ଲଘୁଚାପ ବର୍ଷା: ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ଏସ୍‌ଆରସି

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ଷା ନେଇ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଂଚଳରେ ପାଣି ଜମିପାରେ। ସେହିପରି କିଛି ସ୍ଥାନରେ କଚା ଘର କ୍ଷତି ହେବାର ଆଶଙ୍କା ରହିଛି। ଏନେଇ ଜଳସମ୍ପଦ ଓ ଡ୍ରେନେଜ ବିଭାଗ ଇଂଜିନିୟରଙ୍କୁ ସତର୍କ କରାଯାଇଛି। ରାସ୍ତା ଓ ପୋଲ ଉପରେ ପାଣି ପ୍ରାବହିତ ହେଉଥିବା ସମୟରେ କେହି ନଯିବାକୁ ଏସ୍‌ଆରସି ପରାମର୍ଶ ଦେଇଛନ୍ତି।

ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୬ ତାରଖ ସନ୍ଧ୍ୟା ସୁଦ୍ଧା ଓଡିଶାର ଅଧିକାଂଶ ଜିଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି। ଏହି ସମୟ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଙ୍କୋନାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ, ସୁନ୍ଦରଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଝାରସୁଗୁଡା, ବରଗଡ, ନୟାଗଡ଼, ଗଞ୍ଜାମ, ନୂଆପଡା, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

Met Weather

୨୭ ତାରିଖ ସନ୍ଧ୍ୟା ସୁଦ୍ଧା ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଉପକୂଳ ଓଡିଶାର ଅନେକ ସ୍ଥାନରେ ହାଲୁକା ଏବଂ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି। ତେବେ, ସମ୍ବଲପୁର, ସୋନପୁର, ବରଗଡ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡା, ସୁନ୍ଦରଗଡ, ଏବଂ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହଥିବାରୁ ଏଡି ସମସ୍ତ ଜିଲ୍ଲା ପାଇଁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଅନ୍ୟପକ୍ଷରେ ନବରଙ୍ଗପୁର, ଅନୁଗୁଳ, ନୂଆପଡା, ଙ୍କୋନାଳ, ମୟୂରଭଞ୍ଜ, କନ୍ଧମାଳ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା ରହଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ମାଲକାନଗିରି, କୋରାପୁଟ, କଟକ ଏବଂ ଯାଜପୁର ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ସମ୍ବନ୍ଧିତ ଖବର