ବାଲେଶ୍ବର: ଦୁଇଦିନ ଧରି ଲଗାଣ ବର୍ଷାରେ ବାଲେଶ୍ବର ବେହାଲ୍‌ ହୋଇପଡ଼ିଛି। ବିଭିନ୍ନ ଅଞ୍ଚଳରେ ବର୍ଷାପାଣି ନିଷ୍କାସିତ ହୋଇ ନପାରି ସ୍ଥିତି ସାଂଘାତିକ ହୋଇଛି। ବିଶେଷ କରି ବାଲେଶ୍ବର, ସୋର ଓ ଜଳେଶ୍ବର ସହରର ଅବସ୍ଥା ଆଦୌ ଭଲ ନାହିଁ। ସେହିପରି ଜିଲ୍ଲାରେ ପ୍ରବାହିତ ଜଳକା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସଦର ବ୍ଲକ୍‌ରେ ଆଜି ୭୬ ମିମି ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ବର୍ଷାପାଣି ଲହଡ଼ି ଭାଙ୍ଗିଛି। ବିଭିନ୍ନ ୱାର୍ଡର ରାସ୍ତାରେ ଆଣ୍ଡୁଏ ଲେଖାଏଁ ପାଣି ଜମିଛି। ଅନେକ ଦୋକାନରେ ପାଣି ପଶିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜଳେଶ୍ବର ଅଞ୍ଚଳରେ ୬୯ ମିମି ବର୍ଷା ରେକର୍ଡ କରାଯାଇଛି। ଗତକାଲି ରାତିଠାରୁ ବର୍ଷା ଲାଗିରହିଥିବାରୁ ସହରର ୧୭ଟି ୱାର୍ଡ ସହ ଅନେକ ଗ୍ରାମାଞ୍ଚଳ ଜଳାର୍ଣ୍ଣବ ହୋଇଛି। ଜିକେ ଭଟ୍ଟର ହସ୍‌ପିଟାଲ୍‌ ଭିତରେ ଗତକାଲି ରାତିରେ ଓ ଆଜି ଦିନରେ ପାଣି ପଶିଛି। ତଳିଆ ଅଞ୍ଚଳର ହଜାର ହଜାର ଏକର ଚାଷଜମି ପାଣିରେ ବୁଡ଼ିରହିଛି।

Advertisment

ବାଲେଶ୍ବର, ସୋର ଓ ଜଳେଶ୍ବର ସହରବାସୀ ଏବଂ ଗ୍ରାମାଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନେକ ସ୍କୁଲ୍‌କୁ କର୍ତ୍ତୃପକ୍ଷ ଆଜି ଛୁଟି ଘୋଷଣା କରିଛନ୍ତି। ବିଭିନ୍ନ ଡାକ୍ତରଖାନାରେ ପାଣି ପଶିବା ଯୋଗୁଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଏବଂ ହସ୍‌ପିଟାଲ୍‌ର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଉଟ୍‌ଡୋର୍‌ ରୋଗୀ ସେବା ମଧ୍ୟ ପ୍ରଭାବିତ ହୋଇଛି। ଅନ୍ୟପଟେ ବାଲେଶ୍ବର ଜିଲ୍ଲା ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବଢ଼ିଛି। ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ନଦୀଜଳ ୫.୯୨ ମିଟରରେ ପ୍ରବାହିତ ହେଉଛି। ତଳିଆ ଅଞ୍ଚଳରେ ନଦୀ ଉଚ୍ଛୁଳି ତଟବର୍ତ୍ତୀ ଧାନ ଓ ପରିବା ଚାଷଜମିକୁ ମାଡ଼ିଯାଇଛି। ସେହିପରି ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲେ ବି ସତର୍କ ସଂକେତ ଡେଇଁ ନାହିଁ। ଯଦି ବର୍ଷା ଲାଗିରହେ ତେବେ ଆସନ୍ତାକାଲି ଉଭୟ ନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇବା ସହ ସ୍ଥିତି ସଂଗିନ ହେବାର ​ଆଶଙ୍କା ରହିଛି।