ମହାବାତ୍ୟା ଓ ଫାଇଲିନ୍‌ଠାରୁ ଅଧିକ ବର୍ଷିଲା

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତ ୩ ଦିନ ହେଲା ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏତେ ବର୍ଷା ହୋଇଛି ଯେ ୧୯୯୯ର ମହାବାତ୍ୟା କିମ୍ବା ୨୦୧୩ର ହୁଡ଼ହୁଡ଼ ସମୟରେ ଏଭଳି ବର୍ଷା ହୋଇ ନ ଥିଲା। ହାତଗଣତି କିଛି ଜିଲ୍ଲାକୁ ଛାଡ଼ି ସାରା ରାଜ୍ୟରେ ଅତିପ୍ରବଳ ବର୍ଷା ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।

୧୯୯୯ ଅକ୍ଟୋବର ୨୯ରେ କଟକ ଜିଲ୍ଲାର ବାରଙ୍ଗ ବ୍ଲକରେ ୨୫ ମିମି, ଖୋର୍ଧାର ଜଟଣୀ ବ୍ଲକରେ ୧୫, ପୁରୀର ବ୍ରହ୍ମଗିରିରେ ୨୦, ଡେଲାଙ୍ଗରେ ୪୭, ପିପିଲିରେ ୧୫ ଓ ପୁରୀରେ ୭୭ ମିମି ବର୍ଷା ହୋଇଥିଲା। ଅକ୍ଟୋବର ୩୦ ତାରିଖରେ ପୁରୀରେ ୨୪୨, ଜଟଣୀରେ ୨୧୩, ଡେଲାଙ୍ଗରେ ୨୨୮, ବ୍ରହ୍ମଗିରିରେ ୯୦, ବାରଙ୍ଗରେ ୬୦, ପିପିଲିରେ ୭୫ ମିମି ବର୍ଷା ରେକର୍ଡ କରାଯାଇଥିଲା। ହେଲେ ଏବର୍ଷ ସବୁ ରେକର୍ଡ ଭାଙ୍ଗିଛି ଏଥରର ବର୍ଷା। ଗତକାଲି ରାଜ୍ୟର ୧୬ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି। ପୁରୀରେ ୩୨୨ ମିମି ବର୍ଷା ହୋଇଥିବା ବେଳେ ବ୍ରହ୍ମଗିରିରେ ୨୯୩, ରାମପୁରରେ ୨୮୮.୪, ଜୁନାଗଡ଼ରେ ୨୫୬, ଜଟଣୀରେ ୨୫୫, ଡେଲାଙ୍ଗରେ ୨୪୫, ତେନ୍ତୁଲିଖୁଣ୍ଟିରେ ୨୪୧.୪, ପିପିଲିରେ ୨୪୦, କେସିଙ୍ଗାରେ ୨୩୭, କାଶୀପୁରରେ ୨୨୩, ବୈପାରୀଗୁଡ଼ାରେ ୨୨୦, ନର୍ଲାରେ ୨୧୨.୭, ଜୟପାଟଣାରେ ୨୧୦, କୋରକୁଣ୍ଡାରେ ୨୦୧.୮, ବାରଙ୍ଗରେ ୨୦୫, କଲାମପୁରରେ ୨୦୦ ମିମି ବର୍ଷା ରେକର୍ଡ କରାଯାଇଛି। ଜୁଲାଇ ୨୨ ଅର୍ଥାତ୍‌ ଆଜି ସମ୍ବଲପୁର ବୁର୍ଲାସ୍ଥିତ ହୀରାକୁଦ ଡ୍ୟାମ୍‌ ପ୍ରକଳ୍ପ ଅଞ୍ଚଳରେ ୬୨୨ ମିମି ବର୍ଷା ହୋଇଥିବା ଜଣାପଡ଼ିଛି। ୧୯୯୨ ଅଗଷ୍ଟ ୧୯ରେ ସମ୍ବଲପୁରରେ ସର୍ବାଧିକ ୫୮୧.୯ ମିମି ବର୍ଷା ହୋଇଥିଲା। ଯାହାକି ଏକ ରେକର୍ଡ ହୋଇଥିଲା।

ଗତ ତିନି ଦିନ ଧରି ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଭଳି କୌଣସି କ୍ଷୟକ୍ଷତି ହୋଇ ନ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ସାଙ୍ଗକୁ ସ୍ୱତନ୍ତ୍ର ରିଲିଫ୍‌ କମିିସନରଙ୍କ ବାରମ୍ବାର ଆଲୋଚନା, ସ୍ଥିତି ସମୀକ୍ଷା, ଜିଲ୍ଲାସ୍ତର ଅଧିକାରୀଙ୍କୁ ସଜାଗ ରଖାଯିବା ଫଳରେ ଏପର୍ଯ୍ୟନ୍ତ ବଡ଼ଧରଣର ଦୁର୍ଘଟଣା ହୋଇ ନାହିଁ। କେବଳ ତଳିଆ ଅଞ୍ଚଳରେ ଥିବା ଘର ଓ ରାସ୍ତା ଉପରେ ବର୍ଷା ଜଳ ଜମି ରହିବା ଦ୍ୱାରା କିଛି ସମୟ ପାଇଁ ଜନଜୀବନ ବ୍ୟାହତ ହୋଇଥିଲା। ଏବେ ପୁଣିଥରେ ସ୍ଥିତି ସ୍ୱାଭାବିକ୍‌ ହୋଇଛି। ବିଦ୍ୟୁତ୍‌ ସରବରାହ, ପାନୀୟ ଜଳଯୋଗାଣ, ଗମନାଗମନ କ୍ଷେତ୍ରରେ ମଧ୍ୟ ବିଶେଷ ବାଧା ଉପୁଜି ନ ଥିବା କୁହାଯାଇଛି।

ସମ୍ବନ୍ଧିତ ଖବର