ଯାଜପୁରସଦର : ଲଘୁଚାପ ଜନିତ ବର୍ଷାରେ ଆଜି ଯାଜପୁର ସହର ଜଳମଗ୍ନ ହୋଇପଡ଼ିଥିଲା। ବର୍ଷାଜଳ ନିଷ୍କାସନ ହୋଇନପାରି ରାସ୍ତାରେ ଲହଡ଼ି ମାରିଥିଲା। ପ୍ରକାଶ ଯେ, ଆଜି ଯାଜପୁର ସହରରେ ଲଘୁଚାପ ପାଇଁ ତୁହାକୁ ତୁହା ବର୍ଷା ଲାଗି ରହିଥିଲା। ପ୍ରବଳ ବର୍ଷାରେ ଗାନ୍ଧୀ ଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ରାସ୍ତାରେ ଆଣ୍ଠୁଏ ପାଣି ହୋଇଯାଇଥିଲା। ବର୍ଷା ଜଳ ନିଷ୍କାସନ ହୋଇନପାରି ରାସ୍ତାରେ ଜମି ରହିଥିଲା। ପ୍ରକାଶ ଯେ, ଯାଜପୁର ସହରରେ ଜଳ ନିଷ୍କାସନ ଏବେ ପ୍ରମୁଖ ସମସ୍ୟା ହୋଇ ଉଭା ହୋଇଛି। ଜଳ ନିଷ୍କାସନ ବ୍ୟବସ୍ଥା ଗୁଡ଼ିକ ପୋତି ହୋଇପଡ଼ିବା, ଡ୍ରେନ୍ ନିର୍ମାଣ ନହେବା ଯୋଗୁଁ ବର୍ଷାଜଳ ଜମି ରହୁଛି।
ଯାଜପୁର ସହରରେ ଏବେ ରାସ୍ତାଘାଟ ପ୍ରଶସ୍ତୀକରଣ କରାଯାଉଛି। କିନ୍ତୁ ରାସ୍ତା ପ୍ରଶସ୍ତୀକରଣ ତୁଳନାରେ ଡ୍ରେନ୍ ବ୍ୟବସ୍ଥା କରାଯାଉନାହିଁ। ଅନ୍ୟପକ୍ଷରେ ପୌର ପ୍ରଶାସନ ପକ୍ଷରୁ ଅତୀତରେ କରାଯାଇଥିବା ଜଳ ନିଷ୍କାସନ ବ୍ୟବସ୍ଥା ମଧ୍ୟ ସଫଳ ହେଉନାହିଁ। ଜଳ ନିଷ୍କାସନ ପାଇଁ ଚିହ୍ନଟ ସ୍ଥାନ ଗୁଡ଼ିକରେ ଘର ନିର୍ମାଣ ଦ୍ୱାରା ବର୍ଷାଜଳ ନିଷ୍କାସନ ହେଉନାହିଁ। ତେଣୁ ଅସରାଏ ବର୍ଷାରେ ଯାଜପୁର ସହର ଉବୁଟୁବୁ ହେଉଛି। ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/33-4.jpg)