ବାରିପଦା : ଲଘୁଚାପ ଜନିତ ଲଗାଣ ବର୍ଷା ସାରା ମୟୂରଭଂଜ ଜିଲ୍ଲାରେ ନାହିଁ ନଥିବା କ୍ଷୟକ୍ଷତି ଘଟାଇଛି। ଦୁଇଦିନ ଧରି ବର୍ଷା ଲାଗି ରହିଛି। ଶିମିଳିପାଳ ଜଙ୍ଗଲରେ ସର୍ବାଧିକ ବର୍ଷା ହେବା ଯୋଗୁଁ ତଳମୁଣ୍ଡରେ ବୁଢ଼ାବଳଙ୍ଗ, ସୋନ୍, ଜଂଭିରା, ଗଙ୍ଗାହାର ଆଦି ନଦୀରେ ଜଳପତ୍ତନ ବୃଦ୍ଧି ପାଇଛି। ଏଣେ ଉଦଳାକୁ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାର ସବୁସ୍ଥାନରେ ବର୍ଷା ହୋଇଥିବା ବେଳେ କପ୍ତିପଦା ଓ ବାରିପଦା ଉପଖଣ୍ଡରେ ସର୍ବାଧିକ ବୃଷ୍ଟିପାତ ରେକର୍ଡ କରାଯାଇଛି। କପ୍ତିପଦା ଓ ବାରିପଦା ଉପଖଣ୍ଡ ଅନ୍ତର୍ଗତ ବଡ଼ସାହିରେ ୧୦୫ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଖୁଣ୍ଟାରେ ୨୧୭ ମିମି, ଗୋପବନ୍ଧୁନଗରରେ ୨୧୭ ମିମି ଏବଂ ଉଦଳାରେ ୧୧୦ ମିମି ବୃଷ୍ଟିପାତ ହୋଇଛି। ଶିମିଳିପାଳ ଜୈବମଣ୍ଡଳରେ ଗତ ୩୬ ଘଣ୍ଟା ମଧ୍ୟରେ ଆନୁମାନିକ ୫୦୦ ମିମି ବର୍ଷା ହୋଇଥିବା ସୂଚନା ମିଳିଛି। ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀ ଫୁଲିଛି। ବାରିପଦା ସହରସ୍ଥିତ ଅସ୍ତିଆ ନିକଟରେ ବୁଢ଼ାବଳଙ୍ଗ ନଦୀର ବିପଦ ସଙ୍କେତ ୩୦.୯୨ ମିଟର ଥିବାବେଳେ ଆଜି ସନ୍ଧ୍ୟା ୯ଟା ସୁଦ୍ଧା ୨୨.୦୬ ମିଟର ଜଳ ପ୍ରବାହିତ ହେଉଛି।
ସେହିଭଳି ସୁବର୍ଣ୍ଣରେଖା ନଦୀର ରାଜଘାଟ ନିକଟରେ ବିପଦ ସଂକେତ ୧୦.୩୬ ମିଟର ଥିବାବେଳେ ସେଠାରେ ରାତି ୯ଟା ସୁଦ୍ଧା ୫.୩୧ ମିଟର ଜଳପ୍ରବାହିତ ହେଉଛି ଏବଂ କପ୍ତିପଦା ଦେଇ ବହିଥିବା ସୋନ ନଦୀର ଜୟପୁରଠାରେ ବିପଦ ସଂକେତ ୨୬.୧ ମିଟର ହୋଇଥିବାବେଳେ ସେଠାରେ ୨୨.୮୨ ମିଟର ଜଳ ପ୍ରବାହିତ ହେଉଛି ବୋଲି ମୟୂରଭଞ୍ଜ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ରିପୋର୍ଟ ଗତକାଲି ଓ ଆଜି ଦିନବେଳାର ବର୍ଷାକୁ ନେଇ ପ୍ରସ୍ତୁତ କରାଯାଇଛି। ମାତ୍ର ଆଜି ସନ୍ଧ୍ୟା ପରଠାରୁ ମୟୂରଭଞ୍ଜ ଜିଲ୍ଲାରେ ବୃଷ୍ଟିପାତର ପରିମାଣ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି। ଯଦି ରାତିତମାମ୍ ଏଭଳି ବର୍ଷା ଲାଗିରହେ ତେବେ ଆସନ୍ତା କାଲି ବୁଢ଼ାବଳଙ୍ଗ ଏବଂ ଏହାର ଉପନଦୀ ସୋନ, ଗଙ୍ଗାହାରରେ ବନ୍ୟା ପରିସ୍ଥିତି ଜଟିଳ ହେବା ନିଶ୍ଚିତ ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ସେହିଭଳି ଶିମିଳିପାଳରେ ଲଗାଣ ବର୍ଷା ଯୋଗୁଁ ଉଦଳା ବ୍ଲକ୍ ଅନ୍ତଗର୍ତ ଉଦଳା-ଅଦାପାଳ ନିକଟରେ ଥିବା ପୋଲ ଉପରେ ୨ ଫୁ଼ଟ ଉଚ୍ଚର ପାଣି ସୁଅ ଚାଲିଛି। ଏହା ଫଳରେ ବାରିପଦା-ଉଦଳା ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଉଭୟ ପାର୍ଶ୍ୱରେ ଆଜି ଦିନବେଳା ଶତାଧିକ ଯାନବାହନ ଅଟକି ରହିଥିଲା। ଅପରପକ୍ଷେ, ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲାର ବାଲିମୁଣ୍ଡୁଳି, ଶିମିଳିପାଳର ନୱାଣା, ଉଦଳା, ବାଙ୍ଗିରିପୋଷିର ଚନ୍ଦନପୁର ଆଦି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହୋଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାକୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦୟାସିନ୍ଧୁ ପରିଡ଼ା ସୂଚନା ଦେଇଛନ୍ତି।
ଅପରପକ୍ଷେ, ବୁଢ଼ାବଳଙ୍ଗରେ ଜଳପତ୍ତନ ଦ୍ରୁତଗତିରେ ବୃଦ୍ଧିପାଇ ବନ୍ୟାଜଳ ବାରିପଦା ସହରର କେତେକ ଅଞ୍ଚଳକୁ ପଶିଆସିଛି। ପୋଡ଼ାଅସ୍ତିଆ ନିକଟରେ ବୁଢ଼ାବଳଙ୍ଗର ବନ୍ୟାଜଳ ବାରିପଦା ପୌରପାଳିକା ୭ ନମ୍ବର ୱାର୍ଡର ମଧୁବନ ଅଞ୍ଚଳକୁ ପଶିଯିବାରୁ ସ୍ଥାନୀୟ ଲୋକେ ଛାନିଆ ହୋଇପଡ଼ିଛନ୍ତି। ଆଜି ସନ୍ଧ୍ୟାରେ ମଧୁବନର ତଳସାହିବାସିନ୍ଦାମାନେ ନିଜନିଜର ଘରଦ୍ଵାର ଛାଡ଼ି ଏଠାରେ ନିର୍ମିତ ବାତ୍ୟା ଆଶ୍ରୟ ସ୍ଥଳକୁ ଚାଲି ଆସିଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ରିଲିଫ୍ ଯୋଗାଇ ଦେବାକୁ ସ୍ଥାନୀୟ କାଉନ୍ସିଲର ଦାବି କରିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ତକତପୁର, ତୁଳସୀଚଉଁରା, ଶୁନଗଡ଼ିଆ, ଷ୍ଟେସନବଜାର, ଭଞ୍ଜପୁରର କେତେକ ସ୍ଥାନରେ ଘର ମଧ୍ୟକୁ ପାଣି ପଶିଆସିଛି।