ଭୁବନେଶ୍ବର: ବନ୍ୟା ସ୍ଥିତି ଓ ତାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ କମିସନର (ଏସ୍ଆରସି) ପ୍ରଦୀପ ଜେନା ଏହା କହିଛନ୍ତି। ଏସ୍ଆରସି ଶ୍ରୀ ଜେନା କହିଛନ୍ତି ଯେ, ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସ୍ଥଳଭାଗ ଅତିକ୍ରମ କରିସାରିଛି। ବାଲେଶ୍ବର, ମୟୂରଭଂଜ, ଭଦ୍ରକ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବ। ଉତ୍ତର ବାଲେଶ୍ବରରେ ବର୍ଷା ଅଧିକ ହେବାର ଆଶଙ୍କା ଥିବାରୁ ସରକାର ଓ ସ୍ଥାନୀୟ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଏହି ୪ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅଧିକ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏବେ ଉତ୍ତର ବାଲେଶ୍ବରରେ ବର୍ଷା ଲାଗି ରହିଛି। ସେହିପରି ମୟୂରଭଂଜ ଓ ଭଦ୍ରକରେ ମଧ୍ୟ ବର୍ଷା ହେଉଛି। ବାଲେଶ୍ବରକୁ ୨ଟି ଏନ୍ଡିଆରଏଫ ଟିମ୍ ଓ ୨ଟି ଓଡ୍ରାଫ ଟିମ୍ ଯାଇଛନ୍ତି।
ପୂର୍ବରୁ ସମ୍ଭାବ୍ୟ ପ୍ରବଳ ବର୍ଷା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତର ଓଡ଼ିଶାବାସୀଙ୍କୁ ସତର୍କ ରହିବା ପାଇଁ ଅପିଲ କରିଛନ୍ତି। କେନ୍ଦୁଝର, ମୟୂରଭଂଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାବାସୀଙ୍କ ନିକଟରେ ଅପିଲ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୟଭୀତ ନହୋଇ ପ୍ରଶାସନର ନିର୍ଦ୍ଦେଶ ମାନନ୍ତୁ। ପ୍ରଶାସନକୁ ସହଯୋଗ କରନ୍ତୁ। ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ନିଜେ ସୁରକ୍ଷିତ ରହନ୍ତୁ ଓ ପରିବାରର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ।
ରାଜ୍ୟରେ ଲଘୁଚାପର ସ୍ଥିତି ନେଇ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗଭୀର ଅବପାତର ରୂପ ନେଇ ଆଗାମୀ ୭-୮ ଘଣ୍ଟା ଭିତରେ ଏହା ସ୍ଥଳ ଭାଗ ଛୁଇଁବ। ଏହାର ପ୍ରଭାବରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପବନ ବହିବ। ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରୁ ଫେରି ଆସିବାକୁ ନିର୍ଦ୍ଦେଶ ରହିଛି।
ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ହେବ। ଏନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଆସନ୍ନ ବର୍ଷାକୁ ଲକ୍ଷ୍ୟ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ୨୦ ତାରିଖରେ ୪ଟି ଜିଲ୍ଲା (କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ)ରେ ବର୍ଷା ହେବ । ଉପର ମହାନଦୀ ଅଞ୍ଚଳରେ ବେଶି ବର୍ଷା ହେବା ଭଳି ଲାଗୁନାହିଁ। ଇବ ଓ ଭେଡେନ ନଦୀ ଅବବାହିକାରେ ବର୍ଷା ସମ୍ଭାବନା ରହିଛି। ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ଉପରେ ନଜର ରହିବ। କେନ୍ଦୁଝର ଓ ମୟୁରଭଞ୍ଜର ୩ଟି ଡ୍ୟାମରୁ ଜଳସ୍ତର କମାଯାଉଛି।