ଲଗାଣ ବର୍ଷାରେ ମାଟି ଅତଡ଼ା ଧସିଲା, କୋରାପୁଟ-ବୋରିଗୁମ୍ମା ଯୋଗାଯୋଗ ବିଚ୍ଛିନ୍ନ

କୋରାପୁଟ: ଲଗାଣ ବର୍ଷା ଯୋଗୁଁ ତେଲିଙ୍ଗିରି ପ୍ରକଳ୍ପ ନିକଟ ରାଣୀଗଡ଼ ଠାରେ ମାଟି ଅତଡା ଖସିପଡ଼ିବାରୁ ରାସ୍ତା ଅବରୋଧ ହୋଇଯାଇଛି। ଏହି ସମୟରେ ରାସ୍ତାରେ କେହି ଯାତାୟାତ କରୁ ନଥିଲେ। ଫଳରେ, କାହାର କିଛି କ୍ଷତି ହୋଇନାହିଁ। ତେବେ, କୋରାପୁଟରୁ ବୋରିଗୁମ୍ମାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତା ଅବରୋଧ ଯୋଗୁଁ ଶହଶହ ଲୋକ ହଇରାଣ ହରକତ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଆଜି ଦିନତମାମ ମାଟି ବାହାର କରିବା ପାଇଁ ଉଦ୍ୟମ କରାଯାଇଥିଲେ ବି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଆସନ୍ତାକାଲି ମଧ୍ୟ ରାସ୍ତା ପରିଷ୍କାର ହୋଇ ପାରିବ କି ନାହିଁ, ତାହା ସନ୍ଦେହ ଭିତରେ ରହିଛି। ମିଳିଥିବା ସୂଚନା ଅନୁସାରେ, କୋରାପୁଟ-ବୋରିଗୁମ୍ମା ରାଜ୍ୟ ରାଜପଥ ରାସ୍ତା କଡ଼ରେ ଥିବା ପାହାଡ଼ରୁ ବିଭିନ୍ନ ସମୟରେ ମାଟି ଅତଡ଼ା ଖସୁଥିବା ଦେଖିବାକୁ ମିଳୁଛି। ତେବେ, ଲଗାଣ ବର୍ଷା କାରଣରୁ ଗତକାଲି ରାତିରୁ ମାଟି ଧସିବା ଆରମ୍ଭ ହୋଇଥିଲା। ଆଜି ସକାଳ ବେଳକୁ ରାସ୍ତା ଉପରେ ମାଟି ଗଦା ହୋଇ ରହିଥିଲା। ଫଳରେ, କୋରାପୁଟରୁ ବୋରିଗୁମ୍ମାକୁ ଗମନାଗମନ ବନ୍ଦ ହୋଇଯାଇଥିଲା। ଆଜି ଜୟନ୍ତଗିରି ହାଟ ରହିଥିବାରୁ ତଳ ଡାକରା, ଉପର ଡାକରା, ଘୋଟାଦାର, ଦୟାନିଧିଗୁଡା, ମୁଷାପୁଟ, ବୁଟୁରୁଗୁଡା ଗ୍ରାମର ଲୋକମାନେ ସମସ୍ୟାର ସମ୍ମୁଖୀନ ହୋଇଥି‌ଲେ। ଏହି ରାସ୍ତାର ଆଉ କିଛି ସ୍ଥାନରେ ମଧ୍ୟ ମାଟି ଅତଡା ଧସିଥିବା ସୂଚନା ମିଳିଛି। ଖବର ପାଇ ଜଳସେଚନ ବିଭାଗ ପକ୍ଷରୁ ରାସ୍ତାରୁ ମାଟି ଉଠା କାମ ଆରମ୍ଭ ହୋଇଛି। ଆଜି ଦିନତମାମ ମାଟି ବାହାର କରାଯାଇଥିଲେ ମଧ୍ୟ ଏହା ଶେଷ ହୋଇନି। ରାସ୍ତା ଉପରେ ପାହାଡ଼ ପ୍ରମାଣ ମାଟି ଗଦା ହୋଇ ରହିଥିବାରୁ ପୁନରୁଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଛି। ଏପରିକି ଆସନ୍ତାକାଲି ମଧ୍ୟ ରାସ୍ତା ପରିଷ୍କାର ହୋଇ ପାରିବ କି ନାହିଁ,ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ବିପଦସଂକେତ ଉପରେ କଲ୍ୟାଣୀ ,ନାଗାବଳୀ
କଲ୍ୟାଣସିଂହପୁର: ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ନାଗାବଳୀ ଓ କଲ୍ୟାଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଉଭୟ ନଦୀରେ ବିପଦ ସଂକେତ ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ନଦୀ ପାର୍ଶ୍ବରେ ରହୁଥିବା ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅନ୍ୟପଟେ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା କରି ବ୍ଲକ, ତହସିଲ ଓ ପୁଲିସ ପ୍ରସାଶନ ପକ୍ଷରୁ କଲ୍ୟାଣସିଂହପୁର ଗ୍ରାମର ୨ଶହ ପରିବାରକୁ ବିଦ୍ୟାଳୟ ଓ ହଷ୍ଟେଲକୁ ସ୍ଥାନାନ୍ତର କରାଯିବା ସହ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। କଲ୍ୟାଣସିଂହପୁର କାଳୀ ସୁନ୍ଦରୀ ମନ୍ଦିର ନିକଟସ୍ଥ ରାସ୍ତା ଉପରେ ୩ଫୁଟ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ରାୟଗଡା ଓ କଲ୍ୟାଣିଂହପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସୁନାଖଣ୍ଡି ଗ୍ରାମର ୧୦ଟି ଘରେ କେନାଲ ପାଣି ପଶିିଯାଇଥିବା ବେଳେ ସ୍ଥାନୀୟ ଜଗନ୍ନାଥ କଲୋନିର ୭ଟି ଘରେ ବର୍ଷା ଜଳ ପଶିଯାଇଥିବା ଜଣାପଡ଼ିଛି। ଗତ ୨୦୧୭ ମସିହାର ବନ୍ୟାରେ କଲ୍ୟାଣସିଂହପୁର ସଦର ମହକୁମାର ବଡ ବ୍ରାହ୍ମଣ ସାହି, ସାନ ବ୍ରାହ୍ମଣ ସାହି, ଗୌଡସାହି, ମୁଖ୍ୟ ରାସ୍ତା, କାମ୍ପସାହି, ମେଦିରି ସାହି, ପୁରୁଣା ବସ୍‌ ଷ୍ଟାଣ୍ଡ, କଦମ୍ୱଦ୍ୱାର ସାହି, ଦାନୁ ସାହିରେ ପାଣି ପଶିଯିବାରୁ ଲୋକେ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ। ଏହି ଭୟ ମନରୁ ଯାଇନଥିବା ସହ ଅନେକ ଲୋକ ବର୍ତମାନ ସୁଦ୍ଧା ଅଣ୍ଟା ସଳଖି ପାରିନଥିବା ‌ବେଳେ ଆଜି ଉପର ମୁଣ୍ଡରେ ଆଜି ପ୍ରବଳ ବର୍ଷା ଲାଗି ରହିବା ସହ ନଦୀର ଜଳସ୍ତର ବୃଦ୍ଧି ପାଇବା ପରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।

ସମ୍ବନ୍ଧିତ ଖବର