ମାଲକାନଗିରିରେ ବର୍ଷା ବିତ୍ପାତ: ଜିଲ୍ଲାରେ ଯୋଗାଯୋଗ ବିଛିନ୍ନ, ଆନ୍ଧ୍ରପ୍ରଦେଶ-ଛତିଶଗଡକୁ ଯୋଗାଯୋଗ ଠପ୍‌

ମାଲକାନଗିରି: ଜିଲ୍ଲାରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗି ରହିଛି, ଯାହାଫଳରେ  ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି କାଲିମେଳା ବ୍ଲକରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ଏହି ଅଂଚଳରେ ରହିଥିବା ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରୁ ମୋଟୁକୁ ସଂଯୋଗ କରୁଥିବା ୩୨୬ ଜାତୀୟ ରାଜପଥର କାଙ୍ଗରୁକୋଣ୍ଡା ବ୍ରିଜ ଉପରେ ପାଣି ପ୍ରବାହିତ ହେଉଛି। ବନ୍ୟା ପାଣିରେ ଏହି ପୋଲ ସଂପୂର୍ଣ୍ଣ ରୂପେ ବୁଡିଯାଇଛି। ବ୍ରିଜ ଉପରେ ପ୍ରାୟ ୩ ଫୁଟର ପାଣି ପ୍ରବାହିତ ହେଉଥିବାରୁ ଏହି ରାସ୍ତା ଦେଇ ଯାଉଥିବା ସମସ୍ତ ଯାନବାହାନ ବ୍ରିଜର ଦୁଇ ପଟେ ଛିଡା ହୋଇ ରହିଛି।

ସୂଚନାଯୋଗ୍ୟ ଯେ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ମାଲକାନଗିରି ଦେଇ ଯାଇଥିବାରୁ ଏହି ରାସ୍ତରେ ପ୍ରତିଦିନ ଶହ ଶହ ଟ୍ରକ ସହ ଦୂରଗାମୀ ବସ୍‌ଗୁଡିକ ଯିବାଆସିବା କରଥାଏ। ତେବେ ରାସ୍ତା ଉପରେ ଏବଂ ବ୍ରିଜ ଉପରେ ପାଣି ପ୍ରବାହିତ ହେଉଥିବା ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ସେହିପରି କାଲିମେଳା ଠାରୁ ପଡିଆକୁ ସଂଯୋଗ କରୁଥିବା କନ୍ୟାଶ୍ରମ ବ୍ରିଜ ଉପରେ ମଧ୍ୟ ପ୍ରାୟ ୪ ଫୁଟର ପାଣି ପ୍ରବାହିତ ହେଉଥିବାରୁ ପଡିଆକୁ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇଛି। ଏହି ରାସ୍ତା ଦେଇ ଛତିଶଗଡ ମଧ୍ୟ ଲୋକେ ଯିବା ଆସିବା କରୁଥିବାରୁ ଲୋକେ ନିଜର ଗନ୍ତବ୍ୟ ସ୍ଥଳକୁ ନଯାଇପାରି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଛି।

ମାଲକାନଗିରି ଠାରୁ ସୁକମା ଯିବା ବାଟରେ ଝାପ୍ରା ଠାରେ ସାବେରୀ ନଦୀରେ ମଧ୍ୟ ବନ୍ୟା ଜଳ ସ୍ତର ବଢିଥିବାରୁ ଏଠାରେ ରହିଥିବା ବ୍ରିଜ ଉପରେ ମଧ୍ୟ ୫ ଫୁଟର ପାଣି ପ୍ରବାହିତ ହେଉଛି, ଯାହାଫଳରେ ସୁକମାକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଲଗାଣ ବର୍ଷ ଜାରି ରହିଛି। ଆସି ସକାଳରୁ ହିଁ ପାଣିର ସ୍ତର ବଢୁଥିବାରୁ ଏହା ଆହୁରି ଦିନେ କିମ୍ବା ଦୁଇ ଦିନ ରହିବ ବୋଲି ଆଶଂକା କରାଯାଉଛି। ପୂର୍ବରୁ ମାଲକାନଗିରିରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଥିଲା। ସେଥିପାଇଁ ଜିଲ୍ଲାପାଳ ବନ୍ୟା ପ୍ରଭାବିତ ଅଂଚଳର ସମସ୍ତ ସରକାରୀ ଅଧିକାରୀ ସମେତ ଲୋକ ପ୍ରତିନିଧିମାନଙ୍କୁ ସତର୍କ କରାଇଦେଇଥିଲେ।

ତେବେ ଜାତୀୟ ରାଜପଥ ଉପରେ ପାଣି ପ୍ରବାହିତ ସ୍ଥାନଗୁଡିକରେ ପୁଲିସ ଏବଂ ପ୍ରଶାସନ ତରଫରୁ ଲୋକଙ୍କୁ ରାସ୍ତା ପାର ନହେବାକୁ ଚେତାବନୀ ଦେଉଥିବା ବେଳେ ତଳିଆ ଅଂଚଳର ଲୋକଙ୍କୁ ଉପରକୁ ଅଣାଯାଉଛି। ଯେଉଁ ଗ୍ରାମଗୁଡିକ ପାଣିରେ ବୁଡିବାର ସମ୍ଭାବନା ରହିଛି, ସେଠାରେ ଲୋକଙ୍କୁ ଅସ୍ଥାୟୀ ଗୃହଗୁଡିକରେ ରଖାଯାଇଥିବା ଦେଖିବାକୁ ମିଳିଛି। ସେମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ତଳିଆ ଅଂଚଳର ଲୋକେ ବହୁ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। ଜମିଗୁଡିକରେ ପାଣି ମାଡିଯାଇଥିବାରୁ ଫସଲ ନଷ୍ଟ ହୋଇଥିବା ଅନୁମାନ କରାଯାଏ।

ଖବର ଲେଖାଯିବା ସମୟରେ ମଧ୍ୟ ଲଗାଣ ବର୍ଷା ଲାଗି ରହିଥିବାରୁ ଜଳସ୍ତର କମିବ ନାହିଁ ବୋଲି କୁହାଯାଇଛି। ପାଙ୍ଗାନ ନଦୀରେ ମଧ୍ୟ ଜଳସ୍ତର ବଢୁଥିବାରୁ ଯିବା ଆସିବା କଷ୍ଟକର ହେବ ବୋଲି କୁହାଯାଇଛି। ପାଙ୍ଗାମ ବ୍ରିଜକୁ ଛୁଇଁ ପାଣି ପ୍ରବାହିତ ହେଉଛି। ଉପରମୁଣ୍ଡରେ ବର୍ଷା ଲାଗି ରହିଲେ ଏହି ବ୍ରିଜ ମଧ୍ୟ ବୁଡିବ। ଯଦି ରାତି ତମାମ ବର୍ଷା ଲାଗି ରହେ ତେବେ ମାଲକାନଗିରି ସଂପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହେବ। ଅଗ୍ନିଶମ ବିଭାଗ ତରଫରୁ ମଧ୍ୟ ସତର୍କତା ଅବଲମ୍ବନ କରାଯାଉଛି। ଆମ୍ବୁଲେନସ ସହ ବହୁ ଅତ୍ୟାବଶକୀୟ ଜିନିଷ ନେଇ ଆସୁଥିବା ଗାଡିଗୁଡିକ ଅଟକି ରହିଥିବା ଦେଖିବାକୁ ମିଳିଛି। ସରକାରୀ ଅଧିକାରୀମାନେ କାଲିମେଳା ଏବଂ ପଡିଆ ଅଂଚଳକୁ ଯାଇପାରୁନଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି। ପାଣି କେବେ କମୁଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର