୁଲମାନଙ୍କୁ ରଖାଯାଇଛି ବୋଲି ବୀରମହାରାଜପୁର ତହସିଲଦାର ବିବୁଧ ଗଣନାୟକ କହିଛନ୍ତି।
ବୀରମହାରାଜପୁରର ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା, ମୁର୍ଷୁଣ୍ଢୀ ସରପଞ୍ଚ ମନୋଜ କୁମାର ସାହୁ, ବାଗବର ସରପଞ୍ଚ ନିରୁପମା ବଗର୍ତ୍ତି, ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ, ବୀରମହାରାଜପୁରର ବିଡ଼ିଓ ମୋତି ଲାଲ୍ ସୁଲିଆ ଓ ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା ପ୍ରମୁଖ ବିଭିନ୍ନ ବନ୍ୟା ଆଶ୍ରୟ ସ୍ଥଳୀରେ ପହଞ୍ଚି ସୁବ୍ୟବସ୍ଥା କରିଛନ୍ତି। ଲୋକଙ୍କ ଧନ ଜୀବନ ସୁରକ୍ଷିତ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁବିଧା କରାଯାଇଛି ବୋଲି ବୀରମହାରାଜପୁର ତହସିଲଦାର ଶ୍ରୀ ଗଡ଼ନାୟକ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/056e64b5-fea1-48cb-b687-b67098bab1a8.jpg)