ଲଗାଣ ବର୍ଷାରେ ବରଗଡ଼ର ୪ଟି ବ୍ଲକ ପ୍ରଭାବିତ: ଏସଆରସି

ଭୁବନେଶ୍ବର : ଗତ ୨୪ ଘଣ୍ଟା ଭିତରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ବରଗଡ଼ ଜିଲ୍ଲା ପ୍ରଭାବିତ ହୋଇଛି। ବରଗଡ଼ ଜିଲ୍ଲାର ୪ଟି ବ୍ଲକରେ ୧୨୦ଟି ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି। ପ୍ରାଥମିକ କ୍ଷୟକ୍ଷତି ଆକଳନ ଅନୁଯାୟୀ ଜିଲ୍ଲାରେ ୫୩୬ଟି ଘର ଭାଙ୍ଗିଯାଇଥିବାବେଳେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିବା ସ୍ବତନ୍ତ୍ର ରିଲିଫ କମିସନର ଜଣାଇଛନ୍ତି। ସମ୍ବଲପୁରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩.୨ ମିଲିମିଟର ବର୍ଷା ରେକର୍ଡ଼ ହୋଇଥିବାବେଳେ ବରଗଡ଼ରେ ୯୫.୨ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି। ଜଳଘେର ଭିତରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇଦିଆଯାଇଛି।

ବର୍ଷା କ୍ଷୟକ୍ଷତି ନେଇ ଏସଆରସିଙ୍କ ପକ୍ଷରୁ ଜାରି କରାଯାଇଥିବା ସ୍ଥିତି ରିପୋର୍ଟ ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର କେତେକ ସ୍ଥାନ ଜଳବନ୍ଦୀ ହୋଇଥିଲା। ଧାନକୁଡ଼ା ବ୍ଲକ ଭୋଇଟିକ୍ରା ଗାଁର ୧୫୦ ଜଣ ବ୍ୟକ୍ତିଙ୍କୁ ବାବୁବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ୧୦୦ ଜଣ ବ୍ୟକ୍ତିଙ୍କୁ ନିକଟସ୍ଥ କ୍ଲବ ଘରକୁ ମଧ୍ୟ ସ୍ଥାନାନ୍ତର କରାଯାଇଛି। ଏସବୁ ସ୍ଥାନରେ ଥିବା ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇଦିଆଯାଉଛି। ବର୍ଷା ଯୋଗୁଁ ସମ୍ବଲପୁର ଜିଲ୍ଲାରେ ବହୁ କଚ୍ଚା ଓ ପକ୍କାଘର ଭାଙ୍ଗିଯାଇଛି। କ୍ଷୟକ୍ଷତି ରିପୋର୍ଟ ଶୀଘ୍ର ପଠାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ଲଗାଣବର୍ଷାରେ ବେହାଲ ହୋଇଛି ବରଗଡ଼ ସହର। ଜିଲ୍ଲାର ଆମ୍ବାଭୋନା, ଅତାବିରା, ବରଗଡ଼, ଭଟଲି ବ୍ଲକରେ ୩ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ, ଗୁରୁତର ଭାବେ ୩ଟି ଓ ୫୨୭ଟି କଚ୍ଚା ଘର ଆଂଶିକ ନଷ୍ଟ ହୋଇଯାଇଛି। ବରଗଡ଼ ସହର ତଳି ଅଞ୍ଚଳରେ ଏବେ ବି ଲୋକେ ଜଳବନ୍ଦୀରେ ଅଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବିଜ୍ଞାପିତ ପରିଷଦ ଅଞ୍ଚଳରେ ବି ବର୍ଷାଯୋଗୁ ଲୋକେ ପ୍ରଭାବିତ ହୋଇଛନ୍ତି। ସେହିପରି କେନ୍ଦୁଝର ଆନନ୍ଦପୁର ଏନଏସି ଅଞ୍ଚଳରେ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବା ଏସଆରସି କହିଛନ୍ତି।

ସମ୍ବନ୍ଧିତ ଖବର