ବାଲୁଗାଁରେ ପ୍ରବଳ ବର୍ଷା ନିଷ୍କାସନ ହୋଇପାରୁନି ପାଣି

ବାଲୁଗାଁ: ରବିବାର ସନ୍ଧ୍ୟାରେ ବାଲୁଗାଁ ଅଞ୍ଚଳରେ ଏକ ଘଣ୍ଟା ଧରି ବର୍ଷା ପରେ ଏନ୍‌ଏସିର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିଲା। ସମସ୍ତ ୱାର୍ଡରେ ପାଣି ଜମି ରହିଥିବାବେଳେ ନିଷ୍କାସନ ହେବାରେ ସମସ୍ୟା ଉପୁଜିଛି। ବାଲୁଗାଁ-ବାଣପୁର ରାସ୍ତାର ଷ୍ଟାଇଲ୍ ବଜାର ସମ୍ମୁଖରେ ଆଣ୍ଠୁଏ ପାଣି ଜମିଥିବାରୁ ଯିବା ଆସିବାରେ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷରେ ବାଲୁଗାଁ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତାର ଦୁଇପାର୍ଶ୍ବରେ ବଡ଼ ବଡ଼ କୋଠା ଯୋଗୁଁ ଜଳ ନିଷ୍କାସନ ହୋଇ ପାରୁନି। କର୍ତ୍ତୃପକ୍ଷ ନିଷ୍କାସନ କରିବାରେ ଆନ୍ତରିକତା ପ୍ରକାଶ କରୁ ନଥିବା କୁହାଯାଉଛି। ଖରାଦିନରେ ଅସରାଏ ବର୍ଷାରେ ଏତେ ପାଣି ଜମି ରହିଥିବା ବେଳେ ବର୍ଷା ଋତୁ ଆସିଲେ ଏହି ଅଞ୍ଚଳର ରାସ୍ତା ସଂପୂର୍ଣ୍ଣଭାବେ ଜଳାର୍ଣ୍ଣବ ହୋଇଯିବାର ଆଶଙ୍କା ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ବାଲୁଗାଁ ଏନ୍ଏସି କର୍ତ୍ତୃପକ୍ଷ ଏଥିପ୍ରତି ନଜର ଦେଇ ଏବେଠାରୁ ନିଷ୍କାସନ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର