ଦୁଇଟି ଲଘୁଚାପ, ପ୍ରବଳ ବର୍ଷିବ: ୩୬ ଘଣ୍ଟାରେ ବାରିପଦାରେ ଦେଶରେ ସର୍ବାଧିକ ବର୍ଷା

ବାରିପଦାରେ ୧୩୧.୬ ମିମି ବର୍ଷିଲା, ଓଡ଼ିଶା ପାଇଁ ଅରେଞ୍ଜ ଆଲର୍ଟ ଜାରି

ଭୁବ‌ନେଶ୍ବର : ଉତ୍ତର ବଙ୍ଗୋପସାଗର ତଥା ପଶ୍ଚିମବ‌ଙ୍ଗ ଉପକୂଳରେ ଦାନା ବାନ୍ଧୁଛି ଲଘୁଚାପ। ଶୁକ୍ରବାର ଏହାର ଚିତ୍ର ସ୍ପଷ୍ଟ ହେବାର ଥିବା ବେଳେ ଆଜିଠାରୁ ଓଡ଼ିଶାରେ ସକ୍ରିୟ ହୋଇଛି ମୌସୁମୀ। ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ଉତ୍ତର ଓ ଉପକୂଳ ଓଡ଼ିଶାରେ ୩୬ ଘଣ୍ଟା ହେଲା ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ‌‌ବାରିପଦାରେ ଦେଶର ସର୍ବାଧିକ ବର୍ଷା‌ ୧୩୧.୬ ମିମି ବର୍ଷା ରେକର୍ଡ କରାଯାଇଛି। ଏଥିସହ ବାଲେଶ୍ବର, ଚନ୍ଦବାଲି, କଟକ, ଭୁବନେଶ୍ବର, ପୁରୀ, ସମ୍ବଲପୁର, ତା‌ଳ‌ଚେର, ଅନୁଗୁଳ ଆଦି ସ୍ଥାନରେ ବି ପ୍ରବଳ ବର୍ଷା ଲାଗି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୨୬ ଓ ୨୭ ତାରିଖ ଲାଗି ଓଡ଼ିଶା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ଯେ ୨୬ ତାରିଖରେ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବଳୟ ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ଭାରତରେ ବର୍ଷା ଲାଗି ରହିଛି। ଦୁଇ ଦିନ ଧରି ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ୩୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବ ମଧ୍ୟ ଉପକୂଳ ଓଡ଼ିଶା ଉପରେ ରହିବ। ପୂର୍ବ କେନ୍ଦ୍ରୀୟ ଭାରତର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଶୁକ୍ରବାର ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୨୭ତାରିଖ ବେଳକୁ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ଅଶାନ୍ତ ରହିବ। ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବ। ତେଣୁ ମତ୍ସ୍ୟଜୀବୀମାନେ ୨୭ ଓ ୨୮ତାରିଖରେ ଓଡ଼ିଶା ଉପକୂଳ ସମେତ ଉତ୍ତରପଶ୍ଚିମ ଓ ଏହା ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବି ଅନୁରୂପ ଭାବେ ସତର୍କ ସୂଚନା ଜାରି କରିଛି। କୁହାଯାଇଛି ଯେ ୨୬ ତାରିଖରେ ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଜଗତ୍‌ସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କଟକ, ପୁରୀ, ଖୋର୍ଧା, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେରାପୁଟ, କେନ୍ଦ୍ରାପଡ଼ା, ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ। ୨୭ ଓ ୨୮ ତାରିଖରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଆଜି ସଂଧ୍ୟା‌ ୫ଟା ସୁଦ୍ଧା ବାରିପଦାରେ ସର୍ବାଧିକ ୧୩୧.୬ ମିମି, କଟକରେ ୬୩.୮, ପୁରୀରେ ୬୩.୬, ସମ୍ବଲପୁରରେ ୬୩.୪, ତାଳଚେରରେ ୫୨, ବାଲେଶ୍ବରରେ ୪୮.୨, ଅନୁଗୁଳରେ ୪୧.୬, ବଲାଙ୍ଗୀରରେ ୩୮, ଝାରସୁଗୁଡ଼ାରେ ୩୬.୬, ଭୁବନେଶ୍ବରରେ ୩୪.୯, ଚାନ୍ଦବାଲିରେ ୩୧, ଗୋପାଳପୁରରେ ୨୭.୨, ସୋନପୁରରେ ୨୫.୪ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର