ରାଜ୍ୟରେ ପ୍ରବଳ ବର୍ଷା; ଭୁବନେଶ୍ୱର, ପୁରୀ ବେହାଲ୍‌

୧୦ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା, ବୁଡ଼ିଲା ‘ମୋ ବସ୍‌’, ବର୍ତ୍ତିଲେ ଯାତ୍ରୀ

ଭୁବନେଶ୍ବର : ପ୍ରବଳ ବର୍ଷାରେ ଶନିବାର ଦିନ ରାଜ୍ୟର ଅଧିକାଂଶ ସ୍ଥାନ ବେହାଲ ହୋଇଯାଇଛି। ସକାଳୁ ସକାଳୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ ଦିନ ବଢ଼ିବା ସହ ବର୍ଷା ବଢ଼ିଥିଲା। ରାଜଧାନୀ ଭୁବନେଶ୍ବର ସମେତ କଟକ, ପୁରୀ, ସୋନପୁର, ଖୋର୍ଧା, ଜଗତସିଂହପୁର, କଳାହାଣ୍ଡି, ଗଂଜାମ, ମାଲକାନଗିରି, କୋରାପୁଟ ଓ ବୌଦ୍ଧ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ସଂଧ୍ୟା ସାଢ଼େ ୫ଟା ସୁଦ୍ଧା ପୁରୀରେ ସର୍ବାଧିକ ବର୍ଷା ୯୯.୯ ମିମି ହୋଇଯାଇଛି। ଏହା ପଛକୁ ରହିଛି ସୋନପୁର ସହର। ଏଠାରେ ୯୯ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ଚାନ୍ଦବାଲିରେ ୫୩.୬ ମିମି ଓ ଖୋର୍ଧାରେ ୪୦ ମିମି ବର୍ଷା ହୋଇଯାଇଛି। ଏଥିସହ ସଂଧ୍ୟାରୁ ଲଗାତାର ବର୍ଷା ଲାଗି ରହିଛି।

ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଦିନ ତମାମ ବର୍ଷା ଲାଗି ରହିଥିବା ବେଳେ କିଛି କିଛି ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଲଘୁଚାପ ସୃଷ୍ଟି ନ ହେଉଣୁ ଏହାର ପ୍ରଭାବରେ ହେଉଥିବା ବର୍ଷାରେ ଅଧା ରାଜଧାନୀ ବୁଡ଼ି ରହିଥିବା ‌ବେଳେ ଆସନ୍ତାକାଲି ଲଘୁଚାପ ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାରେ ସ୍ଥିତି କ’ଣ ହେବ ତାହା ଚିନ୍ତାଜନକ।

ଶନିବାରର ଘଣ୍ଟାଏ ବର୍ଷାରେ ଜଟଣୀ ରେଳ ଭୂତଳ ରାସ୍ତାରେ ପ୍ରାୟ ୧୦ ଫୁଟର ବର୍ଷା ଓ ନର୍ଦ୍ଦମା ଜଳ ଜମିରହିଛି। ଏହି ସମୟରେ ଷ୍ଟେସନ ଦିଗରୁ ଆସୁଥିବା ଏକ ‘ମୋ ବସ୍’ ରେଳ ଭୂତଳ ରାସ୍ତାରେ ଅଧା ବୁଡ଼ିଯିବାରୁ ବସ୍‌ରେ ଥିବା ଯାତ୍ରୀମାନେ ନର୍ଦ୍ଦମା ପାଣିରେ ପହଁରିପହଁରି ନିଜକୁ ବଞ୍ଚାଇଥିଲେ। ସେହିପରି ଅନ୍ୟ ଏକ ଟ୍ରକ୍‌ ମଧ୍ୟ ଏହି ଭୂତଳ ରାସ୍ତାରେ ବୁଡ଼ିଯାଇଛି।

ଆଜିଠାରୁ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ। ୯ ତାରିଖ ଯାଏ ଭୀଷଣରୁ ଅତି ଭୀଷଣ ବର୍ଷା ହେବ। ଫଳରେ ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ, ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ନଦୀର ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି। ଏଣୁ ଏସବୁ ସମସ୍ୟାକୁ ନଜରରେ ରଖି ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।

ପାଣିପାଗ କେନ୍ଦ୍ରର ସୂଚନା କହୁଛି ଯେ ଆଜିଠାରୁ ବର୍ଷାର ପ୍ରଭାବ ବଢ଼ିବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ଗଞ୍ଜାମ, ପୁରୀ ଓ ରାୟଗଡ଼ା ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରାଇଛି। ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାବ୍ୟତୀତ ଗଜପତି, ନବରଙ୍ଗପୁର, ସୋନପୁର, ନୂଆପଡ଼ା, ଖୋର୍ଧା, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଓ ବରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ଏପରି ବର୍ଷା ଜାରି ରହିବ। ୮ ତାରିଖ ଦିନ ଗଞ୍ଜାମ, ପୁରୀ, ଖୋର୍ଧା, କନ୍ଧମାଳ, ମାଲକାନଗିରି, କୋରାପୁଟ, କଳାହାଣ୍ଡି, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ପୁରୀ, ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାର କିଛି ସ୍ଥାନରେ ଭୀଷଣରୁ ଅତିଭୀଷଣ ବର୍ଷାର ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଦିନ ଭଦ୍ରକ, ଯ‌ାଜପୁର, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ଗଜପତି, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

୯ ତାରିଖ ଦିନ ବଲାଙ୍ଗୀର, ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଳାହାଣ୍ଡି, ଜଗତସିଂହପୁର, ଢେଙ୍କାନାଳ ଓ ଯାଜପୁର ଆଜି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ବରଗଡ଼, ସୋନପୁର, ବଲାଙ୍ଗୀର ଓ ବୌଦ୍ଧ ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ଭୀଷଣରୁ ଅତିଭୀଷଣ ବର୍ଷା ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯିବା ସହ କିଛି କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନ‌ାକୁ ନେଇ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି। ୧୦ ତାରିଖ ଆଡ଼କୁ ବର୍ଷାର ପରିମାଣ ଓ ବିସ୍ତୃତି କମିବ। କିନ୍ତୁ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ବର, ଅନୁଗୁଳ, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତାକାଲି ମଧ୍ୟ ଭୁବ‌ନେଶ୍ବର ଓ ଆଖପାଖ ଅଞ୍ଚଳର ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଲାଗି ରହିବ। ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରି ମଧ୍ୟରେ ରହିବ। ପାଖାପାଖି ୭୦ ମିମିରୁ ଅଧିକ ବର୍ଷା ହୋଇପାରେ।

ସିଂହଦ୍ବାର ଉବୁଟୁବୁ

ପୁରୀ : ଲଗାଣ ବର୍ଷାରେ ସିଂହଦ୍ବାର ଉବୁଟୁବୁ ହୋଇଛି। ସିଂହଦ୍ବାର ସମ୍ମୁଖରେ ୧ ଫୁଟ ଉଚ୍ଚର ପାଣି ଲହଡ଼ି ଭାଙ୍ଗି ବାଇଶି ପାହାଚରୁ ବର୍ଷା ଜଳ ନିଷ୍କାସନ ବେଳେ ଝରଣାର ଭ୍ରମ ସୃଷ୍ଟି କରୁଥିଲା। ସ୍ଥିତି ଏପରି ହୋଇଥିଲା ଯେ ସିଂହଦ୍ବାର ସମ୍ମୁଖରେ ଭକ୍ତଙ୍କ ନିୟନ୍ତ୍ରଣ ପାଇଁ ରଖାଯାଇଥିବା ବ୍ୟାରିକେଡ୍‌ ଭାସି ଯାଇଥିଲା। ପାଦ ପ୍ରକ୍ଷାଳନ ସ୍ଥଳ ବି ବୁଡ଼ି ଯାଇଥିଲା। ଭକ୍ତମାନେ ବହୁ ସମୟ ଛିଡ଼ା ହେବା ପରେ ମଧ୍ୟ ପାଣିର ସୁଅ ଦେଖି ‌ଦର୍ଶନ ପାଇଁ ଯାଇପାରିନଥିଲେ। ସେହିଭଳି ଜଗନ୍ନାଥ ବଲ୍ଲଭ‌ ପାର୍କିଂ ମଧ୍ୟ ଜଳାର୍ଣ୍ଣବ ହୋଇଯାଇଥିଲା। ବିଭିନ୍ନ ସାହିରୁ ନିଷ୍କାସିତ ବର୍ଷା ଜଳ ଓ ନାଳପାଣି ମିଶି ପରିସ୍ଥିତିକୁ ଖରାପ କରିଦେଇଥିଲା।

ସମ୍ବନ୍ଧିତ ଖବର