ଡରେଇଲା କଳାହାଣ୍ଡିଆ ମେଘ : ମୟୂରଭଞ୍ଜରେ ଘଡ଼ଘଡ଼ି ସହିତ ଲଗାଣ ବର୍ଷା, ଉପୁଡ଼ିଲା ଦେଢ଼ଶହ ବର୍ଷର ପୁରୁଣା ନିମ୍ବ ଗଛ

ବାରିପଦା : ମୟୂରଭଞ୍ଜରେ କାଳବୈଶାଖୀ ବର୍ଷା ଏହାର ପ୍ରକୋପ ଦେଖାଇଛି। ଆଜି ସକାଳ ପ୍ରାୟ ସାଢ଼େ୧୦ଟାରେ ପରେ ବାରିପଦା ଓ ଏହାର ଆଖପାଖ ଅଞ୍ଚଳରେ କଳାହାଣ୍ଡିଆ ମେଘ ଡରେଇଥିଲା। ଦିନରେ ସନ୍ଧ୍ୟାର ଭ୍ରମ ସୃଷ୍ଟି କରିଥିଲା। ରାତି ପର୍ଯ୍ୟନ୍ତ ଏହିପରି ବର୍ଷା ଲାଗିରହିଥିଲା। ବର୍ଷା ଏବଂ ପବନର ମାତ୍ର ଏତେ ବ୍ୟାପକ ଥିଲା ଯେ ବାରିପଦା ସହର ଏମ୍‌ସିସି ବ୍ୟାଙ୍କ୍ ଯାତ୍ରୀ ପ୍ରତୀକ୍ଷାଳୟକୁ ଲାଗି ଥିବା ପ୍ରାୟ ଦେଢ଼ ଶହ ବର୍ଷର ପୁରୁଣା ନିମ୍ବଗଛଟି ଆଜିର ବର୍ଷାରେ ଉପୁଡ଼ିପଡ଼ିଥିଲା। ତେବେ ସୌଭାଗ୍ୟବଶତଃ ସେହି ସମୟରେ ଉକ୍ତ ପ୍ରତୀକ୍ଷାଳୟରେ କେହି ନଥିବାରୁ କିଛି ଧନଜୀବନ ହାନି ହୋଇନାହିଁ। ନିକଟରେ ଏକ ହୋଟେଲ ମଧ୍ୟ ରହିଛି। ତେବେ କରୋନା କାରଣରୁ ସବୁକିଛି ବନ୍ଦ ଥିବାରୁ କାହାରି କିଛି ହୋଇନଥିବା ଆଲୋଚନା ହେଉଛି।

ପ୍ରକାଶ ଥାଉକି, ଲକ୍‌ଡାଉନ ପୂର୍ବରୁ ସାଧାରଣ ଦିନରେ ଉକ୍ତ ଯାତ୍ରୀ ପ୍ରତିକ୍ଷାଳୟ ନିକଟରେ ଥିବା ଚା ଦୋକାନରେ ପ୍ରତ୍ୟେକ ଦିନ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସେଠାରେ ଭିଡ଼ ଜମାଇଥାଆନ୍ତି। ସେହିପରି ନିକଟରେ କୋଲକତା ଯାଉଥିବା ବସ୍ ଛିଡ଼ା ହେଉଥିବାରୁ ଉକ୍ତ ପ୍ରତୀକ୍ଷାଳୟରେ ଯାତ୍ରୀମାନେ ମଧ୍ୟ ଅପେକ୍ଷା କରିଥାଆନ୍ତି। ସେହିପରି ଆଜି ହୋଇଥିବା ବର୍ଷା କାରଣରୁ ବାରିପଦା ପୌରାଞ୍ଚଳର ବିଭିନ୍ନ ରାସ୍ତାରେ ପାଣି ମଧ୍ୟ ଜମି ରହିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର