ରାୟଗଡ଼ା/ଗୁଣପୁର : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାୟଗଡ଼ାରେ ପ୍ରବଳ ବର୍ଷା ହୋଇଛି। ସୋମବାର ରାତିରୁ ବର୍ଷା ଲାଗି ରହିଥିବା ବେଳେ ବୁଧବାର ମଧ୍ୟାହଣ୍ ୨ଟା ପରେ ବର୍ଷାର ପରିମାଣ ବଢ଼ିଛି। ବର୍ଷା ଯୋଗୁ ବିଶେଷ ପ୍ରଭାବିତ ହୋଇଛି ଗୁଣପୁର ସହର। ୩ ଘଣ୍ଟାରେ ଗୁଣପୁରରେ ୧୪୪ ମିମି ବର୍ଷା ରେକର୍ଡ କରାଯାଇଛି। ଫଳରେ ସାରା ସହର ଜଳାର୍ଣ୍ଣବ ହୋଇ ପଡ଼ିଛି। ୧୦ରୁ ଉର୍ଧ୍ବ ସାହି ଜଳବନ୍ଦୀ ହୋଇ ରହିଥିବା ବେଳେ ସଂଧ୍ୟାରେ ବଂଶଧାରା ସତର୍କ ସଂକେତ ଟପିଛି।
/sambad/media/post_attachments/wp-content/uploads/2020/10/RGD_Gunpur-Rain-2-300x141.jpg)
ଗତ ୧୦ ବର୍ଷ ମଧ୍ୟରେ ଗୁଣପୁରରେ ଆଜି ସର୍ବାଧିକ ବର୍ଷା ହୋଇଛି। ମୂଷଳ ଧାରାରେ ବର୍ଷା ହେବା ଯୋଗୁ ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପାଣି ପଶିଛି। ଉପଜିଲ୍ଲାପାଳ କାର୍ଯ୍ୟାଳୟ ବିଭିନ୍ନ ବିଭାଗରେ ପାଣି ପଶିବା ପରେ ସରକାରୀ ଅଧିକାରୀ କାର୍ଯ୍ୟାଳୟ ବାହାରକୁ ଚାଲି ଆସିଥିଲେ। ସହରକୁ ସଂଯୋଗ କରୁଥିବା ମୁଖ୍ୟ ସଡ଼କ ସମେତ ବସଷ୍ଟାଣ୍ଡ, ବଳରାମ ନଗର, ଜଗନ୍ନାଥ ନଗର, ନୀଳାଦ୍ରି ବିହାର ରାସ୍ତାରେ ୪ ଫୁଟ୍ ଉଚ୍ଚରେ ପାଣି ଚାଲିଛି। ସହର ମଧ୍ୟ ଦେଇ ଯାଇଥିବା ହଳଦିଆ ନାଳରେ ମାତ୍ରାଧିକ ପରିମାଣରେ ବର୍ଷା ପାଣି ଆସିବା ଯୋଗୁ ଗାନ୍ଧୀ ନଗର ଅଞ୍ଚଳ ସଂପୂର୍ଣ୍ଣ ଜଳାର୍ଣ୍ଣବ ହୋଇଛି। ଅଧିକାଂଶ ଲୋକଙ୍କ ଘରେ ପାଣି ଜମି ରହିଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ୧୫ ପରିବାରକୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଛି।
/sambad/media/post_attachments/wp-content/uploads/2020/10/RGD_Gunpur-Rain-5-300x206.jpg)
ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ, ଟାଉନ୍ ହଲ୍, ଅରବିନ୍ଦ ସ୍କୁଲରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଖୋଲାଯାଇଛି। ପୌର ପରିଷଦର ସମସ୍ତ ୱାର୍ଡରେ ପାଣି ଜମି ରହିଥିବା ବେଳେ ହୋଟେଲ୍, ଗ୍ୟାରେଜ୍, ବିଭିନ୍ନ ଦୋକାନରେ ପାଣି ପଶିଛି। ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି। ପ୍ରଭାବିତ ପରିବାରକୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ପୌର ନିର୍ବାହୀ ଅଧିକାରୀ ଉମାପ୍ରସାଦ ଦାଶ, ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତଙ୍କ ତତ୍ତ୍ବାବଧାନରେ ଉଦ୍ଧାର କାର୍ଯ୍ୟ ଚାଲିଛି। ବର୍ଷା ଜଳ ନିଷ୍କାସନ ପାଇଁ ଅଗ୍ନିସେବା ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି ଅଗ୍ନିସେବା ଅଧିକାରୀ ଜେ. ଲାଲାଜୀ ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2020/10/RGD_Gunpur-Rain-4-300x169.jpg)
ରେକର୍ଡ ପରିମାଣର ୧୪୪ ମିମି ବର୍ଷା ପରେ ବଂଶଧାରା ସତର୍କ ସଙ୍କେତ ଟପିଛି। ବର୍ଷା ଲାଗି ରହିଲେ ବଂଶଧାରା ବିପଦ ସଙ୍କେତ ଟପିବାର ଆଶଙ୍କା ଥିବାରୁ ନଦୀ ଜଳସ୍ତର ଉପରେ ଉପଜିଲ୍ଲାପାଳ ସୋନାଲ ଜେନା ତୀକ୍ଷଣ ନଜର ରଖିଛନ୍ତି। ବଜ୍ରପାତ ଯୋଗୁ ବ୍ଲକର ଶିରିଝୋଲିରେ ଟ୍ରାନସଫରମର ପୋଡ଼ି ଯାଇଥିବା ସୂଚନା ମିଳିଛି।
/sambad/media/post_attachments/wp-content/uploads/2020/10/RGD_Gunpur-Rain-1-300x141.jpg)
ଗତ ୧୪ ଘଣ୍ଟାରେ ଜିଲ୍ଲାରେ ୩୨୯.୮ ମିମି ବର୍ଷା ରେକର୍ଡ କରାଯାଇଛି। ରାୟଗଡ଼ାରେ ୧୦.୨ ମିମି, କୋଲନରାରେ ୨୪.୫ ମିମି, କଲ୍ୟାଣସିଂହପୁରରେ ୨୭.୮ ମିମି, କାଶୀପୁରରେ ୧୭.୩ ମିମି, ଗୁଣପୁରରେ ୪୫ ମିମି, ପଦ୍ମପୁରରେ ୪୪.୫ ମିମି, ଗୁଡାରିରେ ୨୮.୫, ରାମନାଗୁଡାରେ ୩୯ ମିମି, ବିଷମକଟକରେ ୩୪.୨ ମିମି, ମୁନିଗୁଡାରେ ୩୮.୨ ମିମି, ଚନ୍ଦ୍ରପୁରରେ ୨୦.୬ ମିମି ବର୍ଷା ହୋଇଛି। ସମସ୍ତ ବ୍ଲକର ସ୍ଥିତି ଉପରେ ନଜର ରଖିବାକୁ ବିଡ଼ିଓ, ତହସିଲଦାରଙ୍କୁ ନିର୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/RGD_Gunpur-Rain-3.jpg)