ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। କଟକ, ଭୁବନେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସମେତ ଅନ୍ୟ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ହୋଇଛି ବର୍ଷା ସହ ପବନ ବହୁଥିବାରୁ ଘରୁ ବାହାରିବା ମୁସ୍କିଲ ହୋଇଛି। କଟକ ଓ ଭୁ‌ବନେଶ୍ବରରେ ଆଜି ରାତିରେ ପ୍ରବଳ ବର୍ଷା ହୋଇଛି। ଭୁବନେଶ୍ବରରେ ରାତି ପ୍ରାୟ ସାଢ଼େ ୯ଟାରୁ ବର୍ଷା ‌ହେଉଛି। ତୁହାକୁ ତୁହା ବର୍ଷା କାରଣରୁ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ଭୁବନେଶ୍ବରର ଇସ୍କନ ମନ୍ଦିର ସମ୍ମୁଖ, ବମିଖାଲ, କଟକରୋଡରେ ବିଭିନ୍ନ ସ୍ଥାନରେ ପାଣି ବନ୍ଦ ରହିଛି। କଟକରେ ମଧ୍ୟ କିଛି ସ୍ଥାନରେ ପାଣି ଜମିଛି। ଭୁବନେଶ୍ବରରେ ଆଜି ସନ୍ଧ୍ୟାରେ କାଳବୈଶାଖୀ ଦେଖିବାକୁ ମିଳିଥିଲା। ପବନ ଜୋରରେ ବହିଥିଲା। ସନ୍ଧ୍ୟା ସମୟରେ ଆକାଶରେ ବାଦଲ ଭାସୁଥିଲା। ଏହା ବର୍ଷା ହେବାର ସଂକେତ ଦେଉଥିଲା।

Advertisment

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।‌ ତେଣୁ ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ନିଜ ସୁରକ୍ଷା ପାଇଁ ଲୋକେ ସତର୍କ ରୁହନ୍ତୁ। କାରଣ ଏହି ସମୟ ମଧ୍ୟରେ ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନ ହୋଇପାରେ। ପାଣିପାଗ ବିଭାଗ ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ନୟାଗଡ଼, ବୌଦ୍ଧ, ଅନୁଗୁଳ, ସୋନପୁର, ସମ୍ବଲପୁର, ଦେବଗଡ଼ ଏବଂ ଝାରସୁଗୁଡ଼ା ଭଳି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହିସବୁ ଜିଲ୍ଲାବାସୀ ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ପାଣିପାଗ ଗତିବିଧି ଉପରେ ନଜର ରଖିବା ସହ ବଜ୍ରପାତ ମୁକ୍ତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି।