ନୂଆପଡ଼ା/କୋମନା: ନୂଆପଡ଼ା ଜିଲ୍ଲାରେ ଶନିବାର ସନ୍ଧ୍ୟାରୁ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ରବିବାର ଲଖନା ଥାନା ପଟକରପାଲି ଗ୍ରାମରେ ଏକ ବଡ଼ ଅଘଟଣ ଘଟିଛି। ଏକ କୁକୁଡ଼ା ଫାର୍ମର ନିର୍ମାଣାଧୀନ କାନ୍ଥ ଭୁଶୁଡ଼ି ଗୋଟିଏ ପରିବାରର ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ନାବାଳିକା ଗୁରୁତର ଆହତ ହୋଇଛନ୍ତି। ମୃତକଦ୍ବୟ ହେଲେ ସେହି ଗାଁର ରୂପେ ଶବର (୬୧) ଓ ବାଲମତି ଶବର (୩୫)। 

Advertisment

ସୂଚନା ଅନୁଯାୟୀ, ପଟକରପାଲି ଗ୍ରାମର ଦିବାକର ଶବରଙ୍କୁ ନୂଆପଡ଼ା ପ୍ରାଣିସମ୍ପଦ ବିଭାଗ ପକ୍ଷରୁ ଏକ କୁକୁଡ଼ା ଫାର୍ମ ମଞ୍ଜୁର ହୋଇ ନିର୍ମାଣ କାମ ଚାଲିଛି। ଦିବାକରଙ୍କ ଆଈ ରୂପେ ଓ ସ୍ତ୍ରୀ ବାଲମତି ସେଠାରେ କାମ କରୁଥିଲେ। ଝିଅ ସିଦ୍ଧି ଶବର (୫) ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଆଜି ହଠାତ୍‌ କାନ୍ଥ ଭୁଶୁଡ଼ି ପଡ଼ିବାରୁ ରୂପେ ଓ ବାଲମତି ଚାପି ହୋଇଯାଇଥିଲେ। ସିଦ୍ଧିଙ୍କ ଅଣ୍ଟାରେ ଆଘାତ ଲାଗିଥିଲା। ତଥାପି ସେ ଗାଁକୁ ଯାଇ ଏ ବିଷୟରେ ପରିବାର ଲୋକମାନଙ୍କୁ ଜଣାଇଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଥିଲେ ହେଁ ସେତେବେଳକୁ ଉଭୟଙ୍କର ମୃତ୍ୟୁ ହୋଇସାରିଥିଲା।

ନୂଆପଡ଼ା ଆଦିବାସୀ ସଂଘ ସଭାପତି ଭାନୁପ୍ରତାପ ସିଂ ମାଝୀ, ଭକ୍ତବନ୍ଧୁ ଧରୁଆ, କମଳେଶ ଠାକୁର, ଜ୍ଞାନସିଂ ମାଝୀଙ୍କ ସହ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଦିବାକରଙ୍କ ୨ ସନ୍ତାନଙ୍କୁ ମାଗଣାରେ ପାଠପଢ଼ା ବ୍ୟବସ୍ଥା କରିବାକୁ ଦାବି କରିଥିଲେ। କୋମନା ଅତିରିକ୍ତ ତହସିଲଦାର ଯୋଗେଶ୍ବର ସାହୁ, କୁରୁମପୁରୀ ଆର୍‌ଆଇ ଗାଁରେ ପହଞ୍ଚି ମୃତକଙ୍କ ପରିବାରକୁ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଲଖନା ପୁଲିସ ଏକ ମାମଲା ରୁଜୁ କରିଛି। ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ପୁଲିସଠାରୁ ସୂଚନା ମିଳିଛି।