ଅବିଶ୍ରାନ୍ତ ବର୍ଷା : ଆଜି ୧୫ ଜିଲ୍ଲାରେ ବର୍ଷିବ

୧୦ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ, ଦୁଇ ମୃତ, ୩ରୁ ଅଧିକ ଆହତ, ରେଳସେବା ପ୍ରଭାବିତ, ବହୁ ଅଞ୍ଚଳ ଜଳାର୍ଣ୍ଣବ, ପୁରୀ ଓ ଗଞ୍ଜାମରେ ସର୍ବାଧିକ ବର୍ଷା

ଭୁବନେଶ୍ବର : ୪୮ ଘଣ୍ଟା ହେଲା ଲାଗିରହିଛି ବର୍ଷା। କେଉଁଠି ତୁହାକୁ ତୁହା ବର୍ଷା ହେଉଛି ତ ଆଉ କେଉଁଠି ଅବିଶ୍ରାନ୍ତ। ମୌସୁମୀ ସମୟରେ କେବେ ବି ଏମିତି ବର୍ଷା ହୋଇ ନଥିଲା। ଲଘୁଚାପ ଜନିତ ଲଗାଣ ବର୍ଷାରେ ଅଧା ଓଡ଼ିଶା ପ୍ରଭାବିତ ହୋଇଛି। ଗମନାଗମନ ଏକପ୍ରକାର ଠପ୍‌ ହୋଇଯାଇଛି। ଦକ୍ଷିଣ ଓଡ଼ିଶା‌ରେ ରେଳ ସେବା ପ୍ରଭାବିତ ହୋଇଥିବା ବେଳେ ସଡ଼କ ପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମି ରହିଛି। ଏଭଳି ସ୍ଥିତି ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ। ତାହାକୁ ଦୃଷ୍ଟିରେ ରଖି ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଢେଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଧା, ପୁରୀ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ମାଟି ଘର ଭାଙ୍ଗିବା ସହ ରାସ୍ତା ଧୋଇଯିବାର ଆଶଙ୍କା ଥିବାରୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ପଦକ୍ଷେପ ‌ନେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଏହି ସମୟ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଞ୍ଜାମ, ନୟାଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱା‌ର୍ଣ୍ଣିଂ ଜାରି ହୋଇଛି। ଯେକୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ପ୍ରସ୍ତୁତ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏଥିସହ ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, କନ୍ଧମାଳ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୨୬ ତାରିଖ ସକାଳ ପର୍ଯ୍ୟନ୍ତ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ଲଗାଣ ବର୍ଷା ଯୋଗୁଁ ୮ରୁ ଅଧିକ ଜିଲ୍ଲା ପ୍ରଭାବିତ ହୋଇଛି। ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ପାହାଡ଼ ଧସିବାରୁ ୨୦ଟି ଘର କ୍ଷତିଗ୍ରସ୍ତ ହୋଇଛି। ଶତାଧିକ ଗାଈଗୋରୁଙ୍କର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ପୁଟାସିଂ ନିକଟ ରେଜିଙ୍ଗତାଲ ଘାଟିରେ ଭୂସ୍ଖଳନ ହେବାରୁ ପାହାଡ଼ରୁ ପଥର ଖସି ରାସ୍ତା ଉପରେ ପଡ଼ିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାସ୍ତା ଧୋଇଯାଇଥିବା ବେଳେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ଶହ ଶହ ଏକର ଧାନ ଜମିରେ ବର୍ଷା ପାଣି ଢେଉ ଖେଳୁଛି। ପାଚିଲା ଧାନ ଫସଲ ଜମି‌ରେ ପଡ଼ିରହିଛି। କୋଣାର୍କ ମନ୍ଦିର ଭିତରେ ପାଣି ଜମି ରହିବା ଦ୍ବାରା ପର୍ଯ୍ୟଟକ ଏହି ବିଶ୍ବ ଐତିହ୍ୟ ସ୍ଥଳ ବୁଲି ନ ପାରି ଫେରିଯାଇଛନ୍ତି। କଟକ, ପୁରୀ, ଭୁବନେଶ୍ବର ପରି ସହର ତଳି ଅଞ୍ଚଳରେ ପାଣି ଜମି ରହିଛି।

ପ୍ରବଳ ବର୍ଷା ଲାଗିରହିଥିବାରୁ ଆଜି ସକାଳୁ କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ପୁରୀ, ଯାଜପୁର, ଭଦ୍ରକ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା। ତେବେ ଖୋର୍ଧା ଜିଲ୍ଲାରେ ବର୍ଷା ଲାଗିରହିଥିଲେ ମଧ୍ୟ ଜିଲ୍ଲାପାଳ ଛୁଟି ଘୋଷଣା କରି ନଥିଲେ। ଯେଉଁଥିପାଇଁ ସକାଳୁ ବହୁ ବିଦ୍ୟାଳୟର ଛାତ୍ରଛାତ୍ରୀ ବର୍ଷାରେ ଭିଜି ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଯାଇଥିଲେ। ବିଭିନ୍ନ ଆଡ଼ୁ ଚାପ ପଡ଼ିବା ପରେ ଅପରାହ୍ନରେ ଜିଲ୍ଲାପାଳ ଆଜି ଛୁଟି ଘୋଷଣା କରିବା ସହ ଶୁକ୍ରବାର ମଧ୍ୟ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ ବୋଲି ବିଜ୍ଞପ୍ତି ପ୍ରକାଶ କରିଥିଲେ। ସମ୍ଭାବ୍ୟ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଶୁକ୍ରବାର ୧୦ଟି ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଛି। ଖୋର୍ଧା ସମେତ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଢେଙ୍କାନାଳ, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, ‌ପୁରୀ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ ବୋଲି ସୂଚନା ମିଳିଛି।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ୪୫.୧୦ ମିମି ବର୍ଷା ହୋଇଛି। ୫ଟି ଜିଲ୍ଲାରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। ପୁରୀରେ ସର୍ବାଧିକ ୧୩୮.୩ ମିମି ବର୍ଷା ହୋଇଥିବା ବେଳେ ଗଞ୍ଜାମରେ ୧୨୫.୨, ଖୋର୍ଧାରେ ୧୦୫.୭, ଗଜପତିରେ ୧୦୦.୬ ଓ ଜଗତ୍‌ସିଂହପୁରରେ ୧୦୦ ମିମି ବର୍ଷା ରେକର୍ଡ କରାଯାଇଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ସର୍ବାଧିକ ୨୪୯.୪ ମିମି ବର୍ଷା ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ଚିଲିକା ବ୍ଲକରେ ୨୦୩ ମିମି ବର୍ଷା ହୋଇଛି। ୪୬ରୁ ଅଧିକ ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। କାଶିନଗରଠାରେ ବଂଶଧାରା ନଦୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୫୪.୬୦ ମିଟର ରହିଥିବା ବେଳେ ରାତି ୮ଟା ସୁଦ୍ଧା ୫୪.୬୫ ମିଟରରେ ପହଞ୍ଚିଛି। ଅନ୍ୟ ସମସ୍ତ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରଭାବିତ ହେଉଛି।

ବର୍ଷା ଯୋଗୁଁ କାନ୍ଥ, ଗଛ ପଡ଼ି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ତେବେ ସରକାରୀ ଭାବେ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ମିଶ୍ରମାଳ ଗାଁରେ କାନ୍ଥ ଭୁଶୁଡ଼ି ମକରା ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ତାଙ୍କ ସ୍ତ୍ରୀ ସମାରି ମୁଣ୍ଡା ଓ ଜ୍ବାଇଁ ମୁନା ମୁଣ୍ଡା ଗୁରୁତର ଆହତ ହୋଇଛନ୍ତି। କଟକ ଜିଲ୍ଲାରେ ୨୦ଟି ଘର ଭା‌ଙ୍ଗିଯାଇଛି। ୭୫ ପରିବାରର ୩୮୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ‌ ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଜଗତ୍‌ସିଂହପୁର ଜିଲ୍ଲାରେ ୩ଟି ପକ୍କା ଘର ଓ ଅନେକ କଚ୍ଚା ଘର ଭାଙ୍ଗିଯାଇଛି। ଜିଲ୍ଲାର ୩୫ ପରିବାରକୁ ପଲିଥିନ୍‌ ଯୋଗାଇ ଦିଆଯାଇଛି। କାନ୍ଥ ପଡ଼ିବା ଯୋଗୁଁ ଖୋର୍ଧା ଜିଲ୍ଲା ବେଗୁନିଆ ବ୍ଲକର ଦେଉଳି ଗ୍ରାମପଞ୍ଚାୟତର ଡଙ୍ଗରପଡ଼ାର ଶାନ୍ତିଲତା ବିଶ୍ବାଳ ଆହତ ହୋଇଛନ୍ତି। ବାଣପୁର ଏନ୍‌ଏସିର ୫ଟି ପରିବାର ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ପୂର୍ବତଟ ରେଳପଥରେ ଟ୍ରେନ୍‌ ସେବା ମଧ୍ୟ ପ୍ରଭାବିତ ହୋଇଛି। ଗତକାଲିଠାରୁ ବର୍ଷା ଲାଗି ରହିବା କାରଣରୁ ପଲାସା ଓ ବିଜୟନଗରମ୍‌ ମଧ୍ୟରେ ଥିବା ବିଭିନ୍ନ ଷ୍ଟେସନ୍‌ରେ ପାଣି ଜମି ରହିଥିଲା। ତେଣୁ ଅନେକ ଟ୍ରେନ୍‌ ବିଳମ୍ବରେ ଯାତ୍ରା କରିଥିଲା। ରାତି ସାରା ଜଳପ୍ରବାହ ଯୋଗୁଁ ଅନେକ ଷ୍ଟେସନ୍‌ର ସିଗ୍‌ନାଲ୍‌ ଖୁଣ୍ଟିଗୁଡ଼ିକ ମଧ୍ୟ ଅଚଳ ହୋଇଯାଇଥିଲା। କ୍ରମେ ପରିସ୍ଥିତିରେ ସୁଧାର ଆସିବାରୁ ରେଳ ସେବା ସ୍ୱାଭାବିକ ହୋଇଛି। କେତେକ ଟ୍ରେନ୍‌ ସମୟ ନିର୍ଘଣ୍ଟ ପୁଣିଥରେ ଧାର୍ଯ୍ୟ କରାଯାଇଥିବା ବେଳେ ସ୍ୱଳ୍ପ ଦୂରକୁ ଯାତ୍ରା କରିବାକୁ ଥିବା ଟ୍ରେନ୍‌ଗୁଡ଼ିକ ଯାତ୍ରା ବାତିଲ ହୋଇଥିଲା। ଭୁବନେଶ୍ୱର-ବିଶାଖାପଟନମ୍‌ ଇଣ୍ଟରସିଟି ଏକ୍ସପ୍ରେସ୍‌ ଶ୍ରୀକାକୁଲମ୍‌ଠାରେ ବାତିଲ୍‌ ହୋଇଥିଲା। ବିଶାଖାପଟଣାରୁ ଭୁବନେଶ୍ୱର ଫେରନ୍ତା ଇଣ୍ଟରସିଟି ଏକ୍ସପ୍ରେସ୍‌କୁ ବାତିଲ କରାଯାଇଥିଲା। ବିଶାଖାପଟଣା-ବ୍ରହ୍ମପୁର ଓ ବ୍ରହ୍ମପୁର-ବିଶାଖାପଟଣା ପାସେଞ୍ଜର୍‌ ଟ୍ରେନ୍‌ ମଧ୍ୟ ବାତିଲ ହୋଇଥିଲା।

ସମ୍ବନ୍ଧିତ ଖବର