ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳରେ ଅବସ୍ଥିତ ରହିଛି। ପ୍ରଭାବରେ ଗତକାଲିଠାରୁ ସାରା ଓଡ଼ିଶାରେ ବର୍ଷା ଲାଗିରହିଛି। ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ବାକି ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗିରହିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

୨୮ ତାରିଖ(ଶୁକ୍ରବାର)ରେ ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କଟକ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୨୯ ଓ ୩୦ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର ଓ ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ୨୮ରୁ ୩୦ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ପ୍ରଭାବ ଲାଗିରହିବ। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ସ୍ଥାନେ ସ୍ଥାନେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ।

ସେପଟେ ମୌସୁମୀ ସମୟରେ ନିଅଣ୍ଟିଆ ବର୍ଷା ପରିମାଣ ଲାଗିରହିଛି। ଜୁନ୍‌ ପହିଲାରୁ ଆଜି ମଧ୍ୟ‌ରେ ୬ଟି ଜିଲ୍ଲା ଯଥା କଟକ, ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରିରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୨୪ଟି ଜିଲ୍ଲାରେ ନିଅଣ୍ଟିଆ କିମ୍ବା ଅଧିକ ନିଅଣ୍ଟିଆ ହୋଇଛି। ପୁରୀ, ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ପରିମାଣ ଅଧିକ ନିଅଣ୍ଟିଆ ରହିଛି। ବୁଧବାର ସାକଳ ସାଢ଼େ ୮ଟାରୁ ଆଜି ପୂର୍ବାହ୍ନ ମଧ୍ୟରେ କୋରାପୁଟ ଜିଲ୍ଲାର କୋଟପାଡ଼ରେ ୧୫୨ ମିମି, ବୋରିଗୁମ୍ମାରେ ୮୦.୬, ଜୟପୁରରେ ୭୨.୪, କୋରାପୁଟରେ ୬୫.୪, ଲମଟାପୁଟରେ ୬୦.୨, କନ୍ଧମାଳ ଜିଲ୍ଲାର ଜି ଉଦୟଗିରିରେ ୧୦୯.୬, ନବରଙ୍ଗପୁରର ପାପଡ଼ାହାଣ୍ତିରେ ୧୦୩, ନବରଙ୍ଗପୁରରେ ୮୨, କୋଶାଗୁମ୍ମାରେ ୫୭.୪, ଡାବୁଗାଁରେ ୭୦.୨, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ୬୯.୮, ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାରେ ୬୮ ମିମି ବର୍ଷା ହୋଇଛି। ଆଜି ଦିନ ସମୟରେ ମାଲକାନଗିରିରେ ୪୭.୨, ଖୋର୍ଦ୍ଧାରେ ୪୬, ନୟାଗଡ଼ରେ ୪୪, କଟକରେ ୧୫.୪, କେନ୍ଦୁଝରରେ ୧୩.୬, ଯାଜପୁରରେ ୧୨, ଫୁଲବାଣୀରେ ୧୦.୮, ଭୁବନେଶ୍ବରରେ ୭.୭, ଝାରସୁଗୁଡ଼ାରେ ୭.୬ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର