ଭୁବନେଶ୍ୱର : ଉତ୍ତର ତାମିଲନାଡୁ ଓ ସଂଲଗ୍ନ ଅଞ୍ଚଳରେ ସ୍ପଷ୍ଟଚିହ୍ନିତ ଲଘୁଚାପବଳୟ ଶୁକ୍ରବାର ଦିନ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଏବେ ଉତ୍ତର ଆଭ୍ୟନ୍ତରୀଣ ତାମିଲନାଡୁ ଓ ସଂଲଗ୍ନ ଅଞ୍ଚଳରେ ରହିଛି। ଏହି ଲଘୁଚାପ ସହ ଜଡ଼ିତ ଘୂର୍ଣ୍ଣିବଳୟ ମଧ୍ୟ ଦେଇ ଏକ ଟ୍ରଫ୍ଲାଇନ୍ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରୁ ଉତ୍ତର ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଛି। ଏହା ପ୍ରଭାବରେ ଓଡ଼ିଶାରେ ଆଜି ବର୍ଷା ହୋଇଯାଇଛି। ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ସର୍ବାଧିକ ୭୮.୬ ମିମି ବର୍ଷା ରେକର୍ଡ ହୋଇଯାଇଛି। ଏଥିସହ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ପୁରୀ, ନୟାଗଡ଼, ଖୋର୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହୋଇଛି। ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହୁଛି। ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଆଦି ୪ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଅନ୍ୟପଟେ, ରାତ୍ରି ତାପମାତ୍ରା ମଧ୍ୟ ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ପାଇଛି। ବିଭିନ୍ନ ଜିଲ୍ଲାରେ ୪ ଦିନ ତଳେ କମିଥିବା ପାରଦସ୍ତର ପୁଣି ଥରେ ବଢ଼ିଛି। କୋରାପୁଟରେ ୪.୮ ମିମି, ଝାରସୁଗୁଡ଼ାରେ ୪.୬ ମିମି, ସମ୍ବଲପୁରରେ ୪.୨ ମିମି, ଭବାନୀପାଟଣାରେ ୩.୭ ମିମି, ଅନୁଗୁଳରେ ୩.୬ ମିମି, ଭୁବନେଶ୍ବରରେ ୧.୭ ମିମି ଓ କଟକରେ ୧.୮ ମିମି ଲେଖାଏଁ ରାତ୍ରି ତାପମାତ୍ରା ବୃଦ୍ଧି ଘଟିଛି।
ଆଜି ଥାଇଲାଣ୍ଡ ଉପକୂଳ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮କିମି ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏହା ଆଗାମୀ କିଛି ସମୟରେ ଦକ୍ଷିଣ ଆଣ୍ଡାମାନ ସାଗର ଆଡ଼କୁ ଗତି କରିବ ଏବଂ ଏହା ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଓ ୧୫ତାରିଖ ବେଳକୁ ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତତ୍ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବ। ଏହା ପ୍ରଭାବରେ ୧୬ ଓ ୧୭ତାରିଖ ଆଡ଼କୁ ଓଡ଼ିଶାର କିଛି କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।