ବଙ୍ଗୋପସାଗରରେ ଲଘୁଚାପ, ୪୮ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ବର୍ଷା, ୧୦ଟି ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି

ଭୁବନେଶ୍ୱର : ଗତକାଲି ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାଇକ୍ଲୋନିକ ସର୍କୁଲେସନ ଆଜି ଏକ ଲଘୁଚାପରେ ପରିଣତ ହୋଇଛି । ଏବେ ଏହା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇରହିଛି ଓ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଏକ ଡିପ୍ରେସନରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

ଏହି ଲଘୁଚାପର ପ୍ରଭାବରେ ଗତକାଲି ରାତିଠାରୁ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗିରହିଛି ଓ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିବ । ବିଶେଷକରି ରାଜ୍ୟର ୧୦ଟି ଜିଲ୍ଲା ଜଗତସିଂହପୁର, ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,ଢେଙ୍କାନାଳ,ବୌଦ୍ଧ, କଟକ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ୧୦ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ଆଉ ୯ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏସବୁ ଜିଲ୍ଲା ହେଲା କେନ୍ଦୁଝର, ଦେବଗଡ଼, ସମ୍ବଲପୁର, ପୁରୀ, କନ୍ଧମାଳ, କଳାହାଣ୍ଡି, ଖୋର୍ଦ୍ଧା, ମାଲକାନଗିରି ଓ କୋରାପୁଟ । ତେବେ ଆସନ୍ତା ୨୨ ତାରିଖ ବେଳକୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ।

ଏହି ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରିଛି ଭାରତୀୟ ପାଣିପାଗ ବିଭାଗ ।

ସମ୍ବନ୍ଧିତ ଖବର