ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା: ଭାସିଗଲା ଦୁଇ ଡାଇଭର୍ସନ, ଶେରଗଡ଼-ବଡ଼ଗଡ଼ ଯୋଗାଯୋଗ ବିଛିନ୍ନ

ଶେରଗଡ଼ ବ୍ଲକରେ ବ୍ୟାପକ ପନିପରିବା ଫସଲ ନଷ୍ଟ

ଶେରଗଡ଼/ବ୍ରହ୍ମପୁର/ପାତ୍ରପୁର: ଗତ ୧୧ ତାରିଖ ଠାରୁ ଗଂଜାମ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ବେଳେ ସୋମବାର ସନ୍ଧ୍ୟା ଠାରୁ ଆଜି ଯାଏଁ ସ୍ଥିତି ଆହୁରି ଖରାପ ରହିଛି। ଲଗାଣ ବର୍ଷା ଯୋଗୁଁ ଶେରଗଡ଼ ଅଞ୍ଚଳରେ ପ୍ରବାହିତ ଋଷିକୁଲ୍ୟା, ବାଘୁଆ, ନନ୍ଦିନୀ ଓ ଘୋଡ଼ାହାଡ଼ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି।

ଲଗାଣ ବର୍ଷା ଯୋଗୁଁ ବଡ଼ଗଡ଼-ଗାଙ୍ଗପୁର ପାର୍ଶ୍ୱରେ ଥିବା ଡାଇଭର୍ସନ ଭାସିଯାଇଛି। ଶେରଗଡ଼-ବଡ଼ଗଡ଼ ରାସ୍ତା ମଧ୍ୟରେ ଦୁଇଟି ସ୍ଥାନରେ ଡାଇଭର୍ସନ ଭାସି ଯିବା ଫଳରେ ଶେରଗଡ଼-ବଡ଼ଗଡ଼ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଛିନ୍ନ ହୋଇ ପଡିଛି, ଯାହା ଫଳରେ ପଚାଶରୁ ଅଧିକ ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି।

ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ଶେରଗଡ଼ ପାଟ ପାହାଡ଼ରୁ ବର୍ଷା ପାଣି ନିଷ୍କାସନ କ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଫଳରେ ହଜାର ହଜାର ଏକର ଚାଷ ଜମିରେ ପାଣି ଜମି ରହି ଫସଲ ନଷ୍ଟ ହେବା ପରିସ୍ଥିତି ସୃଷ୍ଟି ହୋଇଛି। ଶେରଗଡ଼ ପାଇକସାହି, କେଉଟ ସାହି, ବଡଦାଣ୍ଡ ସାହି ଓ ପାଟପଲ୍ଲୀ ବାରିପଟେ ପାଣି ଜମି ରହିଥିବା ବେଳେ ଘରେ ପଶିବା ପରିସ୍ଥିତି ଏଡାଇ ହେଉନି । ପିତଳ-ଶ୍ୟାମଲାଇ ଛକ ମଧ୍ୟ ବି. ନୂଆପଲ୍ଲୀ ଠାରେ ଜାତୀୟ ରାଜପଥ ଉପରେ ପାଣି ଚାଲିଛି। ତହସିଲଦାର ଡ଼ ଦୟାସିନ୍ଧୁ ପରିଡା ନଦୀ ତଟ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।

୨୪ ଘଣ୍ଟାରେ ୧୩୮୫.୬ ମିମି ବର୍ଷା ରେକର୍ଡ

ବିଗତ ୨୪ ଘଣ୍ଟା ମଧ୍ୟରେ ଗଂଜାମ ଜିଲ୍ଲାରେ ୧୩୮୫.୬ ମିଲି ମିଟର ବର୍ଷା ରେକର୍ଡ ହୋଇଛି। ଖଲିକୋଟରେ ସର୍ବାଧିକ ୧୨୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ ଓ ବୁଗୁଡ଼ାରେ ସର୍ବନିମ୍ନ। ଜିଲ୍ଲାର ଭଂଜନଗର, ସୋରଫା, ଡହ, ଘୋଡ଼ାହାଡ, ଧନେଇ, ବାଘୁଆ ଓ ବାଘଲଟି ଡ୍ୟାମ ରହିଛି। ଲଗାଣ ବର୍ଷା ଫଲରେ ଜଳ ଭର୍ତ୍ତି ହୋଇଥିବା ବେଳେ ବାଘଲଟି ଡ୍ୟାମର ୨ଟି ସୁଇସ୍‌ ଗେଟ ମାଧ୍ୟମରେ ଜଳ ନିଷ୍କାସନ ହୋଇଛି। ଗଂଜାମ ଜିଲ୍ଲାର ସୀମାନ୍ତ ପାତ୍ରପୁର ବ୍ଲକରେ ଆଦିବାସୀ ଅଂଳଚରେ ବର୍ଷାର ଚିତ୍ର ଦୟନୀୟ ହୋଇଛି। ପାହାଡ଼ରୁ ପାଣି ଖସିବା ଫଳରେ ତୁମ୍ବା-ବୁରାତାଲ ରାସ୍ତାର ୨ଟି ସ୍ଥାନରେ ବର୍ଷା ଜଳ ପ୍ରବାହିତ ହୋଇ ଧୋଇଯିବାର ଗମନାଗମନ ପ୍ରଭାବିତ ହୋଇଛି।

ପାତ୍ରପୁରରେ ୨୦ରୁ ଅଧିକ ଜଳମଗ୍ନ

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଆଙ୍କୁଲି ଏବଂ ବୁରାତାଲ ପଂଚାୟତର ୫ ଗାଁ ବଣିଆବସା, ବେହେରାପୁଟ, ଏଲଗଲ, ମଦୁଆଗୁମାନ୍ଦରେ ପାହାଡ଼ ଝରଣା ପାଣି, ଲଘୁଚାପ ବର୍ଷା ସହ ବାଘଲଟି ଜଳ ପ୍ରକଳ୍ପର ପାଣି ଦ୍ୱାରା ସଂପୂର୍ଣ୍ଣ ଜଳମଗ୍ନ ହୋଇଛି। ପାତ୍ରପୁର ବ୍ଲକ ଅନ୍ତର୍ଗତ ଆଙ୍କୁଲି ପଂଚାୟତର ବାଘଲଟି ଜଳଭଣ୍ଡାର ଆରପାରିରେ ଥିବା ଏଲଗଲ ଓ ବଣିଆବସା ଗାରେ ବନ୍ୟା ଜଳ ପ୍ରବେଶ କରିଛି। ଆଙ୍କୁଲି ପଂଚାୟତର ଚରିଆବାଡ଼ ନିକଟରେ ରାସ୍ତା ଉପରେ ପାହାଡ଼ ଧସି ହୋଇ ପ୍ରାୟ ଅଧିକାଂଶ ଗାଁ ବାହ୍ୟ ଜଗତରୁ ବିଛିନ୍ନ ରହିଛି। ସେହିଭଳି ତୁମ୍ବା ଓ ବୁରାତାଲ ପଂଚାୟତର ପ୍ରାୟ ୨୦ଟି ଗାଁ ବନ୍ୟା ଜଳରେ ପ୍ରଭାବିତ ହୋଇ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।

ସମ୍ବନ୍ଧିତ ଖବର