ପଶ୍ଚିମା ଝଡ଼ ପ୍ରଭାବରେ ପ୍ରବଳ ବର୍ଷା, ଆଜିଠୁ ପାଗ ଶୁଖିଲା

ଭୁବନେଶ୍ବର : ଶୁକ୍ରବାର ରାତି ୧୦ଟାରୁ ଆରମ୍ଭ ହୋଇଯାଇଥିଲା ବର୍ଷା। ରାତି ବଢ଼ିବା ସଙ୍ଗେସଙ୍ଗେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ରାତି ସାରା ବର୍ଷିବା ପରେ ସକାଳୁ କିଛି ସମୟ ବିରତି ମିଳିଥିଲା। କିନ୍ତୁ ପୂର୍ବାହ୍ନ ୧୦ଟା ଆଡ଼କୁ ଆକାଶରେ ଛାଇ ଯାଇଥିଲା କଳାହାଣ୍ଡିଆ ମେଘ ଓ ବର୍ଷା ପ୍ରବଳ ଛେଚିବା ଆରମ୍ଭ କରିଦେଇଥିଲା। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଶୁକ୍ରବାର ଅପରାହ୍ନରୁ ଶନିବାର ଅପରାହ୍ନ ମଧ୍ୟରେ ପ୍ରବଳ ବର୍ଷା ହୋଇଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବାଧିକ ବର୍ଷା ଦାରିଙ୍ଗବାଡ଼ିଠାରେ ୬୭ ମିମି ରେକର୍ଡ ହୋଇଥିବା ବେଳେ କଟକର ନରାଜଠାରେ ୬୫.୨ ମିମି, ଦଶପଲ୍ଲାରେ ୬୨.୪ ମିମି, ଢେଙ୍କାନାଳରେ ୬୦.୯ ମିମି ଲେଖାଏ ବର୍ଷା ରେକର୍ଡ ହୋଇଛି। ସେହିଭଳି ରାଜଧାନୀ ଭୁବନେଶ୍ବରରେ ଗତ ୨୪ ଘଣ୍ଟାରେ ୪୩.୬ ମିମି, କଟକରେ ୩୮.୨ ମିମି ବର୍ଷା ହୋଇଯାଇଛି।

ଏଥିସହ ଦାରିଙ୍ଗବାଡ଼ି ଓ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳରେ କୁଆପଥର ବର୍ଷା ମଧ୍ୟ ହୋଇଯାଇଛି। ବର୍ଷା ଫଳରେ ରାଜ୍ୟର ତାପମାତ୍ରା ପାଖାପାଖି ୩ରୁ ୪ ଡିଗ୍ରି ଯାଏ ଖସିଯାଇଛି। ଆଜିଠାରୁ ରାଜ୍ୟର ପାଗ ଶୁଖିଲା ରହିବ। ଖରା ପ୍ରବଳ ହେବ ଓ ଧୀରେଧୀରେ ରାଜ୍ୟର ତାପମାତ୍ରା ବଢ଼ିବ। ଆସନ୍ତା ୫ ତାରିଖ ଦିନ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବର୍ଷା ଯୋଗୁଁ ରାଜ୍ୟର ତାପମାତ୍ରା ପାଖାପାଖି ୩ରୁ ୪ ଡିଗ୍ରି ଖସିଥିବା ବେଳେ ଆଜିଠାରୁ ବଢ଼ିବ। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଅଳ୍ପ ବର୍ଷା ହୋଇପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୨୬ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରି ମଧ୍ୟରେ ରହିବ।

ସମ୍ବନ୍ଧିତ ଖବର