ଅବପାତ ପ୍ରଭାବରେ ମଧ୍ୟପ୍ରଦେଶ, ଛତିଶଗଡ଼ରେ ପ୍ରବଳ ବର୍ଷା ଜାରି ; ଦ୍ରୁତ ଗତିରେ ବୃଦ୍ଧି ପାଉଛି ମହାନଦୀର ଜଳସ୍ତର

ଭୁବନେଶ୍ବର : ଗତ ୧୨ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ବା ଡିପ୍ରେସନ  ଏବେ ଓଡ଼ିଶା ଉପରୁ ସଂପୂର୍ଣ୍ଣ ଭାବେ ଅପସରିଯାଇଛି । ଆଜି ସକାଳ ସାଢେ ୫ଟା ସୁଦ୍ଧା ଏହା ଉତ୍ତର ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶରେ ପହଞ୍ଚିଛି । ତେବେ ଏହା ଦୁର୍ବଳ ହୋଇ ଏବେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୪୮ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅବପାତ ଏବେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପ୍ରବଳ ବର୍ଷା କରାଉଥିବାରୁ ମହାନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ଫଳରେ ହୀରାକୁଦରେ ଜଳସ୍ତର ଆହୁରି ବଢିବାର ସମ୍ଭାବନା ରହିଛି ।

ଅବପାତ ଓଡ଼ିଶା ଅତିକ୍ରମ କରିଯାଇଥିବାରୁ ରାଜ୍ୟରେ ଆଜିଠାରୁ ବର୍ଷା କମିବା ସହ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି । ତେବେ ଗତ ୧୧ ତାରିଖଠାରୁ ତିନିଦିନ ପାଇଁ ହୋଇଥିବା ଲଗାଣ ବର୍ଷା ଫଳରେ ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ବିଶେଷକରି ମହାନଦୀ, ବ୍ରାହ୍ମଣୀ, ବୁଢାବଳଙ୍ଗ, ବୈତରଣୀରେ  ଜଳସ୍ତର ବିପଦ ସଂକେତ ନିକଟବର୍ତ୍ତୀ ରହିଛି । ହୀରାକୁଦରେ ୬ଟି ଗେଟ ଖୋଲାଯାଇଥିବାରୁ ତଳମୁଣ୍ଡରେ ବନ୍ୟା ଆଶଙ୍କା ଦେଖାଦେଇଛି ।

ସମ୍ବନ୍ଧିତ ଖବର