କନ୍ଧମାଳରେ ଲଗାଣ ବର୍ଷା ଜାରି: ଧୋଇଗଲା ପୋଲ, ବହୁ ଗାଁ ବିଚ୍ଛିନ୍ନ

ବାଲିଗୁଡ଼ାରେ ରେକର୍ଡ଼ ୩୦୨ ମିମି ବର୍ଷା, ସହରରେ ଦୁଇଫୁଟ ପାଣି, ବିଭିନ୍ନ ନଦୀରେ ଜଳପତ୍ତନ ବୃଦ୍ଧି

ଫୁଲବାଣୀ/ବାଲିଗୁଡ଼ା/ତୁମୁଡ଼ିବନ୍ଧ : ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଫଳରେ ଜିଲ୍ଲାର ବିଭିନ୍ନ ନଦୀରେ ଜଳପତ୍ତନ ବୃଦ୍ଧି ପାଇଛି। ଜିଲ୍ଲା ଜରୁରୀକାଳୀନ ବିଭାଗର ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ରେକଡ଼ ପରିମାଣର ୩୦୨ ମିମି ବୃଷ୍ଟିପାତ ରେକର୍ଡ କରା ଯାଇଥିବା ବେଳେ ଚକାପାଦରେ ୩.୨ ମିମି., ଦାରିଙ୍ଗବାଡ଼ିରେ ୬୩ ମିମି., ଘୁ.ଉଦୟଗିରିରେ ୧୧.୨ ମିମି., ଖଜୁରୀପଡ଼ାରେ ୪.୨ ମିମି., କୋଟଗଡ଼ରେ ୮୭ ମିମି., କ.ନୂଆଗାଁରେ ୯୦.୨ ମିମି, ଫିରିଙ୍ଗିଆରେ ୮୯.୨ ମିମି., ଫୁଲବାଣୀରେ ୨୨.୨ ମିମି., ରାଇକିଆରେ ୨୨.୪ ମିମି., ଟିକାବାଲିରେ ୧୦ ମିମି., ତୁମୁଡ଼ିବନ୍ଧରେ ୫୦.୪ ମିମି. ବୃଷ୍ଟିପାତ ହୋଇଛି ବୋଲି ଜଣାପଡ଼ିଛି। ବିଶେଷକରି ବାଲିଗୁଡ଼ା ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବାଘ, ରାହୁଳ, ଉତ୍ତେଇ ଓ ଖଡ଼୍‌ଗ ନଦୀରେ ଜଳପତ୍ତନ ବୃଦ୍ଧି ପାଇଛି। ଏସବୁ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି। ସେହିଭଳି ପ୍ରବଳ ବର୍ଷା ଯୋଗୁଁ କ.ନୂଆଗାଁ-ସାରଙ୍ଗଗଡ଼, ବାଲିଗୁଡ଼ା-ତୁମୁଡ଼ିବନ୍ଧ, ବେଲଘର, ସୁବର୍ଣ୍ଣଗିରି, ଚକାପାଦ ଘାଟିରେ ଭୂ-ସ୍ଖଳନ ଘଟିଛି।

ସେହିଭଳି ଲଗାଣ ବର୍ଷା ଯୋଗୁଁ ଫିରିଙ୍ଗିଆ ବ୍ଲକ୍‌ର ବାଲନ୍ଦାପଡ଼ା ବାଘଡୁଙ୍ଗୁରି ଗ୍ରାମର ୫ ଜଣ ଗ୍ରାମବାସୀ କାମ କରିବାକୁ ବାଘନଦୀ ପାର ହୋଇ ବାଲନ୍ଦାପଡ଼ାକୁ ଯାଉଥିବାବେଳେ ନଦୀରେ ହଠାତ୍‌ ପାଣି ଆସିଯିବାରୁ ନଦୀ ପାଖରେ ପମ୍ପ ହାଉସ ଘର ଉପରେ ଚଢ଼ିଯାଇଥିଲେ। ପରେ ଫିରିଙ୍ଗିଆ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ପମ୍ପ ହାଉସ ଛାତରେ ଫସି ରହିଥିବା ଗ୍ରାମବାସୀଙ୍କୁ ଉଦ୍ଧାର କରିଥିଲେ। ସେହିଭଳି ବାଲନ୍ଦାପଡ଼ାରୁ କଣ୍ଟାମାଳ ମଧ୍ୟରେ ଗମନାଗମନ ବିଚ୍ଛିନ୍ନ ହୋଇପଡ଼ିଛି। ଗୋଛାପଡ଼ା-କେରାଣ୍ଡିବାଲି ରାସ୍ତା ଧୋଇଯିବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଫିରିଙ୍ଗିଆ ବ୍ଲକର ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ ସରବରାହ ବିଛିନ୍ନ ହୋଇ ପଡ଼ିଥିବାବେଳେ ପାନୀଳ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ବାଲିଗୁଡ଼ା ସହରର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିବା ସହ ସହର ବୁଡ଼ିଯାଇଛି।

ଏନ୍‌ଏଚ୍‌ ୫୯ରେ ଚାଲିଲା ଆଣ୍ଠୁଏ ପାଣି

ଲଗାଣବର୍ଷାରେ ବାଲିଗୁଡ଼ା ସହରର ଜଳମଗ୍ନ ହୋଇଛି। ବସ୍‌ଷ୍ଟାଣ୍ତ ସମେତ ଚେକ୍‌ଗେଟ୍‌ ଛକରେ ପ୍ରାୟ ଦୁଇଫୁଟ ଉପରେ ପାଣି ପ୍ରବ‌ାହିତ ହୋଇଥିବା ବେଳେ ୫୯ ନଂ ଜାତୀୟ ରାଜପଥରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିଲା। ଫଳରେ ଲୋକଙ୍କ ଘରେ ଓ ଦୋକାନ ଭିତରେ ପାଣି ପଶିଯାଇଥିଲା। ରାସ୍ତା ଉପରେ ପାଣି ପ୍ରବାହିତ ଥିବା ହେତୁ ଯାନବାହାନ ଚଳାଚଳ କିଛି ସମୟ ପାଇଁ  ଠପ ହୋଇଯାଇଥିଲା। ଚେକଗେଟ ଛକ ନିକଟରେ ରାସ୍ତା  ଧୋଇହୋଇ ଯାଇଥିବା ଜଣାପଡ଼ିଛି।  ଦମକଳ କେନ୍ଦ୍ର ଦ୍ବାରା ଘରେ ଓ ଦୋକାନମାନଙ୍କରେ ପଶିଥିବା ବର୍ଷାପାଣି କଡାଯାଇଛି।

ଧୋଇଗଲା ବତେଡ଼ିମୁଣ୍ଡା ପୋଲ, ୨୦ ଗାଁ ବିଚ୍ଛିନ୍ନ

ବର୍ଷା  ପ୍ରଭାବରେ କୁର୍ତ୍ତମଗଡ – ପାରିଗଡ ରାସ୍ତାର ବତେଡିମୁଣ୍ଡା ନିକଟରେ ଥିବା ପୋଲ ପୁଣି ଧୋଇ ଯାଇଛି। ଗତକିଛି ଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ଏହି ପୋଲଟି ଭାସି ଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଏହି ପୋଲକୁ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଥିଲା।  ପୁରୁଣା ହୋମ ପାଇପ ଉପରେ ମାଟି ପକାଇ ଅସ୍ଥାୟୀ ଭାବେ ଏହାକୁ  ନର୍ମାଣ କରାଯାଇଥିବା ବେଳେ ଗ୍କାଲି ହୋଇଥିବା ବର୍ଷାରେ ପ୍ରଖର ସ୍ରୋତ ଯୋଗୁଁ ଏହା ପୁଣି ଥରେ ଥରେ ଧୋଇ ହୋଇ ଯାଇଛି। ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା  ସିର୍ଲା ପଞ୍ଚାୟତର ବୁଢ଼ାକମ୍ବା ସମେତ ପାରିଗଡ ପଞ୍ଚାୟତର ୧୫ରୁ୨୦ଟି ଗାଁର ୫ହଜାରରୁ ଅଧିକ ଗ୍ର‌ାମବାସୀ ଯୋଗାଯୋଗ ରୁ ବିଚ୍ଛିନ୍ନ ହୋଇଛନ୍ତି।

ସମ୍ବନ୍ଧିତ ଖବର