ଆହୁରି ବର୍ଷିବ: ଆସନ୍ତାକାଲି ୪ଟି ଜିଲ୍ଲା ପାଇଁ ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି ଘୋଷଣା

ଖୋର୍ଦ୍ଧା-ଯାଜପୁର-ଭଦ୍ରକ-କେନ୍ଦୁଝର ଜିଲ୍ଲାର ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ ରାଜ୍ୟର ଆହୁରି ୪୮ ଘଣ୍ଟା ଯାଏଁ ବର୍ଷା ଜାରି ରହିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଜାରି କରାଯାଇଥିବା ସତର୍କ ସୂଚନା ଅନୁସାରେ ଶୁକ୍ରବାର ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ପୂର୍ବାନୁମାନ କରାଯାଉଛି। ବର୍ଷା ଯୋଗୁଁ ଖୋର୍ଦ୍ଧା, ଯାଜପୁର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ଛୁଟି ରହିବ। ପ୍ରବଳ ବର୍ଷା ଯୋଗୁଁ ଆଜି କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ପୁରୀ, ଯାଜପୁର, ଭଦ୍ରକ, ଗଞ୍ଜାମ ଓ ଗଜପତି ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି ଗୁଡ଼ିକ ଛୁଟି ଘୋଷଣା କରାଯାଇଥିଲା।

ପ୍ରବଳ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ପାହାଡ଼ ଧସିବାରୁ ୧୫ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୫୦ରୁ ଅଧିକ ଗାଈଗୋରୁଙ୍କର ମୃତ୍ୟୁ ଘଟିଛି। ସେହିଭଳି ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝରରେ କାନ୍ଥ ପଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୁରୀରେ ରେକର୍ଡ ବର୍ଷା ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ ଶ୍ରୀମନ୍ଦିର ଓ କୋଣାର୍କର ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକ କମ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର