ଆହୁରି ୪୮ ଘଣ୍ଟା ଯାଏଁ ବର୍ଷିବ: ଆସନ୍ତାକାଲି ଖୋର୍ଦ୍ଧା-ଯାଜପୁର ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସ୍କୁଲ୍-ଅଙ୍ଗନବାଡ଼ି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ ରାଜ୍ୟର ଆହୁରି ୪୮ ଘଣ୍ଟା ଯାଏଁ ବର୍ଷା ଜାରି ରହିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଜାରି କରାଯାଇଥିବା ସତର୍କ ସୂଚନା ଅନୁସାରେ ଶୁକ୍ରବାର ବର୍ଷା ହେବ। ବର୍ଷା ଯୋଗୁଁ ରାଜ୍ୟର ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ଛୁଟି ରହିବ। ପ୍ରବଳ ବର୍ଷା ଯୋଗୁଁ ଆଜି କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ପୁରୀ, ଯାଜପୁର, ଭଦ୍ରକ, ଗଞ୍ଜାମ ଓ ଗଜପତି ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି ଗୁଡ଼ିକ ଛୁଟି ଘୋଷଣା କରାଯାଇଥିଲା।

ପାଣିପାଗ ବିଭାଗ ତରଫରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଆଜି ସଂଧ୍ୟା ୬ଟା ୧୫ ସୁଦ୍ଧା ୨୦ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା କରାଯାଉଛି। ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ ଓ କେନ୍ଦୁଝରରେ ବଜ୍ରପାତ ସହ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି।

ପ୍ରବଳ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ପାହାଡ଼ ଧସିବାରୁ ୧୫ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୫୦ରୁ ଅଧିକ ଗାଈଗୋରୁଙ୍କର ମୃତ୍ୟୁ ଘଟିଛି। ସେହିଭଳି ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝରରେ କାନ୍ଥ ପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର