ନିର୍ବାଚିତ ପ୍ରତିନିଧିଙ୍କ ଅନୁପସ୍ଥିତିର ପ୍ରଭାବ : ପ୍ରାକ୍ ପ୍ରସ୍ତୁତିର ଅଭାବ, ଜଳର୍ଣ୍ଣବ ବାରିପଦା ସହର

ପ୍ରାକୃତିକ ଜଳାଶୟ ଅବରୋଧ ବିପଦ ଆଣିବ

ବାରିପଦା : ବାରିପଦା ପୌରପରିଷଦରେ ବର୍ତ୍ତମାନ ନିର୍ବାଚିତ ପ୍ରତିନିଧଙ୍କ ବିନା କାମ କରୁଛି। ମାତ୍ର ନିର୍ବାଚିତ ପ୍ରତିନିଧି ନରହିଲେ ସ୍ଥିତି କଣ ହୁଏ ତାହା ଆଜି ଏକପ୍ରକାର ସ୍ପଷ୍ଟ ହୋଇଛି। ରାଜ୍ୟ ସରକାର ପୂର୍ବରୁ ବାରିପଦାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଥିଲା। ତଥାପି ଚେତିନଥିଲେ ପୌରପ୍ରଶାସନ। ପୌରପରିଷଦରେ ଅଧିକାଂଶ ୱାର୍ଡରେ ଡ୍ରେନ୍ ସଫା ହୋଇନଥିବା ଆଜି ପ୍ରମାଣିତ ହୋଇଛି। ଡ୍ରେନ୍ ସଫା ହୋଇନଥିବାରୁ ପାଣି ଘର ଭିତରେ ପଶିଥିଲା। ସେହିପରି ପ୍ରାକୃତିକ ଜଳାଶୟଗୁଡ଼ିକୁ ଅବରୋଧ କରି କୋଠା ନିର୍ମାଣ ମଧ୍ୟ ଜଳବନ୍ଦୀର କାରଣ ସାଜିଛି। ଆବର୍ଜନା ସଫେଇ ସଠିକ୍ ଭାବରେ ହୋଇନଥିବା ଆଜି ପ୍ରମାଣିତ ହୋଇଛି। ଜଳାଶୟଗୁଡ଼ିକ କ୍ରମଶଃ ସଙ୍କୁଚିତ ହେଉଥିବାରୁ ଠିକ୍ ଭାବେ ଜଳନିଷ୍କାସନ ହୋଇପାରୁନାହିଁ। ଯାହାକି ବାରିପଦାରେ ବନ୍ୟା ବିତ୍ପାତ ସୃଷ୍ଟି କରିଛି। ନିର୍ବାଚିତ ଜନପ୍ରତିନିଧିଙ୍କ ଅଭାବରୁ ବାଘ ଘରେ ମିରିଗ ନାଚ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସହରରେ ଚର୍ଚ୍ଚା ହେଉଛି।

ବିଳମ୍ବିତ ରାତିରେ କ୍ଷତିଗ୍ରସ୍ତଙ୍କ ନିକଟରେ ପହଞ୍ଚିଲେ ଉପଜିଲ୍ଲାପାଳ
ବିଳମ୍ବିତ ରାତିରୁ ହିଁ ବାରିପଦାରେ ସହରରେ ବନ୍ୟାଜଳ ପଶିବା ଆରମ୍ଭ ହୋଇଥିଲା। ସ୍ଥାନୀୟ ଜନପ୍ରତିନିଧିଙ୍କ ନିକଟରୁ ଏହି ଖବର ପାଇବା ପରେ ବାରିପଦା ଉପଜିଲ୍ଲାପାଳ ଅନ୍ବେଶା ରେଡ୍ଡୀ ରାତିରେ ହିଁ ବିଭିନ୍ନ ସ୍ଥାନରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କ ସହିତ ଆଲୋଚନା କରିଥିଲେ। ଥଇଥାନ ଏବଂ ପୁନରୁଦ୍ଧାର ନିମନ୍ତେ ଜୋର ଦେଇଥଲେ। ତାଙ୍କ ସହିତ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ମଧ୍ୟ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳଙ୍କର ଏଭଳି ପଦକ୍ଷେପ ସାଧାରଣରେ ପ୍ରଶଂସା ସାଉଁଟିଥିଲା। ଜିଲ୍ଲାପ୍ରଶାସନ ମଧ୍ୟ ଥଇଥାନ ଏବଂ ପୁନରୁଦ୍ଧାର ନେଇ ଜୋର୍ସୋରରେ କାର୍ଯ୍ୟ କରୁଥିବା ପରିଲକ୍ଷିତ ହୋଇଛି।

ରାସ୍ତା ପାଲଟିଲା ନୂଆ ଠିକଣା
ବୁଢ଼ାବଳଙ୍ଗ ନିକଟବର୍ତ୍ତୀ ୱାର୍ଡ ନଂ-୭ ଅଞ୍ଚଳରେ ଘରେ ବର୍ଷାପାଣି ପଶିଯାଇଥିବାରୁ ନିକଟସ୍ଥ ମୁଖ୍ୟରାସ୍ତାକୁ ଉଠିଆସିଛନ୍ତି ସ୍ଥାନୀୟ ଲୋକ। ବାରିପଦା ଉଦଳା ରାସ୍ତା ବର୍ତ୍ତମାନ ସେମାନଙ୍କ ନୁଆ ଠିକଣା ପାଲଟିଛି।

ସମ୍ବନ୍ଧିତ ଖବର