ଭୀଷଣ ରୂପ ନେଲା ଲଘୁଚାପ: ୧୩ ଯାଏ ବର୍ଷିବ, ୧୧ରୁ କମିବ ପ୍ରକୋପ

ଭୁବନେଶ୍ବର: ଭୀଷଣ ରୂପ ନେଇଛି ଲଘୁଚାପ। ଗତକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ସଂଲଗ୍ନ ଉପକୂଳ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପରେ ରହିଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଆଜି ସକାଳୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ମଙ୍ଗଳବାର ଅବପାତଟି ଉପକୂଳ ଓଡ଼ିଶା ଉପରେ ରହିଥିଲା। ପ୍ରଭାବରେ ଆଜି ରାଜ୍ୟସାରା ବର୍ଷା ଲାଗି ରହିଥିଲା। ବିଶେଷକରି ବରଗଡ଼, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝରରେ ଭୀଷଣରୁ ଅତିଭୀଷଣ ବର୍ଷା ହୋଇଥିବା ବେଳେ ସୋନପୁର, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହୋଇଛି।

ଅବପାତର ପ୍ରଭାବରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଉତ୍ତରପଶ୍ଚିମ ତଥା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିମି ରହିବ। ଏଣୁ ଆସନ୍ତା ୧୧ ତାରିଖ ଯାଏ ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପରାମର୍ଶ ଦେଇଛି। ପାଣିପାଗ କେନ୍ଦ୍ର ଆହୁରି କହିଛି ଯେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଯାଇଛି। ଫଳରେ କିଛି କିଛି ସ୍ଥାନରେ ମୌସୁମୀଜନିତ ବର୍ଷା ମଧ୍ୟ ଜାରି ରହିଛି। ଆସନ୍ତାକାଲି ମଧ୍ୟ ରାଜ୍ୟରେ ଲଘୁଚାପର ପ୍ରଭାବ ରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ବର ଓ ବରଗଡ଼ ଆଦି ଜିଲ୍ଲାରେ ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଅତିପ୍ରବଳ ବର୍ଷା ଯୋଗୁଁ ଭୂ-ସ୍ଖଳନ, କଚ୍ଚା ରାସ୍ତା ଓ ଘର ଭୁଶୁଡ଼ି ପଡ଼ିବା ଓ ଚାଷ ଜମିରେ ପାଣି ଜମି ରହିବା ଫଳରେ ଫସଲ ନଷ୍ଟ ଆଦି ସମସ୍ୟା ଦେଖାଯାଇପାରେ। ଖାଲି ସେତିକି ନୁହେଁ, ରାଜ୍ୟର ଅନ୍ୟ କିଛି ଜିଲ୍ଲା ଯଥା, ନୂଆପଡ଼ା, ସୋନପୁର, ବଲାଙ୍ଗୀର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଆଦି ଜିଲ୍ଲା‌‌ରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି।

୧୧ ତାରିଖରୁ ରାଜ୍ୟରେ ବର୍ଷାର ପ୍ରଭାବ ଓ ବିସ୍ତୃତି କମିବ। କିନ୍ତୁ ୧୩ ତାରିଖ ଯାଏ ରାଜ୍ୟରେ ବର୍ଷା ଜାରି ରହିବ। ୧୧ତାରିଖ ଦିନ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଯାଜପୁର ଓ ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭ‌ାବନା ରହିଛି। ସେହିଭଳି ୧୨ତାରିଖ ଦିନ ମଧ୍ୟ ଗଜପତି, ଗଞ୍ଜାମ, ନୟାଗଡ଼, ବୌଦ୍ଧ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ କନ୍ଧମାଳ ଆଦି ଜିଲ୍ଲାରେ ଭାରୀ ବର୍ଷାର ସମ୍ଭାବନା ରହିଛି। ୧୩ ତାରିଖରୁ ପୁଣି ରାଜ୍ୟରେ ବର୍ଷାର ପ୍ରଭାବ ବଢ଼ିବ। ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ ଓ ଗଞ୍ଜାମ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ମାଲକାନଗିରି, କୋରାପୁଟ, ନୟାଗଡ଼, ଖୋର୍ଧା, ପୁରୀ, କଟକ, ବୌଦ୍ଧ, ବରଗଡ଼, ସୋନପୁର, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର