କାଲିମେଳା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମାଲକାନଗିରି ଜିଲ୍ଲା କାଲିମେଳା ଅଂଚଳରେ ପ୍ରବଳ ବର୍ଷା ହୋଇଛି। ଶୁକ୍ରବାର ଦିନବେଳା କାଲିମେଳା ଅଂଚଳରେ ୮୦ ମିମି ବର୍ଷା ହୋଇଥିବାର ରେକର୍ଡ଼ କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ରାତିଠାରୁ ଏହି ବର୍ଷା ଜାରି ରହିଛି। ତୁହାକୁ ତୁହା ବର୍ଷା ହେଉଥିବାରୁ ଲୋକମାନେ ବାହାରକୁ ବାହାରି ପାରିନାହାଁନ୍ତି। ଏହି ଲଗାଣ ବର୍ଷା ଯୋଗୁଁ ୩୨୬ ଜାତୀୟ ରାଜପଥର ୩ଟି ସ୍ଥାନରେ ଥିବା ତଳୁଆ ପୋଲ ଗୁଡ଼ିକ ବୁଡ଼ି ଯାଇଛି। ପ୍ରଥମେ ଦିନ ୩ଟା ସମୟରେ ଏମଭି-୯୬ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଏହା ଧୀରେଧୀରେ ବଢ଼ିବା ସହିତ ସଂଧ୍ୟା ସୁଦ୍ଧା ୪ଫୁଟ ବନ୍ୟାଜଳ ପ୍ରବାହିତ ହୋଇଥିବାର ଜଣାପଡ଼ିଥିଲା।
ଏହାପରେ ଏମଭି-୯୦ ଓ କାଂଗୁରକୋଣ୍ଡା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଏହିସବୁ ପୋଲ ଉପରେ ପ୍ରାୟ ୩ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଥିଲା। ଫଳରେ ମାଲକାନଗିରି ଜିଲ୍ଲା ସହିତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯୋଗାଯୋଗ ଏକ ପ୍ରକାର ବିଛିନ୍ନ ହୋଇପଡ଼ିଥିଲା। ଉଭୟ ପଟେ ଶହଶହ ଯାନବାହାନ ଅଟକି ରହିଥିବାର ଦେଖିବାକୁ ମିଳିଥିଲା।
ଖବର ପାଇ ଏମଭି-୭୯ ପୁଲିସ ଏମଭି-୯୬ ପୋଲ ନିକଟରେ ଓ କାଲିମେଳା ପୁଲିସ କାଂଗୁରକୋଣ୍ଡା ପୋଲ ନିକଟରେ ଉପସ୍ଥିତ ରହି ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଥିଲେ। ଏମଭି-୯୦ ପୋଲ ନିକଟରେ ପୁଲିସ ଉପସ୍ଥିତ ନ ଥିବାରୁ କେତେକ ଅମାନିଆ ଗାଡ଼ି ଚାଳକ ବିପଦପୂର୍ଣ୍ଣ ଭାବରେ ପାଣି ଭିତରେ ଗାଡ଼ି ନେଇଯାଉଥିବାର ଦେଖାଯାଇଥିଲା। ଅନେକ ସ୍ଥାନରେ ତଳୁଆ ଜମିରେ ମଧ୍ୟ ପାଣି ମାଡ଼ିଯାଇଥିବାର ଦେଖିବାକୁ ମିଳିଥିଲା। କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ।
ସୂଚନାଯୋଗ୍ୟ ଯେ ଏହି ସବୁ ତଳୁଆ ପୋଲ ଗୁଡ଼ିକୁ ଉଚା ପୋଲ କରିବାକୁ ବିଳାସପୁରର ଏକ ଠିକା ସଂସ୍ଥା ୨ବର୍ଷ ହେଲା ନୂତନ ପୋଲ ନିର୍ମାଣ କରୁଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ । ଫଳରେ ପ୍ରତିବର୍ଷ ବର୍ଷା ଦିନେ ଲୋକମାନେ ଏହିପରି ଅସୁବିଧାର ସାମନା କରିଆସୁଛନ୍ତି।