ଦାନା ବାନ୍ଧୁଛି ଲଘୁଚାପ; ୨୪ରୁ ଭୀଷଣ ବର୍ଷା

ବିପଦ ସଙ୍କେତ ଉପରେ ବୈତରଣୀ, ଲଘୁଚାପ ବର୍ଷା କାରଣରୁ ୫ ମୃତ, ବର୍ଷା ସତ୍ତ୍ବେ ନୂଆପଡ଼ାରେ ନିଅଣ୍ଟିଆ ସ୍ଥିତି

ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ଆସନ୍ତା ୨୫ ଓ ୨୬ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ। ବିଶେଷକରି ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ପୂର୍ବାନୁମାନ କରାଯାଇଛି ଯେ ୨୩ ତାରିଖ ଦିନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି। ଫଳରେ ରାଜ୍ୟରେ ୨୨ତାରିଖଠାରୁ ବର୍ଷା ଆରମ୍ଭ ହୋଇଯିବ। ସେହିଦିନ ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ଦେବଗଡ଼ ଓ ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୨୩ରେ ବର୍ଷାର ମାତ୍ରା ବଢ଼ିବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ପୁରୀରେ ପ୍ରବଳରୁ ଅତିପ୍ରବଳ ଅର୍ଥାତ୍ ୨୦୦ ମିଲିମିଟର ଯାଏ ବର୍ଷା ହୋଇପାରେ। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

୨୪ରୁ ୨୬ ତାରିଖ ଯାଏ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ଭୀଷଣ ବର୍ଷା ହେବ। ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି। ଏହି ଦୁଇ ଦିନ ଉତ୍ତର ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୫ରୁ ୫୫କିମି ବେଗରେ ପବନର ବହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ କେନ୍ଦ୍ର ପକ୍ଷରୁ ବାରଣ କରାଯାଇଛି। ଅପରପକ୍ଷେ ଗତକାଲିର ସ୍ପଷ୍ଟ ଚିହ୍ନିତ ଲଘୁଚାପ ବଳୟଟି ଆଜି ପଶ୍ଚିମମୁହାଁ ହୋଇ ଏବେ ପୂର୍ବ ମଧ୍ୟପ୍ରଦେଶର କେନ୍ଦ୍ର ଓ ସଂଲଗ୍ନ ଅଞ୍ଚଳରେ ରହିଛି। ଫଳରେ ଏହାର ପ୍ରଭାବ ଆଉ ଓଡ଼ିଶା ଉପରେ ନାହିଁ।

ତେବେ ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟ ଓ ଅଳ୍ପ କେତେକ ଜିଲ୍ଲାରେ ମଧ୍ୟମ ଧରଣର ବୃଷ୍ଟିପାତ ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ପ୍ରାୟ ହାରାହାରି ୧୬ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି। ଦୁଇଟି ବ୍ଲକ ଯଥା ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକରେ ୧୧୨.୩ ମିମି ଓ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକରେ ୧୨୬.୨ମିମି ବର୍ଷା ରେକର୍ଡ କରାଯାଇଛି। ଏହାବ୍ୟତୀତ ୨୨ଟି ବ୍ଲକରେ ୫୦ମିମିରୁ ଉର୍ଦ୍ଧ୍ୱ ଓ ୫୯ ଟି ବ୍ଲକରେ ୨୦ ମିମିରୁ ୫୦ ମିମି ମଧ୍ୟରେ ବୃଷ୍ଟିପାତ ହୋଇଅଛି ।

ବୈତରଣୀ ନଦୀର ଜଳସ୍ତର ଆଖୁଆପଦାଠାରେ ବିପଦସଙ୍କେତର ସାମାନ୍ୟ ଉପରେ ପ୍ରବାହିତ ହେଉଛି। ମାତ୍ର କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ ଏବଂ ଉପରମୁଣ୍ଡରେ ଅଧିକ ବର୍ଷା ହୋଇ ନଥିବାରୁ ଜଳସ୍ତର ଖୁବ୍‍ ଶୀଘ୍ର ହ୍ରାସ ପାଇବ ବୋଲି ଆଶା କରାଯାଉଅଛି। ବାଲେଶ୍ୱରର ବସ୍ତା ବ୍ଲକର ମଥାନି ଠାରେ ଜଳକା ନଦୀର ଜଳସ୍ତର ବିପଦସଂକେତର ଉର୍ଦ୍ଧ୍ୱରେ ପ୍ରବାହିତ ହେଉଥିଲେ ମଧ୍ୟ ଏହା ସ୍ଥିର ରହିଛି।

ନବରଙ୍ଗପୁର ଜିଲ୍ଲାରେ ବୃଷ୍ଟିପାତ ଯୋଗୁଁ କୋରାପୁଟ ଜିଲ୍ଲାର ସୁରଲିଠାରେ ଜାତୀୟ ରାଜପଥ ୨୬ର ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେବା ଯୋଗୁଁ ବରିଗୁମା ଠାରୁ ଜଗଦଲପୁର ରାସ୍ତା ବିଚ୍ଛିନ୍ନ ହୋଇଥିଲା। ମାଲକାନଗିରି ଜିଲ୍ଲାର କଙ୍ଗାରୁକୋଣ୍ଡା, କନ୍ୟାଶ୍ରମ, କୋରକୁଣ୍ଡା ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଅଛି। ମାତ୍ର ଏମ୍‍.ଭି. ୯୦, ଏମ୍‍.ଭି ୯୬ ପୋଲ ତଳେ ବନ୍ୟା ଜଳସ୍ତର କମିବାରେ ଲାଗିଛି। ମାଥିଲି ବ୍ଲକର ପଙ୍ଗାମ୍‍ ପୋଲ ଓ ସାବେରୀ ପୋଲ ତଳେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଛି। ମୋଟୁର ମୋଗି ପଏଣ୍ଟ ଠାରେ ସିଲେରୁ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଗତକାଲି ରାତିରେ ମାଥିଲି ବ୍ଲକର ୧୬୯ ଜଣ ବ୍ୟକ୍ତି ଓ କାଲିମେଳା ବ୍ଲକର ୮୧ ଜଣ ବ୍ୟକ୍ତିଙ୍କୁ ନିକଟସ୍ଥ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଥିଲା। ମୟୁରଭଞ୍ଜ ଜିଲ୍ଲାରେ ବଡସାହି ବ୍ଲକ ଅନ୍ତର୍ଗତ ଗଙ୍ଗାହାର ନଦୀର ଜଳସ୍ତର କ୍ରମଶଃ ହ୍ରାସ ପାଉଛି। ଚଳିତ ବର୍ଷ ମୌସୁମୀ ଜନିତ ବୃଷ୍ଟିପାତ ଫଳରେ ରାଜ୍ୟରେ ମୋଟ ୫ ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଘୁଙ୍ଗୁଟିପାଲି ଗାଁର ଦୀପା ବରାଲେଣ୍ଡିଆ, ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍‌ କୁଚେଇ ଗାଁର ବାସନ୍ତି ମୁଖୀ ଓ ଦେବଗଡ଼ ଜିଲ୍ଲା ରିଆମାଳ ଦେହୁରିପାଲିର ଗୋପାଳ ଗାରିଆଙ୍କ କାନ୍ଥ ପଡ଼ି ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ ଗଣ୍ଡଗହଳି ଗାଁର ବୁଦ୍ଧେଶ୍ବର ମାଝୀ ଓ ମଙ୍ଗଳ ମାରାଣ୍ଡି ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଜୁନ ମାସରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସାଧାରଣ ବୃଷ୍ଟିପାତ ଠାରୁ ୧.୩% ଅଧିକ ବର୍ଷା ହୋଇଛି। ଜୁନ୍‍ ମାସରେ ସାଧାରଣ ବୃଷ୍ଟିପାତ ଠାରୁ ଶତକଡା ୯.୩%ଅଧିକ, ଜୁଲାଇ ମାସରେ ୩୪.୯% କମ୍‍ ଓ ଅଗଷ୍ଟ ମାସରେ ୪୫.୨% ରୁ ଅଧିକ ବୃଷ୍ଟିପାତ ହୋଇଅଛି। ଅଗଷ୍ଟ ମାସରେ ୧୭ଟି ଜିଲ୍ଲାରେ ସାଧାରଣ ବୃଷ୍ଟିପାତ ଠାରୁ ଅଧିକ ଏବଂ ୧୨ଟି ଜିଲ୍ଲାରେ ସାଧାରଣ ବୃଷ୍ଟିପାତ ହୋଇଛି। ତନ୍ମଧ୍ୟରୁ ୬ ଟି ଜିଲ୍ଲାରେ ସାଧାରଣ ବୃଷ୍ଟିପାତ ଠାରୁ ୧୦୫% ରୁ ୧୭୬% ପର୍ଯ୍ୟନ୍ତ ଅଧିକ ବୃଷ୍ଟିପାତ ହୋଇଛି। କେବଳ ନୂଆପଡା ଜିଲ୍ଲାରେ ୩୧.୯% ନିଅଣ୍ଟିଆ ବର୍ଷା ହୋଇଛି।

ସମ୍ବନ୍ଧିତ ଖବର