୯ ଜିଲ୍ଲାରେ ପ୍ରବଳ ବର୍ଷା : ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର, ୨୪ ଘଣ୍ଟା ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସନ୍ଧ୍ୟା ସୁଦ୍ଧା ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ରହିଛି। ପ୍ରଭାବରେ ଆସନ୍ତା ୩୬ ଘଣ୍ଟା ପର୍ଯ୍ୟନ୍ତ ୯ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। କୋରାପୁଟ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ୮୦ରୁ ୯୦ ମିମି ବର୍ଷା ହେବାର ସମ୍ଭାବନା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ୫ ଓ ୬ ତାରିଖରେ ଉକ୍ତ ୯ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆହୁରି କୁହାଯାଇଛି ଯେ ଏହି ସମୟ ମଧ୍ୟରେ ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ୫ ତାରିଖ ମଧ୍ୟାହ୍ନ ମଧ୍ୟରେ ଗଜପତି, ମାଲକାନଗିରି, ପୁରୀ, ଖୋର୍ଧା, ନୟାଗଡ଼, ଜଗତ୍‌ସିଂହପୁର, କଟକ ଓ ବଲାଙ୍ଗୀରରେ ୩୦ରୁ ୫୦ ମିମି ପର୍ଯ୍ୟନ୍ତ ବର୍ଷା ହେବ। ଏହାପରେ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ରେ ବର୍ଷା ବଢ଼ିବ। ତେଣୁ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସ୍ଥିତି ଉପରେ ଦୃଷ୍ଟି ରଖିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ୬ ତାରିଖ ଅପରାହ୍‌ଣଠାରୁ ପାଗରେ ପରିବର୍ତନ ଆସିବ। ପଶ୍ଚିମ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ। ୭ ତାରିଖରେ ଓଡ଼ିଶାର କାଁ ଭାଁ ସ୍ଥାନରେ ବର୍ଷା ହୋଇପାରେ। ନ ହେଲେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୮ ତାରିଖରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ, ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବାଧିକ ୬୦ ମିମି ବର୍ଷା ହୋଇଛି। ଏହାବ୍ୟତୀତ କେନ୍ଦୁଝରରେ ୫୯.୮, ଟିଟିଲାଗଡ଼ରେ ୫୫ ମିମି, ବାଲେଶ୍ବରରେ ୪୪.୭, ପାରାଦୀପରେ ୩୭.୩, ମାଲକାନଗିରିରେ ୩୧, ବାରିପଦାରେ ୨୪.୪, ସମ୍ବଲପୁରରେ ୨୩.୫, ଦାରିଙ୍ଗବାଡ଼ିରେ ୨୨, ପୁରୀରେ ୨୧.୯ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର