ଅଧା ରାଜ୍ୟରେ ବର୍ଷା ବିତ୍ପାତ, ୧୪୧ ବ୍ଲକ ପ୍ରଭାବିତ, ମାଲକାନଗିରି ସର୍ବାଧିକ କ୍ଷତିଗ୍ରସ୍ତ

ଜଣକର ମୃତ୍ୟୁ, କ୍ଷୟକ୍ଷତି ରିପୋର୍ଟ ମାଗିଲେ ସରକାର
ତଥାପି ଅଗଷ୍ଟ ୧୭ ସୁଦ୍ଧା ୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା
୧୯ରେ ପୁଣି ଲଘୁଚାପ, ବିପଦ ଆଣିପାରେ ମହାନଦୀ
ହୀରାକୁଦରେ ମୋଟ ୨୦ଟି ଗେଟ୍‌ ଖୋଲିଲା

ଭୁବନେଶ୍ୱର : ୧୩ ତାରିଖରୁ ଲାଗି ରହିଥିବା ଲଘୁଚାପ ଜନିତ ବର୍ଷା ରାଜ୍ୟର ଅଧା ଜିଲ୍ଲାକୁ ଅତିମାତ୍ରାରେ ପ୍ରଭାବିତ କରିଛି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୪୬୩.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଆଜି ବି କାଲିମେଳା ବ୍ଲକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ଏପଟେ ଜଳକା ନଦୀ ବି ବିପଦ ସଙ୍କେତ ଉପରେ ଗତି କରୁଛି। ଯଦିଓ ବଡ଼ ଧରଣର ବନ୍ୟା ପରିସ୍ଥିତି ନାହିଁ, କିନ୍ତୁ ଶହ ଶହ ହେକ୍ଟର ଚାଷ ଜମି ଉପରେ ଢେଉ ଖେଳୁଛି। ଶତାଧିକ ଲୋକଙ୍କ ଘର ଭାଙ୍ଗିଯାଇଛି। ସରକାରୀ ରିପୋର୍ଟ ଅନୁସାରେ ଦୁଇଜଣ ନୁହେଁ, ବଲାଙ୍ଗୀର ପାଟଣାଗଡରେ କାନ୍ଥପଡି ଜଣେ ପ୍ରାଣ ହରାଇଛନ୍ତି ଓ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

୩୦ଟି ଜିଲ୍ଲା ଅନ୍ତର୍ଗତ ୧୪୧ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ବର୍ଷା କାରଣରୁ ଅଧିକାଂଶ ବ୍ଲକ ଜଳାର୍ଣ୍ଣବ ରହିଛି। ଏଭଳି ସଙ୍ଗିନ୍ ସ୍ଥିତିରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ୧୯ ତାରିଖରୁ ପୁଣି ଏକ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବ। ଏହା ପରବର୍ତୀ ୨୪ ଘଣ୍ଚା ମଧ୍ୟରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇ ପ୍ରକୋପ ବଢାଇପାରେ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ବର୍ଷା ଜନିତ କ୍ଷୟକ୍ଷତି ସଂପର୍କରେ ସବୁଠାରୁ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ କଥା ହୋଇଥିଲେ। ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନାଙ୍କ ତଥ୍ୟ ଅନୁସାରେ ମାଲକାନଗିରି, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ, ଭଦ୍ରକ, ବରଗଡ ଜିଲ୍ଲାରେ ଭୀଷଣ ବର୍ଷା ହୋଇଛି। ଏହାବ୍ୟତୀତ ସମ୍ବଲପୁର, କୋରାପୁଟ, କଳାହାଣ୍ଡି ଓ ଅନୁଗୁଳ ଜିଲ୍ଲାରେ ୧୦୦ ମିଲିମିଟର ଉପରେ ବର୍ଷା ହୋଇଛି।

ମାଲକାନଗିରି ଜିଲ୍ଲାର କୋରକୁଣ୍ଡା ବ୍ଲକରେ ସର୍ବାଧିକ ୬୧୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିଭଳି ଚିତ୍ରକୋଣ୍ଡାରେ ୫୪୬ମିଲିମିଟର, ମାଥିଲି, କାଳିମେଳା, ଖଇରପୁଟ ଓ ପଡିଆ ବ୍ଲକରେ ୪୦୦ ମିିଲିମିଟରରୁ ଅଧିକ ବର୍ଷା ହୋଇଛି। କଟକର ବାଙ୍କୀ, ଆଠଗଡ, ମାହାଙ୍ଗା, ଢେଙ୍କାନାଳର ଭୁବନ, ଯାଜପୁରର ବରୀ, ବିଞ୍ଝାରପୁର, ବଡଚଣା, ଯାଜପୁର, ଧର୍ମଶାଳା, କଳାହାଣ୍ଡିର ଥୁଆମୁଳ ରାମପୁର, କେନ୍ଦ୍ରାପଡାର ଡେରାବିଶ ଓ ମାଲକାନଗିରି ସଦର ଭଳି ୧୨ଟି ବ୍ଲକରେ ବର୍ଷା ପରିମାଣ ୩୦୦ ମିଲିମିଟର ଉପରେ ରହିଛି। ୨୧ଟି ବ୍ଲକରେ ବର୍ଷାର ପରିମାଣ ୨୦୦ ମିଲିମିଟର ଉପରେ ରହିଛି। ବାକି ୧୦୨ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।

ପ୍ରାଥମିକ ଖବର ଅନୁସାରେ ପ୍ରାୟ ୨୭୧ ହେକ୍ଟର ଚାଷ ଜମି ପାଣି ଘେରରେ ଥିବା କୁହାଯାଇଛି। ସେହିପରି ୨୦୦ଟି କଚ୍ଚା ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଆଜି ମୁଖ୍ୟଶାସନ ସଚିବ ତୁରନ୍ତ କ୍ଷୟକ୍ଷତି ଅନୁଧ୍ୟାନ ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। ସେମାନଙ୍କ ରିପୋର୍ଟ ଆଧାରରେ ସରକାର କ୍ଷତିପୂରଣ ପ୍ରଦାନ କରିବେ।

ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ ବନ୍ୟାପାଣି ମାଡିଥିବା ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା। ପାଣି ଛାଡିବା ପରେ ସେମାନେ ଘରକୁ ଫେରିଛନ୍ତି। ଗୋଦାବରୀ ନଦୀରେ ବନ୍ୟା ଆଶଙ୍କା କରାଯାଉଛି। ସେଥିପାଇଁ ସ୍ଥାନୀୟ ପ୍ରଶାସନକୁ ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଛି। ଢେଙ୍କାନାଳ ଓ ମାଲକାନଗିରିର ବିଭିନ୍ନ ଅଂଚଳ ବ୍ୟାପକ ପ୍ରଭାବିତ ହୋଇଛି। କିଛି ରାସ୍ତା ବିଚ୍ଛିନ୍ନ ରହିଛି। ବଲାଙ୍ଗୀରରେ କାନ୍ଥ ପଡି ଜଣଙ୍କର ମୃତ୍ୟୁ ଓ ଜଣେ ଗୁରୁତର ଆହତ ଥିବା ମନ୍ତ୍ରୀ କହିଛନ୍ତି।

ସେହିପରି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ବାରମ୍ବାର ରାଜ୍ୟରେ ଲଘୁଚାପ ହେବା ଫଳରେ କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ବର୍ତ୍ତମାନ ସୃଷ୍ଟି ହୋଇଛି, ଚାଷଜମି କ୍ଷତିଗ୍ରସ୍ତ ହୋଇଥିବାର ଖବର ଆସୁଛି। କୃଷି ବିଭାଗ ତରଫରୁ ଚାଷ ଜମି କ୍ଷୟକ୍ଷତିର ରିପୋର୍ଟ ମଗାଯାଇଛି। କୃଷକମାନଙ୍କୁ ବନ୍ୟା କ୍ଷୟକ୍ଷତି ସହାୟତା ଯୋଗାଇ ଦେବା ପାଇଁ କୃଷି ବିଭାଗ ପ୍ରସ୍ତୁତ ଅଛି।

kalingatv.com

ଅନ୍ୟପକ୍ଷରେ ୧୯ ତାରିଖରୁ ହେବାକୁ ଥିବା ଲଘୁଚାପକୁ ନେଇ ଛତିଶଗଡ ସରକାର ମଧ୍ୟ ତାଙ୍କ ରାଜ୍ୟରେ ସତର୍କତା ଜାରି କରିଛନ୍ତି। ଏପଟେ ଜଳସଂପଦ ବିଭାଗ ପକ୍ଷରୁ କୁହାଯାଇଛି ଯେ ସରକାର ମହାନଦୀ ଉପରେ ନଜର ରଖିଛନ୍ତି। ବର୍ତ୍ତମାନ ହୀରାକୁଦରେ ଜଳପତନ ୬୧୬.୦୮ଫୁଟ ରହିଛି। ପ୍ରତି ସେକେଣ୍ଡରେ ୩ ଲକ୍ଷ ୩୩ ହଜାର ୪୩୧ ଘନଫୁଟ ଜଳ ପ୍ରବେଶ କରୁଛି। ଏହି ସମୟରେ ୩ ଲକ୍ଷ ୬ ହଜାର ୯୨୦ ଘନଫୁଟ ଜଳ ନିଷ୍କାସିତ ହେଉଛି।

ଉପର ମୁଣ୍ଡରେ ମହାନଦୀକୁ କେତେ ଜଳ ପ୍ରବେଶ କରୁଛି ସେନେଇ ବିଭାଗ ସଜାଗ ରହିଛି ଓ ତେଲ ଏବଂ ଜିରା ଭଳି ନଦୀରୁ ମହାନଦୀକୁ କେତେ ଜଳ ଆସୁଛି ତାହାକୁ ବି ହିସାବ କରାଯାଉଛି। ପାଣିପାଗ ବିଭାଗ ଯେଉଁ ପୂର୍ବାନୁମାନ କରିଛନ୍ତି, ସେଥିରେ ଛତିଶଗଡ଼ର ଉପର ମୁଣ୍ଡରେ ବର୍ଷା ଅଛି। ଏବେ ହୀରାକୁଦରେ ୨୦ଟି ଗେଟ ଖୋଲାଯାଇଛି। ଖଇରମାଳଠାରେ ୩ ଲକ୍ଷ ୮୫ ହଜାର ଘନଫୁଟ, ବରମୂଳଠାରେ ୪ ଲକ୍ଷ ୫୦ ହଜାର ଘନଫୁଟ, ମୁଣ୍ଡଳିଠାରେ ୪ ଲକ୍ଷ ୩୧ ହଜାର ୪୦୦ ଘନଫୁଟ ପାଣି ପ୍ରବାହିତ ହେଉଛି। ଏଣୁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳସଂପଦ ବିଭାଗ କହିଛି।

ଉଲ୍ଲେଖଯୋଗ୍ୟ, ଜୁନ୍ ୧ରୁ ଅଗଷ୍ଟ ୧୭ ତାରିଖ ଯାଏ ବର୍ଷାର ପରିମାଣକୁ ବିଚାରକୁ ନେଲେ, ମାତ୍ର ୫ଟି ଜିଲ୍ଲାରେ ଏବେ ନିଅଣ୍ଟିଆ ବର୍ଷା ରହିଛି। ସେଗୁଡିକ ହେଲା, ମୟୂରଭଂଜ(-୧୯.୨%), ଜଗତସିଂହପୁର (-୨୩.୧%), ଖୋର୍ଧା (-୨୩.୭%), ବାଲେଶ୍ବର (-୨୬.୩%) ଓ ପୁରୀ (-୨୯.୨%)। ରାଜ୍ୟର ସାମଗ୍ରିକ ହାରାହାରି ବୃଷ୍ଟିପାତ ମାତ୍ର ୪.୮% କମ ରହିଛି।

ସମ୍ବନ୍ଧିତ ଖବର